Thursday, September 18, 2025

ପୃଥିଵୀର ଯୁଗ

ଭାରତୀୟ ପୌରାଣିକ ଗଣନା ଅନୁସାରେ, ବ୍ରହ୍ମାଙ୍କ ଜୀଵନକାଳ ୧୦୦ ଵର୍ଷ, ଯାହା ମାନଵ ଵର୍ଷରେ ୩୧୧.୦୪ ଲକ୍ଷ କୋଟି (୩୧୧,୦୪୦,୦୦୦,୦୦୦,୦୦୦) ଵର୍ଷ ଅଟେ।
ମନୁସ୍ମୃତିରେ ଏ ସମ୍ବନ୍ଧରେ କୁହାଯାଇଛି :

“ଯଦା ସ ଦେଵୋ ଜାଗର୍ତ୍ତି ତଦେଦଂ ଚେଷ୍ଟତେ ଜଗତ୍। 
ଯଦା ସ୍ଵପିତି ଶାନ୍ତାତ୍ମା ତଦା ସର୍ଵଂ ନିମୀଳତି ॥”

ଅର୍ଥାତ୍ ଯେତେବେଳେ ସେ ଦେଵତା (ବ୍ରହ୍ମା) ଜାଗ୍ରତ ଥାଆନ୍ତି, ସେତେବେଳେ ଏହି ଜଗତ ଚେଷ୍ଟାଵନ୍ତ ହୁଏ। ଯେତେବେଳେ ସେ ଶାନ୍ତଚିତ୍ତରେ ନିଦ୍ରାଯାଆନ୍ତି, ସେତେବେଳେ ସମସ୍ତ କିଛି ସ୍ଥିର ହୋଇଯାଏ।

ସେହିପରି ସୂର୍ଯ୍ୟ ସିଦ୍ଧାନ୍ତରେ ବ୍ରହ୍ମାଙ୍କ ଆୟୁଷ ୧୦୦ ବ୍ରହ୍ମା ଵର୍ଷ (୩୧୧.୦୪ ଟ୍ରିଲିୟନ ମାନଵ ଵର୍ଷ) ଏଵଂ ଵର୍ତ୍ତମାନ ତାଙ୍କ ଆୟୁଷର ଦ୍ଵିତୀୟାର୍ଦ୍ଧର ପ୍ରଥମ କଳ୍ପ ଚାଲୁଛି ବୋଲି ଏମନ୍ତ ଉଲ୍ଲେଖ ଅଛି: 

“ପରମାୟୁଃ ଶତଂ ବସ୍ଯ ତୟାହୋରାତ୍ରସଙ୍ଖ୍ଯୟା ।
 ଆୟୁଷୋଽର୍ଦ୍ଧମିତଂ ତସ୍ଯ ଶେଷକଳ୍ପୋଽୟମାଦିମଃ ॥”

ବ୍ରହ୍ମାଙ୍କର ଗୋଟିଏ ଦିଵସକୁ କଳ୍ପ କୁହନ୍ତି ଯାହା ପ୍ରାୟ ୪୩୨ କୋଟି ଵର୍ଷ ଏଵଂ ବ୍ରହ୍ମାଙ୍କର ଗୋଟିଏ ରାତି (ପ୍ରଳୟ) ମଧ୍ୟ ସମାନ ଅଵଧି ଵିଶିଷ୍ଟ ଅଟେ। ଏକ କଳ୍ପରେ ୧୪ ମନ୍ୱନ୍ତର ଥାଏ, ଯାହା ପ୍ରତ୍ୟେକ ୭୧ ମହାଯୁଗ (୪୩,୨୦,୦୦୦ ଵର୍ଷ) ଯୁକ୍ତ ହୋଇଥାଏ ।

ଏ ସମ୍ବନ୍ଧରେ ସୂର୍ଯ୍ୟସିଦ୍ଧାନ୍ତ (ରଙ୍ଗନାଥ ଟୀକା)ରେ କୁହାଯାଇଛି:

“ଇତ୍ଥଂ ଯୁଗସହସ୍ରେଣ ଭୂତସଂହାରକାରକଃ। କଳ୍ପୋ ବ୍ରାହ୍ମମହଃ ପ୍ରୋକ୍ତଂ ଶର୍ଵରୀ ତସ୍ଯ ତାଵତୀ ॥”

ଅର୍ଥାତ୍ ଏହିପରି ଏକ ହଜାର ଯୁଗ (ଚତୁର୍ଯୁଗ) ଦ୍ଵାରା ଗଠିତ ଏକ କଳ୍ପ, ଯାହା ଜୀଵସଂହାରର କାରଣ, ବ୍ରହ୍ମାଙ୍କ ଦିଵସ (ଅହଃ) କୁହାଯାଏ। ତାଙ୍କ ରାତି (ଶର୍ବରୀ) ମଧ୍ୟ ସମାନ ଅଵଧିର ହୋଇଥାଏ।

ପ୍ରତ୍ୟେକ ମହାଯୁଗ ଚାରି ଯୁଗରେ ଵିଭକ୍ତ: ସତ୍ୟଯୁଗ (୧୭,୨୮,୦୦୦ ଵର୍ଷ), ତ୍ରେତାଯୁଗ (୧୨,୯୬,୦୦୦ ଵର୍ଷ), ଦ୍ୱାପରଯୁଗ (୮,୬୪,୦୦୦ ଵର୍ଷ), ଓ କଳିଯୁଗ (୪,୩୨,୦୦୦ ଵର୍ଷ)। ଵର୍ତ୍ତମାନ ଆମେ ଶ୍ୱେତଵରାହ କଳ୍ପର ସପ୍ତମ ମନ୍ୱନ୍ତରର ୨୮ତମ ମହାଯୁଗର କଳିଯୁଗରେ ଅଛୁ, ଯାହା ୩୧୦୨ ଖ୍ରୀ.ପୂ.ରେ ଆରମ୍ଭ ହୋଇଥିଲା। ୨୦୨୫ ଖ୍ରୀ. ଅନୁସାରେ, କଳିଯୁଗର ୫୧୨୬ ଵର୍ଷ ଅତିକ୍ରାନ୍ତ ହୋଇଛି । ଶ୍ୱେତଵରାହ କଳ୍ପ ହେଉଛି ବ୍ରହ୍ମାଙ୍କ ଜୀଵନକାଳର ୫୧ତମ ଵର୍ଷର ପ୍ରଥମ ଦିଵସ। ଏହି ଗଣନା ବ୍ରହ୍ମାଣ୍ଡକୁ ଏକ ଚକ୍ରୀୟ, ଅନନ୍ତ ପ୍ରକ୍ରିୟା ଭାବେ ଦେଖାଏ ଯେଉଁଥିରେ ସୃଷ୍ଟି, ସ୍ଥିତି ଓ ପ୍ରଳୟ ଚକ୍ର ଅନୁସରଣ କରେ।

ଅନ୍ୟପକ୍ଷରେ, ଆଧୁନିକ ଵିଜ୍ଞାନ ବ୍ରହ୍ମାଣ୍ଡର ଆୟୁଷକୁ ବିଗ୍ ବ୍ୟାଙ୍ଗ ତତ୍ତ୍ୱ ଆଧାରରେ ମାପିଥାଏ । ଵିଜ୍ଞାନୀମାନଙ୍କ ଅନୁସାରେ, ପ୍ରାୟ ୧୩.୮ ବିଲିୟନ (୧୩,୮୦୦,୦୦୦,୦୦୦) ଵର୍ଷ ପୂର୍ଵେ ବ୍ରହ୍ମାଣ୍ଡର ଆରମ୍ଭ ହୋଇଥିଲା। ଏହି ଗଣନା କସ୍ମିକ୍ ମାଇକ୍ରୋୱେଵ୍ ବ୍ୟାକଗ୍ରାଉଣ୍ଡ୍ ରେଡିଏସନ୍, ହବଲ୍ ସ୍ଥିରାଙ୍କ ଓ ତାରା ତଥା ଗ୍ୟାଲାକ୍ସିଗୁଡ଼ିକର ଵୟସ ଆଧାରରେ ନିର୍ଣ୍ଣୟ କରାଯାଇଛି। ବ୍ରହ୍ମାଣ୍ଡର ଭଵିଷ୍ୟତ ଆୟୁଷ ଡାର୍କ ଏନର୍ଜି ଦ୍ୱାରା ପ୍ରଭାଵିତ ଯାହା ବ୍ରହ୍ମାଣ୍ଡର ଵିସ୍ତାରକୁ ତ୍ଵରିତ କରୁଛି। ଵୈଜ୍ଞାନିକ ତଥ୍ୟ ଅନୁସାରେ ବ୍ରହ୍ମାଣ୍ଡ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଵିସ୍ତାର ଲଭିଵ ଯାହା ଏକ "ବିଗ ଫ୍ରିଜ" ଵା "ହିଟ ଡେଥ" ଅଵସ୍ଥାକୁ ନେଇଯିଵ ଯେଉଁଥିରେ ବ୍ରହ୍ମାଣ୍ଡ ଶୀତଳ ଓ ନିଷ୍କ୍ରିୟ ହେଵ। ଏହା ଟ୍ରିଲିୟନ ଟ୍ରିଲିୟନ (୧୦^୨୪) ଵର୍ଷ ଵା ତା’ଠାରୁ ଅଧିକ ସମୟ ନେଇପାରେ। ବ୍ଲାକ ହୋଲଗୁଡ଼ିକ ହକିଂ ରେଡିଏସନ ମାଧ୍ୟମରେ ୧୦^୧୦୦ ଵର୍ଷ (ଗୂଗୋଲ ଵର୍ଷ) ମଧ୍ୟରେ ବାଷ୍ପୀଭୂତ ହେଵ। ଅନ୍ୟ ସମ୍ଭାଵନା ଯେପରି "ବିଗ କ୍ରଞ୍ଚ" (ସଙ୍କୋଚନ) ଵା "ବିଗ ରିପ" ମଧ୍ୟ ରହିଛି, କିନ୍ତୁ ଡାର୍କ ଏନର୍ଜିର ପ୍ରଭାବ ହେତୁ "ବିଗ ଫ୍ରିଜ" ସବୁଠାରୁ ସମ୍ଭାଵ୍ୟ ।

ଉଭୟ ଦୃଷ୍ଟିକୋଣରେ ମୁଖ୍ୟ ପାର୍ଥକ୍ୟ ରହିଛି। ପୌରାଣିକ ଗଣନା ଚକ୍ରୀୟ ସମୟ ଧାରଣା ଉପରେ ଆଧାରିତ, ଯେଉଁଥିରେ ସୃଷ୍ଟି ଓ ପ୍ରଳୟ ବାରମ୍ବାର ଘଟେ। ଏହା ଦାର୍ଶନିକ ଓ ଆଧ୍ୟାତ୍ମିକ ଯାହା ବ୍ରହ୍ମାଙ୍କ ଦୈଵୀ ଚକ୍ରକୁ ଗୁରୁତ୍ୱ ଦିଏ। ଆଧୁନିକ ଵିଜ୍ଞାନ ରୈଖିକ ସମୟ ଧାରଣା ଉପରେ ଆଧାରିତ, ଯେଉଁଥିରେ ବିଗ୍ ବ୍ୟାଙ୍ଗରୁ ଆରମ୍ଭ ହୋଇ ବ୍ରହ୍ମାଣ୍ଡ ଏକ ନିର୍ଦ୍ଦିଷ୍ଟ ଦିଗରେ ଅଗ୍ରସର ହୁଏ। ପୌରାଣିକ ଗଣନାରେ ବ୍ରହ୍ମାଙ୍କ ଜୀଵନକାଳ (୩୧୧.୦୪ ଲକ୍ଷ କୋଟି ଵର୍ଷ) ଵିଜ୍ଞାନର ଵର୍ତ୍ତମାନ ଆୟୁଷ (୧୩.୮ ବିଲିୟନ ବର୍ଷ) ତୁଳନାରେ ଅତ୍ୟନ୍ତ ଵୃହତ୍ କିନ୍ତୁ ଵିଜ୍ଞାନର ଭଵିଷ୍ୟତ ଆୟୁଷ (୧୦^୧୦୦ ବର୍ଷ) ପୌରାଣିକ ସମୟଠାରୁ ମଧ୍ୟ ଅଧିକ। ପୁରାଣ ସମୟକୁ ଅନନ୍ତ ଚକ୍ର ଭାବେ ଦେଖେ କିନ୍ତୁ ଵିଜ୍ଞାନ ଏକ ସୀମିତ ଆରମ୍ଭ ଓ ଅନିର୍ଦ୍ଦିଷ୍ଟ ଶେଷ ଉପରେ ଜୋର୍ ଦିଏ।

ଉଭୟ ଦୃଷ୍ଟିକୋଣ ମାନଵ ଚିନ୍ତାର ଵିଭିନ୍ନ ଦିଗକୁ ପ୍ରତିଫଳିତ କରେ। ପୌରାଣିକ ଗଣନା ଆଧ୍ୟାତ୍ମିକ ଓ ଦାର୍ଶନିକ ଅନୁସନ୍ଧାନର ଫଳ, ଯାହା ବ୍ରହ୍ମାଣ୍ଡକୁ ଏକ ଦୈଵୀ ସଂଯୋଗ ଭାବେ ଦେଖେ। ଵିଜ୍ଞାନ ପରୀକ୍ଷାମୂଳକ ପ୍ରମାଣ ଓ ଗାଣିତିକ ମଡେଲ ଉପରେ ଆଧାରିତ ଯାହା ଭୌତିକ ନିୟମ ଓ ପର୍ଯ୍ୟଵେକ୍ଷଣ ଉପରେ ନିର୍ଭର କରେ। ଉଭୟ ତଥ୍ୟାତ୍ମକ ଦିଗ ବ୍ରହ୍ମାଣ୍ଡର ଵିଶାଳତା ଓ ଜଟିଳତାକୁ ସ୍ୱୀକାର କରେ କିନ୍ତୁ ଏହାକୁ ଭିନ୍ନ ଭାଷା ଓ ଢାଞ୍ଚାରେ ଵ୍ୟାଖ୍ୟା କରାଯାଇଛି। ତେବେ ଭାରତକୁ ଛାଡ଼ି ଦେଲେ ଆଉ କୌଣସି ପ୍ରାଚୀନ ସଭ୍ୟତାରେ ଏତେ ଵିଶାଳ ଆକାରରେ ସମୟର ଗଣନା ହୋଇନଥିଲା। ଚୀନ ଓ ମିଶରୀୟ ସଭ୍ୟତାରେ ରାଜବଂଶମାନଙ୍କର ଶାସନକାଳ ଆଧାରରେ ଯୁଗ ଗଣନା ହେଉଥିଲା । ଅନ୍ୟାନ୍ୟ କୌଣସି ପ୍ରାଚୀନ ସଂସ୍କୃତିରେ ଭାରତ ଭଳି ଚାରିଯୁଗ କଳ୍ପନା ଦେଖାଯାଇନଥିଲା ।

ଭାରତୀୟ ସଂସ୍କୃତିରେ କାଳଗଣନା ପ୍ରତିଷ୍ଠିତ ହେଵାର ବହୁତ ପରେ ପ୍ରାଚୀନ ଗ୍ରୀକ୍ କଵି ହେସିଓଡ ଖ୍ରୀ.ପୂ. 8ମ ଶତାବ୍ଦୀରେ ତାଙ୍କ ରଚନା Ἔργα καὶ Ἡμέραι (Érga kaì Hēmérai)ରେ ମାନଵ ଇତିହାସକୁ ପାଞ୍ଚଟି ଯୁଗରେ ଵିଭାଜନ କରିଥିଲେ ।‌ ତାଙ୍କ ଅନୁସାରେ ପ୍ରାରମ୍ଭିକ ଯୁଗ ସ୍ୱର୍ଣ୍ଣ ଯୁଗ (Golden Age)ଶାନ୍ତି ଓ ସମୃଦ୍ଧିର ସମୟ ଥିଲା। ତତ୍ପରଵର୍ତ୍ତୀ ରୌପ୍ୟ ଯୁଗ (Silver Age)ରେ କ୍ରମଶଃ ନୈତିକତାରେ ହ୍ରାସ ଘଟିଲା। ତହୁଁ କାଂସ୍ୟ ଯୁଗ (Bronze Age) ଯୁଦ୍ଧ ଓ ହିଂସାର ଯୁଗ ହେଲା। ଚତୁର୍ଥ ଯୁଗ ଵୀର ଯୁଗ (Heroic Age) ଥିଲା ଏଵଂ ଏହି ଯୁଗରେ ମହାନ ଵୀରମାନଙ୍କ ଦ୍ଵାରା ପୃଥିଵୀ ଶାସିତ ହେଉଥିଲା । ଟ୍ରୋଜାନ ଯୁଦ୍ଧ ଏହି ଯୁଗରେ ହୋଇଥିଲା । ଶେଷରେ ପଞ୍ଚମ ଯୁଗ ଲୌହ ଯୁଗ (Iron Age) ବୋଲି ଉଲ୍ଲେଖ କରି ହେସିଓଡ ଏହାକୁ ଅଧର୍ମ ଓ ଦୁଃଖର ଯୁଗ ଵିଵେଚିତ କରିଛନ୍ତି ‌ । ଗ୍ରୀକ୍‌ମାନଙ୍କର ଏହି ଯୁଗ ଵିଭାଜନ ମଧ୍ୟ ପୌରାଣିକ ଓ ଦାର୍ଶନିକ ଥିଲା ଏଵଂ ଏଥିରେ ଧାତୁର ଵ୍ୟଵହାର ସହ ନୈତିକତା ଓ ସାମାଜିକ ଅଵସ୍ଥାର ଵର୍ଣ୍ଣନା ମଧ୍ୟ ଜଡ଼ିତ ଥିଲା।
ଏହାର ବହୁତ ଵର୍ଷ ପରେ ଡେନିଶ୍ ପୁରାତତ୍ତ୍ୱଵିଦ କ୍ରିଷ୍ଟିଆନ ଜୁର୍ଗେନସେନ ଥମସେନ 1836 ମସିହାରେ ପ୍ରକାଶିତ ତାଙ୍କର ପୁସ୍ତକ "Ledetraad til Nordisk Oldkyndighed(Guide to Northern Antiquities)"ରେ ତିନି-ଯୁଗ ପ୍ରଣାଳୀକୁ ଆନୁଷ୍ଠାନିକ ଭାବେ ପ୍ରକାଶ କରିଥିଲେ। ଥମସେନ୍ ମାନଵ ଇତିହାସକୁ ପାଷାଣ ଯୁଗ,କାଂସ୍ୟ ଯୁଗ ଓ ଲୌହ ଯୁଗ ଆଦି ତିନୋଟି ଯୁଗରେ ଵିଭାଜନ କରିଥିଲେ ଯାହାକୁ ତିନି-ଯୁଗ ପ୍ରଣାଳୀ ଵା Three-Age System କୁହାଯାଏ। ଏହି ଵିଭାଜନ ମୁଖ୍ୟତଃ ମାନଵ ସଭ୍ୟତାରେ ଵ୍ୟଵହୃତ ପ୍ରମୁଖ ଉପକରଣ ଓ ଧାତୁ ଆଧାରରେ କରାଯାଇଛି। ପାଷାଣ ଯୁଗରେ(Stone Age)ମାନଵ ପାଷାଣରୁ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ। ଏହା ପ୍ରାୟ 2.5 ନିୟୁତ ଵର୍ଷ ପୂର୍ଵରୁ ଆରମ୍ଭ ହୋଇ ପ୍ରାୟ 3000 ଖ୍ରୀ.ପୂ. ପର୍ଯ୍ୟନ୍ତ ଚାଲିଥିଲା। ଏହାକୁ ପୁନର୍ଵାର ପୁରାପାଷାଣ (Paleolithic), ମଧ୍ୟପାଷାଣ (Mesolithic) ଓ ନଵପାଷାଣ (Neolithic) ଯୁଗ ଭାବେ ତିନି ଯୁଗରେ ଵିଭାଜନ କରାଯାଇଥିଲା। କାଂସ୍ୟ ଯୁଗରେ (Bronze Age) ମାନଵ ତମ୍ବା ଓ ଟିଣର ମିଶ୍ରଣରୁ କାଂସ୍ୟ ନିର୍ମାଣ କରି ଉପକରଣ ତିଆରି କରୁଥିଲେ। ଏହା ପ୍ରାୟ 3000 ଖ୍ରୀ.ପୂ.ରୁ 1200 ଖ୍ରୀ.ପୂ. ମଧ୍ୟରେ ଚାଲିଥିଲା। ଲୌହ ଯୁଗରେ (Iron Age) ମାନଵ ଲୌହରୁ ଅସ୍ତ୍ରଶସ୍ତ୍ର ଓ ଉପକରଣ ନିର୍ମାଣ କରୁଥିଲେ। ଏହା ପ୍ରାୟ 1200 ଖ୍ରୀ.ପୂ.ରୁ ଆରମ୍ଭ ହୋଇ ଐତିହାସିକ ଯୁଗ ପର୍ଯ୍ୟନ୍ତ ଚାଲିଥିଲା। ଏହି ପ୍ରଣାଳୀକୁ ପରେ ଅନ୍ୟ ପୁରାତତ୍ତ୍ୱବିଦମାନେ ଵିସ୍ତାର କରିଥିଲେ ଏଵଂ ଏହା ଵିଶ୍ୱଵ୍ୟାପୀ ପୁରାତନ ଇତିହାସ ଅଧ୍ୟୟନରେ ଏକ ମୌଳିକ ଆଧାର ହୋଇଛି। ଲୌହ ଯୁଗ ପରେ ମାନଵ ଇତିହାସ ଶାସ୍ତ୍ରୀୟ ଯୁଗ (Classical Age), ମଧ୍ୟଯୁଗ (Medieval Age), ଆଧୁନିକ ଯୁଗ (Modern Age) ଏଵଂ ଵର୍ତ୍ତମାନର ଡିଜିଟାଲ ଯୁଗ ଵା ତଥ୍ୟ ଯୁଗ (Information Age) ରୂପେ ମାନଵ ଇତିହାସ ଅନେକ ଯୁଗରେ ଵିଭାଜିତ ହୋଇଛି।

ତେବେ କ୍ରିଷ୍ଟିଆନ ଜୁର୍ଗେନସେନ ଥମସେନଙ୍କ ତିନି ଯୁଗ ପ୍ରଣାଳୀ ପୃଥିଵୀର ସମ୍ପୂର୍ଣ୍ଣ ଇତିହାସକୁ ପ୍ରକାଶ କରିପାରିନଥିଲା ।ଆଧୁନିକ ଯୁଗରେ ଵିଜ୍ଞାନର ଅଗ୍ରଗତି ଯୋଗୁଁ ଅଧୁନା ପୃଥିଵୀର ସୃଷ୍ଟିଠାରୁ ଏଯାଵତ୍ ଵୈଜ୍ଞାନିକଙ୍କ ଦ୍ଵାରା ଚାରିଯୁଗରେ ଗଣନା କରାଯାଇଛି । 

ଆଜକୁ ପ୍ରାୟ ୪୫୪୦ ନିୟୁତ ଵର୍ଷ ତଳେ ସୂର୍ଯ୍ୟର ପ୍ରୋଟୋପ୍ଲାନେଟାରୀ ଡିସ୍କକୁ ଘେରି ରହିଥିଵା ଆଵର୍ଜନାରୁ ପୃଥିଵୀ ସୃଷ୍ଟି ହେଲା । ଵୈଜ୍ଞାନିକମାନେ ୪୫୪୦ ନିୟୁତ ଵର୍ଷଠାରୁ ଏଯାଵତ୍ ପର୍ଯ୍ୟନ୍ତ ପୃଥିଵୀର ଆୟୁକୁ ଚାରିଯୁଗରେ ଵିଭକ୍ତ କରିଛନ୍ତି । 

(କ)Hadean(୪୫୪୦ରୁ ୪୦୦୦ ନିୟୁତ ଵର୍ଷ)
(ଖ)Archean (୪୦୦୦ରୁ ୨୫୦୦ ନିୟୁତ ଵର୍ଷ)
(ଗ)Proterozoic(୨୫୦୦ରୁ ୫୩୮.୮ ନିୟୁତ ଵର୍ଷ)
(ଘ)Phanerozoic(୫୩୮.୮ ନିୟୁତ ଵର୍ଷଠାରୁ ଵର୍ତ୍ତମାନ ସମୟକାଳ)

Hadean ଯୁଗ ପ୍ରାୟ ୪୫୪୦ ନିୟୁତ ଵର୍ଷରୁ ୪୦୦୦ ନିୟୁତ ଵର୍ଷ ପୂର୍ବ ପର୍ଯ୍ୟନ୍ତ ଵ୍ୟାପିଥିଲା । ଏହା ପୃଥିଵୀର ସବୁଠାରୁ ପ୍ରାଚୀନ ଭୂତାତ୍ତ୍ୱିକ ଯୁଗ ଭାବେ ପରିଚିତ। ଏହି ସମୟ ପୃଥିଵୀର ଗଠନ ଓ ପ୍ରାରମ୍ଭିକ ଵିକାଶର ଏକ ନାଟକୀୟ ଅଧ୍ୟାୟ ଥିଲା, ଯେତେବେଳେ ଆମର ଗ୍ରହ ଏକ ଅଗ୍ନିମୟ, ଅସ୍ଥିର ଓ ଜୀଵନ ପାଇଁ ଅନୁପଯୁକ୍ତ ଅବସ୍ଥାରେ ଥିଲା। Hadean ଯୁଗର ନାମ ଗ୍ରୀକ୍ ପୁରାଣରୁ ଆସିଛି, ଯାହାର ଅର୍ଥ "ନର୍କ ପରି" ପରିଵେଶ ଅଟେ ‌। ଏହି ନାମକରଣ ତତ୍କାଳୀନ ସମୟର ଚରମ ଓ ଅସ୍ଥିର ଅଵସ୍ଥାକୁ ସୂଚାଇ ଦିଏ। "Hadean" ଶବ୍ଦଟି ୧୯୭୨ରେ ଭୂତତ୍ତ୍ୱଵିଦ ପ୍ରେଷ୍ଟନ କ୍ଲାଉଡ୍ (Preston Cloud) ଦ୍ୱାରା ପ୍ରଥମେ ପ୍ରସ୍ତାଵିତ ହୋଇଥିଲା। Hadean ଯୁଗରେ ଅନେକ ମୁଖ୍ୟ ଘଟଣା ଘଟିଥିଲା, ଯାହା ପୃଥିଵୀକୁ ଏକ ଜୀଵନଯୋଗ୍ୟ ଗ୍ରହରେ ପରିଣତ କରିଵାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା।

ପ୍ରଥମ ମୁଖ୍ୟ ଘଟଣା ଥିଲା ପୃଥିଵୀର ଗଠନ। ସୂର୍ଯ୍ୟଙ୍କୁ ଘେରି ରହିଥିଵା ପ୍ରୋଟୋପ୍ଲାନେଟାରୀ ଡିସ୍କରେ ଧୂଳି ଓ ଗ୍ୟାସର କଣିକାମାନ ପରସ୍ପର ସହ ସଂଘର୍ଷ ଓ ସଂଯୁକ୍ତି ମାଧ୍ୟମରେ ପୃଥିଵୀର ଗଠନ ହୋଇଥିଲା। ଏହି ପ୍ରକ୍ରିୟାକୁ "Accretion(ଅଭିବୃଦ୍ଧି)" କୁହାଯାଏ। ଏହି ସମୟରେ ପୃଥିଵୀ ଏକ ଗଳିତ ଅଗ୍ନିଗୋଳକ ଥିଲା ଯେଉଁଠାରେ ଉଚ୍ଚ ତାପମାତ୍ରା ଓ ଅସ୍ଥିର ଅଵସ୍ଥା ପରିଲକ୍ଷିତ ହେଉଥିଲା। ଏହି ଗଳିତ ଅଵସ୍ଥା ପୃଥିଵୀର ଭିତର ଭାଗରେ ଭିନ୍ନ ଭିନ୍ନ ସ୍ତର ଗଠନ କରିଥିଲା, ଯେପରିକି Core(ଭୂ-କ୍ରୋଡ଼), Mantle(ଭୂପ୍ରାଵାର) ଓ ପ୍ରାରମ୍ଭିକ ଭୂତ୍ୱକ।

ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ଚନ୍ଦ୍ରର ଗଠନ। "Giant Impact Hypothesis" ଅନୁସାରେ ମଙ୍ଗଳ ଗ୍ରହ ଆକାରର ଥିଆ Thia ନାମକ ପ୍ରୋଟୋପ୍ଲାନେଟର ପୃଥିଵୀ ସହ ସଂଘର୍ଷ କରିଥିଲା। ଏହି ସଂଘର୍ଷରୁ ନିର୍ଗତ ଆଵର୍ଜନା ପୃଥିବୀକୁ ଘେରି ଏକ ଡିସ୍କ ଗଠନ କରିଥିଲା, ଯାହା ପରଵର୍ତ୍ତୀ ସମୟରେ ଦୁଇଗୋଟି ଚନ୍ଦ୍ରରେ ପରିଣତ ହୋଇଥିଲା। ପରେ ଛୋଟ ଚନ୍ଦ୍ରଟିର ବଡ଼ ଚନ୍ଦ୍ର ସହିତ ସଂଘର୍ଷ ଘଟିଵାରୁ ଆଜିର ଵିଶାଳ ଚନ୍ଦ୍ର ସୃଷ୍ଟି ହୋଇଛି ।‌ ଏହିକାରଣରୁ ଚନ୍ଦ୍ରର ଏକପାଖର ଭୂଭାଗ ଅନ୍ୟପାଖ ଅପେକ୍ଷା ଅଧିକ ସଘନ ହୋଇଅଛି । ତେବେ ଚନ୍ଦ୍ରର ସୃଷ୍ଟି ପୃଥିଵୀର ଭୂତାତ୍ତ୍ୱିକ ଵିକାଶ ଓ ଏହାର ଅକ୍ଷୀୟ ନତି ଉପରେ ଗଭୀର ପ୍ରଭାଵ ପକାଇଥିଲା।

ତୃତୀୟ ମୁଖ୍ୟ ଘଟଣା ଥିଲା ପ୍ରାରମ୍ଭିକ ଵାୟୁମଣ୍ଡଳ ଓ ମହାସାଗରର ଗଠନ। Hadean ଯୁଗରେ ପୃଥିଵୀର ଵାୟୁମଣ୍ଡଳ ମୁଖ୍ୟତଃ ଜଳୀୟ ବାଷ୍ପ, କାର୍ବନ୍ ଡାଇଅକ୍ସାଇଡ୍, ମିଥେନ ଓ ଆମୋନିଆ ଭଳି ଗ୍ୟାସରୁ ଗଠିତ ଥିଲା, ଯାହା ଆଗ୍ନେୟ ଉଦ୍ଗିରଣ ଓ ଧୂମକେତୁ ସଂଘର୍ଷ ମାଧ୍ୟମରେ ଆସିଥିଲା। ପୃଥିଵୀ ଥଣ୍ଡା ହେଵା ସହ ଜଳୀୟ ବାଷ୍ପ ଘନୀଭୂତ ହୋଇ ଵର୍ଷାରେ ପରିଣତ ହେଲା, ଯାହା ପ୍ରାରମ୍ଭିକ ମହାସାଗର ଗଠନରେ ସହାୟକ ହେଲା। କିଛି ଜଳ ଧୂମକେତୁ ଓ ଉଲ୍କାପିଣ୍ଡ ମାଧ୍ୟମରେ ମଧ୍ୟ ପୃଥିଵୀକୁ ଆସିଥିଲା। କିଛି ଜଳ ଆରମ୍ଭରୁ ହିଁ ପୃଥିଵୀରେ ଅନ୍ୟାନ୍ୟ ଦରଵ ସହିତ ମିଶିକରି ଥିଲା ଏଵଂ ପରେ ପ୍ରାକୃତିକ ଵିପର୍ଯ୍ୟୟ ଯୋଗୁଁ ବାଷ୍ପିଭୂତ ହୋଇ ତରଳ ଓ କଠିନ ରୂପେ ପୃଥିଵୀରେ ଜମା ହେଲା । 

ଚତୁର୍ଥ ଘଟଣା ଥିଲା Late Heavy Bombardment, ଯେଉଁଥିରେ ପୃଥିଵୀ ଓ ଚନ୍ଦ୍ର ଉପରେ ଅସଂଖ୍ୟ ଉଲ୍କାପିଣ୍ଡ ଓ ଧୂମକେତୁ ସଂଘର୍ଷ ହୋଇଥିଲା। ଏହା ପୃଥିଵୀର ଭୂତ୍ୱକ ଉପରେ ଵିଶାଳ ଗର୍ତ୍ତ ସୃଷ୍ଟି କରିଥିଲା ଓ ଏହାର ପରିଵେଶକୁ ଆହୁରି ଅସ୍ଥିର କରିଥିଲା। ଏହି ସମୟରେ ଜୀଵନର ପ୍ରାରମ୍ଭିକ ଚିହ୍ନ ଦେଖାଯାଇନଥିଲା, କିନ୍ତୁ ଏହି ଘଟଣାଗୁଡ଼ିକ ପରଵର୍ତ୍ତୀ ଯୁଗରେ ଜୀଵନର ଉତ୍ପତ୍ତି ପାଇଁ ରାସାୟନିକ ପରିଵେଶ ପ୍ରସ୍ତୁତ କରିଥିଲା।

Hadean ଯୁଗରେ ପୃଥିଵୀର ଗଳିତ ଅଵସ୍ଥା ଧୀରେ ଧୀରେ ଥଣ୍ଡା ହେଵା ଆରମ୍ଭ ହୋଇଥିଲା, ଯାହା ଫଳରେ ଏକ ପତଳା ଓ ଅସ୍ଥାୟୀ ଭୂତ୍ୱକ (crust) ଗଠିତ ହୋଇଥିଲା। ଏହି ପ୍ରାରମ୍ଭିକ ଭୂତ୍ୱକ ମୁଖ୍ୟତଃ ବାସାଲ୍ଟିକ ପ୍ରକୃତିର ଥିଲା ଏଵଂ ଅନେକ ସମୟରେ ଉଲ୍କାପିଣ୍ଡ ସଂଘର୍ଷ ଦ୍ୱାରା ଧ୍ୱଂସ ହେଉଥିଲା। ତଥାପି, ଏହା ପୃଥିଵୀର ଭୂତାତ୍ତ୍ୱିକ ସ୍ଥିରତା ଆଡ଼କୁ ଏକ ପ୍ରାରମ୍ଭିକ ପଦକ୍ଷେପ ଥିଲା। zircon crystals ଯାହା ଆଜି ପଶ୍ଚିମ ଅଷ୍ଟ୍ରେଲିଆରେ ମିଳିଛି, ଏହି ଯୁଗରୁ ଅଵଶେଷ ଭାବେ ରହିଛି ଏଵଂ ପ୍ରାୟ ୪୪୦୦ ନିୟୁତ ଵର୍ଷ ପୁରୁଣା, ଯାହା ଏକ ପ୍ରାରମ୍ଭିକ ଭୂତ୍ୱକର ଉପସ୍ଥିତିକୁ ସୂଚାଇ ଦିଏ।

Hadean ଯୁଗରେ ପୃଥିଵୀର ଅନ୍ତଃସ୍ଥ ଅଂଶ ଅତ୍ୟନ୍ତ ଉତ୍ତପ୍ତ ଥିଲା, ଯାହା ଫଳରେ ତୀଵ୍ର ଆଗ୍ନେୟ ଉଦ୍ଗିରଣ ଘଟୁଥିଲା। ଏହି ଆଗ୍ନେୟ ପର୍ଵତଗୁଡ଼ିକ ଜଳୀୟ ବାଷ୍ପ, କାର୍ବନ ଡାଇଅକ୍ସାଇଡ ଏଵଂ ଅନ୍ୟାନ୍ୟ ଗ୍ୟାସ ନିର୍ଗମନ କରୁଥିଲା, ଯାହା ପୃଥିଵୀର ପ୍ରାରମ୍ଭିକ ବାୟୁମଣ୍ଡଳ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି କାର୍ଯ୍ୟକଳାପ ମହାସାଗର ଗଠନରେ ମଧ୍ୟ ସହାୟକ ହୋଇଥିଲା, କାରଣ ଜଳୀୟ ବାଷ୍ପ ଘନୀଭୂତ ହୋଇ ଜଳରେ ପରିଣତ ହେଉଥିଲା।

ଯଦିଓ Hadean ଯୁଗରେ ଜୀଵନର ସ୍ପଷ୍ଟ ପ୍ରମାଣ ମିଳିନାହିଁ, ଏହି ସମୟରେ ଜୀଵନର ଉତ୍ପତ୍ତି ପାଇଁ ଆଵଶ୍ୟକୀୟ ରାସାୟନିକ ପରିଵେଶ ଗଠନ ଆରମ୍ଭ ହୋଇଥିଲା। ଧୂମକେତୁ ଓ ଉଲ୍କାପିଣ୍ଡ ମାଧ୍ୟମରେ ଜୈଵିକ ଅଣୁ (organic molecules) ଯେପରିକି ଏମିନୋ ଏସିଡ ପୃଥିଵୀକୁ ଆସିଥିଲା। ଏହା ସହ ପ୍ରାରମ୍ଭିକ ମହାସାଗରରେ ରାସାୟନିକ ପ୍ରକ୍ରିୟାରେ ହେଉଥିଵା ହାଇଡ୍ରୋଥର୍ମାଲ ଭେଣ୍ଟ (hydrothermal vents) ଜୀଵନର ପ୍ରାରମ୍ଭିକ ରାସାୟନିକ ଵିକାଶରେ ସହାୟକ ହୋଇଥାଇ ପାରେ।

କିଛି ଵୈଜ୍ଞାନିକ ତଥ୍ୟ ଦ୍ଵାରା ଅନୁମାନ କରାଯାଏ ଯେ Hadean ଯୁଗରେ ପୃଥିଵୀର ଭୂ-କ୍ରୋଡ଼(Core)ରେ ତରଳ ଲୌହ ଓ ନିକେଲର ଗତି ଯୋଗୁଁ ଏକ ପ୍ରାରମ୍ଭିକ ଚୁମ୍ବକୀୟ କ୍ଷେତ୍ର (magnetic field) ଗଠନ ହୋଇଥାଇ ପାରେ। ଏହା ପୃଥିଵୀର ଵାୟୁମଣ୍ଡଳକୁ ସୌର ଵାୟୁ (solar wind) ଦ୍ୱାରା କ୍ଷୟ ହେଵାରୁ ରକ୍ଷା କରିଵାରେ ସହାୟକ ହୋଇଥାଇ ପାରେ, ଯାହା ପରଵର୍ତ୍ତୀ ସମୟରେ ଜୀଵନର ଵିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଯଦିଓ ଆଧୁନିକ ପ୍ଲେଟ ଟେକ୍ଟୋନିକ୍ସ Hadean ଯୁଗରେ ସମ୍ପୂର୍ଣ୍ଣ ରୂପେ ସ୍ଥାପିତ ହୋଇନଥିଲା, କିଛି ଵୈଜ୍ଞାନିକ ଅନୁମାନ କରନ୍ତି ଯେ ଏକ ପ୍ରାରମ୍ଭିକ ରୂପରେ ଭୂତ୍ୱକର ଗତିଶୀଳତା ଆରମ୍ଭ ହୋଇଥାଇ ପାରେ। ଏହା ପୃଥିଵୀର ଭୂତାତ୍ତ୍ୱିକ ଵିକାଶରେ ଏକ ମୁଖ୍ୟ ପଦକ୍ଷେପ ହୋଇଥାଇ ପାରେ।

ଏହି ଘଟଣାଗୁଡ଼ିକ Hadean ଯୁଗରେ ପୃଥିଵୀର ଭୌତିକ ଓ ରାସାୟନିକ ଵିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ପୃଥିଵୀକୁ ପରଵର୍ତ୍ତୀ Archean ଯୁଗରେ ଜୀଵନର ଉତ୍ପତ୍ତି ପାଇଁ ଆଵଶ୍ୟକୀୟ ପରିସ୍ଥିତି ସୃଷ୍ଟି କରିଵାରେ ସହାୟକ ହୋଇଥିଲା। Hadean ଯୁଗର ଅଵଶେଷ ଓ ପ୍ରମାଣ ଅତ୍ୟନ୍ତ ସୀମିତ ହେଲେ ମଧ୍ୟ, ଏହି ଘଟଣାଗୁଡ଼ିକ ଵୈଜ୍ଞାନିକ ଗଵେଷଣା ଓ ଅନୁମାନ ମାଧ୍ୟମରେ ବୁଝାଯାଇଛି।

ଦ୍ଵିତୀୟ ଯୁଗ Archean ପ୍ରାୟ ୪୦୦୦ ନିୟୁତ ଵର୍ଷରୁ ୨୫୦୦ ନିୟୁତ ଵର୍ଷ ପୂର୍ଵେ ଚଳୁଥିଲା ଏଵଂ ଏହା ପୃଥିଵୀର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟକାଳ ଥିଲା। ଏହି ଯୁଗ Hadean ଯୁଗର ଅସ୍ଥିର ଓ ଅଗ୍ନିମୟ ପରିଵେଶରୁ ଏକ ଅଧିକ ସ୍ଥିର ଓ ଜୀଵନଯୋଗ୍ୟ ପୃଥିଵୀ ଆଡ଼କୁ ସଂକ୍ରମଣର ସମୟ ଥିଲା। Archean ଯୁଗରେ ଭୂତାତ୍ତ୍ୱିକ, ରାସାୟନିକ ଓ ଜୈଵିକ ଘଟଣାଗୁଡ଼ିକ ପୃଥିଵୀକୁ ଆମେ ଆଜି ଦେଖୁଥିଵା ଗ୍ରହରେ ପରିଣତ ହେଵାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହି ନାମ ୧୯୭୦ ଦଶକରେ ଭୂତତ୍ତ୍ୱଵିଦମାନଙ୍କ ଦ୍ୱାରା ଵିଶେଷ ଭାବେ ଵ୍ୟଵହାର ହେଲା, କିନ୍ତୁ ଏହାର ପ୍ରାରମ୍ଭିକ ଵ୍ୟଵହାର ୧୯୧୧ରେ ଜେମ୍ସ ଡାନା (James Dana) ଓ ଅନ୍ୟାନ୍ୟ ଭୂତତ୍ତ୍ୱଵିଦମାନଙ୍କ ସହଯୋଗରେ ଆରମ୍ଭ ହୋଇଥିଲା।Archean ଯୁଗର ନାମକରଣ ଗ୍ରୀକ୍‌ ଶବ୍ଦ "ἀρχαῖος"(archaios)ରୁ ହୋଇଛି, ଯାହାର ଅର୍ଥ ହେଉଛି "ପ୍ରାଚୀନ" ଵା "ପୁରାତନ" । ଅନେକଙ୍କ ମନରେ ପ୍ରଶ୍ନ ଆସିଵ Hadean ଯୁଗ ତ ପୃଥିଵୀର ସବୁଠାରୁ ପ୍ରାଚୀନ ଯୁଗ ତେବେ ତତ୍ପରଵର୍ତ୍ତୀ Archean ଯୁଗକୁ କାହିଁକି ଗ୍ରୀକ୍ ଭାଷାର ଶବ୍ଦ ଆଧାରରେ ପ୍ରାଚୀନ ନାଆଁ ଦିଆଯାଇଛି ?

Hadean ଯୁଗ ନିଶ୍ଚିତ ଭାବେ Archean ଯୁଗଠାରୁ ପୁରାତନ କିନ୍ତୁ କିନ୍ତୁ Archean ଯୁଗର ନାମକରଣ ଏହାର ଭୂତାତ୍ତ୍ୱିକ ଗୁରୁତ୍ୱ ଓ ପୃଥିଵୀରେ ପ୍ରଥମ ସ୍ଥିର ମହାଦେଶୀୟ ଭୂତ୍ୱକ(continental crust) ଦେଖା ଦେଇଥିଲା ଏଵଂ ଏ ଯୁଗରେ ଜୀଵନର ଆରମ୍ଭ ମଧ୍ୟ ହୋଇଥିଲା । Hadean ଯୁଗରେ ଏମିତି ଅନେକ ଅସ୍ଥିର ପରିସ୍ଥିତି ଥିଲା ଯାହା ପୃଥିଵୀର ଇତିହାସ ଆରମ୍ଭ ପୂର୍ଵରୁ ହିଁ ଧ୍ଵଂସ କରିପାରିଥାନ୍ତା । ତେଣୁ ବହୁତ ଭାବିଚିନ୍ତି ଵୈଜ୍ଞାନିକମାନେ Archean ଯୁଗର ନାମକରଣ କରିଛନ୍ତି । 

Archean ଯୁଗରେ ପୃଥିଵୀର ଭୂତ୍ୱକ ଅଧିକ ସ୍ଥିର ହେଵାକୁ ଆରମ୍ଭ କରିଥିଲା। Hadean ଯୁଗରେ ଗଠିତ ପତଳା ଓ ଅସ୍ଥାୟୀ ଭୂତ୍ୱକରେ ଅନେକ ପରିଵର୍ତ୍ତନ ଘଟିଥିଲା। ଏହି ସମୟରେ ବାସାଲ୍ଟିକ ଭୂତ୍ୱକ ସହିତ ଗ୍ରାନାଇଟିକ ଭୂତ୍ୱକର ଗଠନ ଆରମ୍ଭ ହୋଇଥିଲା, ଯାହା ଆଜିର ମହାଦେଶୀୟ ଭୂତ୍ୱକର ପୂର୍ଵଗାମୀ ଥିଲା। ଏହି ଗ୍ରାନାଇଟିକ ଭୂତ୍ୱକର ଅଂଶଵିଶେଷ ଆଜି ମଧ୍ୟ "କ୍ରାଟନ" (cratons) ରୂପେ ଵିଦ୍ୟମାନ ଅଛି, ଯେପରିକି କାନାଡାର ଶିଲ୍ଡ ଅଞ୍ଚଳ ଓ ପଶ୍ଚିମ ଅଷ୍ଟ୍ରେଲିଆର ପିଲବାରା କ୍ରାଟନ। ଏହି କ୍ରାଟନଗୁଡ଼ିକ ପୃଥିଵୀର ସବୁଠାରୁ ପୁରାତନ ଶିଳା ଧାରଣ କରେ, ଯାହା ଆମକୁ Archean ଯୁଗର ଭୂତାତ୍ତ୍ୱିକ ଇତିହାସ ବୁଝିଵାରେ ସହାୟକ ହୋଇଛି।

ଏହି ଯୁଗରେ ପ୍ଲେଟ ଟେକ୍ଟୋନିକ୍ସ ସକ୍ରିୟ ହେଵା ସମ୍ଭଵତଃ ଏକ ପ୍ରାରମ୍ଭିକ ରୂପରେ ଦେଖାଦେଇଥିଲା। ଯଦିଓ ଆଧୁନିକ ପ୍ଲେଟ ଟେକ୍ଟୋନିକ୍ସ ସମ୍ପୂର୍ଣ୍ଣ ରୂପେ ସ୍ଥାପିତ ହୋଇନଥିଲା, କିଛି ଵୈଜ୍ଞାନିକ ମତ ଦିଅନ୍ତି ଯେ ଏକ ସରଳ ରୂପରେ ଭୂତ୍ୱକର ଗତିଶୀଳତା ଓ ଅନ୍ତଃଗ୍ରସନ(subduction) ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ମହାଦେଶୀୟ ଭୂତ୍ୱକର ଵୃଦ୍ଧି ଓ ଅଗ୍ନିପର୍ଵତ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିଥିଲା।

Archean ଯୁଗରେ ପୃଥିଵୀର ଅନ୍ତଃସ୍ଥ ଅଂଶ ତଥାପି ମଧ୍ୟ ଉତ୍ତପ୍ତ ଥିଲା ଏଵଂ ତାହା ତୀଵ୍ର ଆଗ୍ନେୟ ଉଦ୍ଗିରଣକୁ ପ୍ରୋତ୍ସାହିତ କରୁଥାଏ। ଏହି ଆଗ୍ନେୟପର୍ଵତଗୁଡ଼ିକ ଜଳୀୟ ବାଷ୍ପ, କାର୍ବନ ଡାଇଅକ୍ସାଇଡ, ମିଥେନ, ଆମୋନିଆ ଓ ଅନ୍ୟାନ୍ୟ ଗ୍ୟାସ ନିର୍ଗମନ କରୁଥିଲେ, ଯାହା ପୃଥିଵୀର ପ୍ରାରମ୍ଭିକ ଵାୟୁମଣ୍ଡଳକୁ ଗଠନ କରିଥିଲା। Hadean ଯୁଗ ତୁଳନାରେ Archean ଯୁଗର ଵାୟୁମଣ୍ଡଳ ଅଧିକ ସ୍ଥିର ହେଉଥିଲା ଯଦିଓ ଏହି ଵାୟୁମଣ୍ଡଳରେ ଅମ୍ଳଜାନ (oxygen) ପ୍ରାୟ ନଗଣ୍ୟ ଥିଲା। ଏହି ଵାୟୁମଣ୍ଡଳ ମୁଖ୍ୟତଃ "ଅପଚାୟକ(reducing)" ପ୍ରକୃତିର ଥିଲା ଯାହା ଜୈଵିକ ଅଣୁଗୁଡ଼ିକର ଗଠନ ପାଇଁ ଅନୁକୂଳ ଥିଲା। ଏହି ଗ୍ୟାସମାନଙ୍କ ମଧ୍ୟରୁ ଜଳୀୟ ବାଷ୍ପ ଘନୀଭୂତ ହୋଇ ଵର୍ଷା ରୂପେ ପୃଥିଵୀକୁ ଫେରିଥିଲା ଫଳତଃ ମହାସାଗରଗୁଡ଼ିକର ଵିସ୍ତାର ଓ ଗଭୀରତା ଵୃଦ୍ଧି ପାଇଥିଲା। Archean ଯୁଗରେ ମହାସାଗରଗୁଡ଼ିକ ପୃଥିଵୀର ପୃଷ୍ଠର ଏକ ଵୃହତ ଅଂଶ ଆଚ୍ଛାଦିତ କରିଥିଲା ଏଵଂ ତାହା ଜୀଵନର ଉତ୍ପତ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିଵେଶ ପ୍ରଦାନ କରିଥିଲା। Archean ଯୁଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ଜୀଵନର ଉତ୍ପତ୍ତି। ଯଦିଓ Hadean ଯୁଗରେ ଜୈଵିକ ଅଣୁଗୁଡ଼ିକର ଗଠନ ଆରମ୍ଭ ହୋଇଥିଲା, Archean ଯୁଗରେ ପ୍ରଥମ ଜୀଵନର ଚିହ୍ନ ଦେଖାଦେଇଥିଲା। ଵୈଜ୍ଞାନିକମାନେ କେତେକ ପ୍ରମାଣ ଆଧାରରେ ଅନୁମାନ କରନ୍ତି ଯେ ପ୍ରାୟ ୩୮୦୦ ନିୟୁତ ଵର୍ଷ ପୂର୍ଵେ ବ୍ୟାକ୍ଟେରିଆ ଭଳି ସରଳ ଏକକୋଷୀ ଜୀଵ (prokaryotes) ସୃଷ୍ଟି ହୋଇଥିଲେ। ଏହି ଜୀଵନ ମୁଖ୍ୟତଃ ମହାସାଗରରେ ଵିଶେଷତଃ hydrothermal vents ନିକଟରେ ଵିକଶିତ ହୋଇଥିଲା ଯେଉଁଠାରେ ଉତ୍ତପ୍ତ ଜଳ ଓ ଖଣିଜ ପଦାର୍ଥ ରାସାୟନିକ ଵିକ୍ରିୟା ପାଇଁ ଅନୁକୂଳ ପରିଵେଶ ପ୍ରଦାନ କରୁଥିଲା।

ତତ୍କାଳୀନ ସମୟର ପ୍ରାରମ୍ଭିକ ଜୀଵମାନେ ଅଣୁଜୀବ (microbes) ଥିଲେ ଯେଉଁମାନେ anaerobic respiration( ଅମ୍ଳଜାନ ବିହୀନ ଶ୍ୱସନ) କରୁଥିଲେ। ସେମାନେ methanogens(ମିଥେନ ଉତ୍ପାଦନକାରୀ) କିମ୍ବା ଅନ୍ୟାନ୍ୟ ରାସାୟନିକ ଶକ୍ତି ଉପରେ ନିର୍ଭରଶୀଳ ଥିଲେ। ପଶ୍ଚିମ ଅଷ୍ଟ୍ରେଲିଆରେ ମିଳିଥିଵା ୩୫୦୦ ନିୟୁତ ଵର୍ଷ ପୁରାତନ ଷ୍ଟ୍ରୋମାଟୋଲାଇଟ (stromatolites) ଏହି ପ୍ରାରମ୍ଭିକ ଜୀଵନର ପ୍ରମାଣ ଵହନ କରେ। ଷ୍ଟ୍ରୋମାଟୋଲାଇଟ ହେଉଛି ସାୟାନୋବ୍ୟାକ୍ଟେରିଆ ଦ୍ୱାରା ଗଠିତ ଶିଳା ସ୍ତର ଏଵଂ ସାୟାନୋବ୍ୟାକ୍ଟେରିଆମାନେ ପୃଥିଵୀର ପ୍ରଥମ ଜୀଵଥିଲେ ଯୋଈମାନେ ଆଲୋକସଂଶ୍ଳେଷଣ (photosynthesis) ମାଧ୍ୟମରେ ଅମ୍ଳଜାନ ଉତ୍ପାଦନ କରୁଥିଲେ।
Archean ଯୁଗର ଶେଷ ଆଡ଼କୁ ଅର୍ଥାତ୍ ଆଜଉ ପ୍ରାୟ ପ୍ରାୟ ୩୦୦୦ ନିୟୁତ ଵର୍ଷ ପୂର୍ଵେ ଆଲୋକସଂଶ୍ଳେଷଣ କରୁଥିଵା ସାୟାନୋବ୍ୟାକ୍ଟେରିଆ ଭଳି ଜୀଵ ଵିକଶିତ ହୋଇଥିଲେ। ସାୟାନୋବ୍ୟାକ୍ଟେରିଆମାନେ ସୂର୍ଯ୍ୟର ଆଲୋକ ଶକ୍ତି ଵ୍ୟଵହାର କରି ଅଙ୍ଗାରକାମ୍ଳ ଓ ଜଳରୁ ଶର୍କରା ଉତ୍ପାଦନ କରୁଥିଲେ, ଯାହାର ଉପଜାତ ଭାବେ ଅମ୍ଳଜାନ ନିର୍ଗମନ ହେଉଥିଲା। ଏହା ପୃଥିଵୀର ଵାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ଵୃଦ୍ଧିର କାରଣ ହୋଇଥିଲା 
ତେବେ ଏହାର ପ୍ରଭାଵ ପରଵର୍ତ୍ତୀ Proterozoic ଯୁଗରେ ଅଧିକ ସ୍ପଷ୍ଟ ହୋଇଥିଲା। ଏହି ଆଲୋକସଂଶ୍ଳେଷଣ ପୃଥିଵୀର ରାସାୟନିକ ପରିଵେଶକୁ ପରିଵର୍ତ୍ତନ କରି ଜୀଵନର ଵିଵିଧତା ବୃଦ୍ଧି ପାଇଁ ପଥ ପ୍ରସ୍ତୁତ କରିଥିଲା।

Archean ଯୁଗରେ ପୃଥିଵୀର ଚୁମ୍ବକୀୟ କ୍ଷେତ୍ର ଅଧିକ ସ୍ଥିର ହୋଇଥିଲା। ପୃଥିଵୀର ତରଳ ବାହ୍ୟ କ୍ରୋଡ଼ରେ ଲୌହ ଓ ନିକେଲର ଗତିଶୀଳତା ଏକ ଡାଇନାମୋ ପ୍ରଭାଵ (dynamo effect) ସୃଷ୍ଟି କରିଥିଲା, ଯାହା ଚୁମ୍ବକୀୟ କ୍ଷେତ୍ର ଉତ୍ପାଦନ କରୁଥିଲା। ଏହି ଚୁମ୍ବକୀୟ କ୍ଷେତ୍ର ପୃଥିଵୀର ଵାୟୁମଣ୍ଡଳକୁ ସୌର ଵାୟୁ ଓ ମହାକାଶୀୟ ଵିକିରଣରୁ ରକ୍ଷା କରିଥିଲା ଏଵଂ ଏହା ଜୀଵନର ଵିକାଶ ଓ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା।

Hadean ଯୁଗରେ ଦେଖାଦେଇଥିଵା ତୀବ୍ର ଉଲ୍କାପିଣ୍ଡ ସଂଘର୍ଷ Archean ଯୁଗରେ ଧୀରେ ଧୀରେ ହ୍ରାସ ପାଇଥିଲା। ଯଦିଓ କିଛି ଵୃହତ ସଂଘର୍ଷ ଘଟୁଥିଲା ତେବେ ତାହାର ତୀଵ୍ରତା Hadean ଯୁଗ ତୁଳନାରେ କମ୍ ଥିଲା। ଏହା ପୃଥିଵୀପୃଷ୍ଠକୁ ଅଧିକ ସ୍ଥିର ହେଵାକୁ ସୁଯୋଗ ପ୍ରଦାନ କରିଥିଲା ଯାହା ଜୀଵନର ଵିକାଶ ଓ ଭୂତାତ୍ତ୍ୱିକ ପ୍ରକ୍ରିୟାଗୁଡ଼ିକ ପାଇଁ ଅନୁକୂଳ ଥିଲା।

Archean ଯୁଗରେ ପୃଥିଵୀର ମହାସାଗର ଓ ଵାୟୁମଣ୍ଡଳରେ ରାସାୟନିକ ଵିଵିଧତା ବୃଦ୍ଧି ପାଇଥିଲା। ଧୂମକେତୁ, ଉଲ୍କାପିଣ୍ଡ ଓ ଆଗ୍ନେୟ ଉଦ୍ଗିରଣ ମାଧ୍ୟମରେ ଵିଭିନ୍ନ ଜୈଵିକ ଅଣୁ ଓ ଖଣିଜ ପଦାର୍ଥ ପୃଥିଵୀପୃଷ୍ଠକୁ ଆସିଥିଲା। ଏହି ରାସାୟନିକ ଵିଵିଧତା ଜୀଵନର ଉତ୍ପତ୍ତି ଓ ଵିକାଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା। ହାଇଡ୍ରୋଥର୍ମାଲ ଵେଣ୍ଟ୍‌ଗୁଡ଼ିକ ଏହି ରାସାୟନିକ ଵିକ୍ରିୟାର କେନ୍ଦ୍ର ଥିଲା ଯେଉଁଠାରେ ଜୈଵିକ ଅଣୁଗୁଡ଼ିକର ସଂଶ୍ଳେଷଣ ହେଉଥିଲା । 

ମୋଟ ଉପରେ କହିଵାକୁ ଗଲେ Archean ଯୁଗ ପୃଥିଵୀର ଇତିହାସରେ ଏକ ଵୈପ୍ଳଵିକ ସମୟକାଳ ଥିଲା କାରଣ ଏହି ସମୟରେ ଭୂତାତ୍ତ୍ୱିକ ଓ ଜୈଵିକ ଵିକାଶ ଏକତ୍ର ହୋଇ ପୃଥିଵୀକୁ ଏକ ଜୀଵନଯୋଗ୍ୟ ଗ୍ରହରେ ପରିଣତ କରିଥିଲା। Archean ଯୁଗ ଶେଷ ହେଲାପରେ ଆଜକୁ ପ୍ରାୟ ୨୫୦୦ ନିୟୁତ ଵର୍ଷ ପୂର୍ଵେ Proterozoic ଯୁଗ ଆରମ୍ଭ ହୋଇ ପ୍ରାୟ ୫୩୮.୮ ନିୟୁତ ଵର୍ଷ ପୂର୍ଵେ ଶେଷ ହୋଇଥିଲା ‌ ।

Proterozoic ଯୁଗରେ Archean ଯୁଗରୁ ଆରମ୍ଭ ହୋଇଥିଵା ଭୂତାତ୍ତ୍ୱିକ ଓ ଜୈଵିକ ପ୍ରକ୍ରିୟାଗୁଡ଼ିକ ଆହୁରି ଵିକଶିତ ହୋଇଥିଲା ଏଵଂ ତତ୍ପରଵର୍ତ୍ତୀ Phanerozoic ଯୁଗରେ ଜୀଵନର ବିସ୍ଫୋରଣ ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲା। "Proterozoic" ଶବ୍ଦଟି ଗ୍ରୀକ୍‌ ଶବ୍ଦ "Protero" (ପୂର୍ଵ) ଓ "Zoe" (ଜୀଵନ)ରୁ ଆସିଛି, ଯାହା ପ୍ରାରମ୍ଭିକ ଜୀଵନର ସମୟକୁ ସୂଚାଏ। ଏହି ନାମ ୧୯୦୦ ଦଶକରେ ଭୂତତ୍ତ୍ୱଵିଦମାନଙ୍କ ଦ୍ୱାରା ପ୍ରଥମେ ଵ୍ୟଵହୃତ ହୋଇଥିଲା।‌


ତେବେ Proterozoic ଯୁଗରେ ଘଟିଥିଵା ମୁଖ୍ୟ ଘଟଣାଗୁଡ଼ିକ କ’ଣ କ’ଣ ଥିଲା ତାହା ବି ଚାଲନ୍ତୁ ଜାଣିଵା । 

Proterozoic ଯୁଗରେ ପୃଥିଵୀର ମହାଦେଶୀୟ ଭୂତ୍ୱକର ଵିକାଶ ତ୍ୱରାନ୍ୱିତ ହୋଇଥିଲା। Archean ଯୁଗରେ ଗଠିତ କ୍ରାଟନଗୁଡ଼ିକ (ପୁରାତନ ଓ ସ୍ଥିର ଭୂତ୍ୱକ) ଏହି ଯୁଗରେ ଏକତ୍ରିତ ହୋଇ ଵୃହତ୍ ମହାଦେଶ ଗଠନ କରିଥିଲା। ଏହି ଯୁଗରେ ପ୍ଲେଟ ଟେକ୍ଟୋନିକ୍ସ ଅଧିକ ସକ୍ରିୟ ହୋଇଥିଲା ଯାହା ମହାଦେଶୀୟ ସଂଘର୍ଷ ଓ ଵିଭାଜନରେ ସହାୟକ ହୋଇଥିଲା। ଏହି ପ୍ରକ୍ରିୟା ଦ୍ୱାରା ଅନେକ supercontinents ଗଠିତ ହୋଇଥିଲା ଓ ଭାଙ୍ଗିଯାଇଥିଲା। ଉଦାହରଣ ସ୍ୱରୂପ, ପ୍ରାୟ ୧୮୦୦ ନିୟୁତ ଵର୍ଷ ପୂର୍ଵେ କଲମ୍ଵିଆ ନାମକ ସୁପରକଣ୍ଟିନେଣ୍ଟ ଗଠିତ ହୋଇଥିଲା, ଯାହା ପରେ ଭାଙ୍ଗି ଯାଇଥିଲା। ଏହା ପରେ, ପ୍ରାୟ ୧୧୦୦ ନିୟୁତ ଵର୍ଷ ପୂର୍ଵେ ରୋଡିନିଆ ନାମକ ଆଉ ଏକ ସୁପରକଣ୍ଟିନେଣ୍ଟ ଗଠିତ ହୋଇଥିଲା, ଯାହା Proterozoic ଯୁଗର ଶେଷ ଆଡ଼କୁ ଭାଙ୍ଗି ଯାଇ ଆଧୁନିକ ମହାଦେଶଗୁଡ଼ିକର ପୂର୍ଵଗାମୀ ସୃଷ୍ଟି କରିଥିଲା। ଏହି ସୁପରକଣ୍ଟିନେଣ୍ଟଗୁଡ଼ିକର ଗଠନ ଓ ଵିଭାଜନ ପୃଥିଵୀର ଭୂତାତ୍ତ୍ୱିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା, ଯାହା ମହାସାଗର ଓ ଭୂମିର ଵିନ୍ୟାସକୁ ପରିଵର୍ତ୍ତନ କରିଥିଲା।

Proterozoic ଯୁଗର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା "Great Oxidation Event" ଵା GOE ଯାହା ପ୍ରାୟ ୨୪୦୦ ରୁ ୨୦୦୦ ନିୟୁତ ଵର୍ଷ ପୂର୍ଵେ ଘଟିଥିଲା। Archean ଯୁଗରେ ଆଲୋକସଂଶ୍ଳେଷଣ କରୁଥିଵା ସାୟାନୋବ୍ୟାକ୍ଟେରିଆ ଅମ୍ଳଜାନ (oxygen) ଉତ୍ପାଦନ ଆରମ୍ଭ କରିଥିଲେ, କିନ୍ତୁ Proterozoic ଯୁଗରେ ଏହାର ପରିମାଣ ନାଟକୀୟ ଭାବେ ଵୃଦ୍ଧି ପାଇଥିଲା। ଏହି ଅମ୍ଳଜାନ ପୃଥିଵୀର ଵାୟୁମଣ୍ଡଳ ଓ ମହାସାଗରରେ ଜମା ହେଵାକୁ ଆରମ୍ଭ କରିଥିଲା, ଯାହା ପୃଥିଵୀର ରାସାୟନିକ ପରିଵେଶକୁ ମୌଳିକ ଭାଵେ ପରିଵର୍ତ୍ତନ କରିଥିଲା। ପ୍ରାରମ୍ଭରେ, ଉତ୍ପାଦିତ ଅମ୍ଳଜାନ ମହାସାଗରରେ ଥିଵା ଲୌହ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ସହ ଵିକ୍ରିୟା କରି ଅକ୍ସାଇଡ ଗଠନ କରୁଥିଲା, ଯାହାର ପ୍ରମାଣ ଆଜି "Banded Iron Formations ଵା BIFs ରୂପେ ଦେଖାଯାଏ। ଏହି BIFs ମହାସାଗରରେ ଅମ୍ଳଜାନର ଵୃଦ୍ଧିର ପ୍ରମାଣ ଵହନ କରେ। ପରେ, ଯେତେଵେଳେ ଏହି ଖଣିଜ ପଦାର୍ଥଗୁଡ଼ିକ ଅମ୍ଳଜାନ ସହ ସଂପୂର୍ଣ୍ଣ ଵିକ୍ରିୟା କରି ସାରିଥିଲା, ଅମ୍ଳଜାନ ଵାୟୁମଣ୍ଡଳରେ ଜମା ହେଵାକୁ ଆରମ୍ଭ କରିଥିଲା। ଏହା ଅଣୁଜୀଵମାନଙ୍କ ମଧ୍ୟରେ ଅମ୍ଳଜାନ-ନିର୍ଭରଶୀଳ ଶ୍ୱସନ ଵା aerobic respiration ଵିକାଶରେ ସହାୟକ ହୋଇଥିଲା, ଯାହା ଜୀଵନର ଵିଵିଧତା ଵୃଦ୍ଧି କରିଥିଲା।

କିନ୍ତୁ ତତ୍କାଳୀନ ଵାୟୁମଣ୍ଡଳରେ ଅମ୍ଳଜାନର ଵୃଦ୍ଧି ଅନେକ ଅଣୁଜୀଵ ପାଇଁ ଵିଷାକ୍ତ ଥିଲା କାରଣ ପୂର୍ଵେ ଅଧିକାଂଶ ଅଣୁଜୀଵ ଅମ୍ଳଜାନମୁକ୍ତ ଵା anaerobic ପରିଵେଶରେ ଵିକଶିତ ହୋଇଥିଲେ। ଏହାକୁ ଏକ "ଅମ୍ଳଜାନ ସଙ୍କଟ" ଵୋଲି ମଧ୍ୟ କୁହାଯାଏ, ଯାହା ଜୀଵନର ଵିଵର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ପରିଵର୍ତ୍ତନ ଆଣିଥିଲା। Proterozoic ଯୁଗରେ ଜୀଵନର ଵିଵିଧତା ନାଟକୀୟ ଭାଵେ ଵୃଦ୍ଧି ପାଇଥିଲା। Archean ଯୁଗରେ ସୃଷ୍ଟି ହୋଇଥିଵା prokaryotesଙ୍କ ଭଳି ଏକକୋଷୀ ଅଣୁଜୀଵମାନେ Proterozoic ଯୁଗରେ ଅଧିକ ଵିକଶିତ ହୋଇଥିଲେ। ଏହି ଯୁଗରେ eukaryotes ନାମକ ଜଟିଳ କୋଷ ଵିଶିଷ୍ଟ ଜୀଵର ଉତ୍ପତ୍ତି ଘଟିଥିଲା, ଯାହାର କୋଷରେ ନ୍ୟୁକ୍ଲିୟସ ଓ ଅନ୍ୟାନ୍ୟ ଅଙ୍ଗାଣୁ ଵା organelles ଥାଏ। ପ୍ରାୟ ୨୦୦୦ ନିୟୁତ ଵର୍ଷ ପୂର୍ଵେ ୟୁକାରିଓଟିକ କୋଷର ଆଵିର୍ଭାଵ ଘଟିଥିଲା, ଯାହା ସମ୍ଭଵତଃ endosymbiosis ପ୍ରକ୍ରିୟା ମାଧ୍ୟମରେ ହୋଇଥିଲା। ଏହି ପ୍ରକ୍ରିୟାରେ ଏକ ପ୍ରୋକାରିଓଟିକ ଜୀଵ (ଯେପରିକି ସାୟାନୋଵ୍ୟାକ୍ଟେରିଆ) ଅନ୍ୟ ଏକ କୋଷ ଭିତରେ ରହି ମାଇଟୋକଣ୍ଡ୍ରିଆ କିମ୍ଵା କ୍ଲୋରୋପ୍ଲାଷ୍ଟ ଭଳି ଅଙ୍ଗାଣୁରେ ପରିଣତ ହୋଇଥିଲା।

ଆଜକୁ ପ୍ରାୟ ୮୦୦-୬୦୦ ନିୟୁତ ଵର୍ଷ ପୂର୍ଵେ Proterozoic ଯୁଗର ଶେଷ ଆଡ଼କୁ ପୃଥିଵୀ ନୂଆ ଯୁଗରେ ପାଦ ଦେଵାକୁ ପ୍ରସ୍ତୁତ ହେଉଥିଲା କାରଣ ଏହି ସମୟରେ ଏକକୋଷୀ ଜୀଵ ଵିଵର୍ତ୍ତିତ ହୋଇ ଵହୁକୋଷୀ ଜୀଵ ରୂପେ ଦେଖାଦେଇଥିଲେ। ଏହି ଜୀଵମାନେ ମୁଖ୍ୟତଃ ସରଳ ଶୈଵାଳ (algae) ଓ ଅନ୍ୟାନ୍ୟ ଏକାକୀ ଵହୁକୋଷୀ ଜୀଵ ଥିଲେ। Ediacaran Biota ପ୍ରାୟ ୬୩୫-୫୩୮.୮ ନିୟୁତ ଵର୍ଷ ପୂର୍ଵେ ଦେଖାଦେଇଥିଵା ପ୍ରଥମ ଜଟିଳ ଵହୁକୋଷୀ ଜୀଵମାନଙ୍କର ପ୍ରମାଣ ଵହନ କରେ। ଏହି ଜୀଵମାନେ ନରମ ଶରୀର ଵିଶିଷ୍ଟ ଥିଲେ ଏଵଂ ମୁଖ୍ୟତଃ ମହାସାଗରରେ ଵାସ କରୁଥିଲେ। ଏହା Phanerozoic ଯୁଗରେ ଜୀଵନର ଵିସ୍ଫୋରଣ (Cambrian Explosion) ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲା।

Proterozoic ଯୁଗରେ ପୃଥିଵୀର ଜଳଵାୟୁରେ ଵୃହତ ପରିଵର୍ତ୍ତନ ଘଟିଥିଲା। ଏହି ଯୁଗରେ Snowball Earth ନାମକ ଅନେକ ଵିଶ୍ୱଵ୍ୟାପୀ ହିମଯୁଗ (global glaciations) ଘଟିଥିଲା ଯେଉଁଥିରେ ପୃଥିଵୀର ପୃଷ୍ଠ ପ୍ରାୟ ସମ୍ପୂର୍ଣ୍ଣ ରୂପେ ହିମମୟ ହୋଇଯାଇଥିଲା। ଏହି ଘଟଣା ମୁଖ୍ୟତଃ ପ୍ରାୟ ୭୫୦-୫୮୦ ନିୟୁତ ଵର୍ଷ ପୂର୍ଵେ ଘଟିଥିଲା, ଯାହାକୁ Cryogenian Glaciations କୁହାଯାଏ। ଏହି ହିମଯୁଗରେ ପୃଥିଵୀର ମେରୁ ଅଞ୍ଚଳରୁ ନିଷ୍କାସନ ଅଞ୍ଚଳ ପର୍ଯ୍ୟନ୍ତ ଵରଫରେ ଆଚ୍ଛାଦିତ ହୋଇଥିଲା।

ଏହି ହିମଯୁଗର କାରଣ ସମ୍ଭଵତଃ ଵାୟୁମଣ୍ଡଳରେ ଗ୍ରୀନହାଉସ ଗ୍ୟାସ (କାର୍ଵନ ଡାଇଅକ୍ସାଇଡ ଇତ୍ୟାଦି) ହ୍ରାସ ଏଵଂ ଅମ୍ଳଜାନର ଵୃଦ୍ଧି ଥିଲା ଯାହା ଜଳଵାୟୁକୁ ଥଣ୍ଡା କରିଥିଲା। ଚରମ ଜଳଵାୟୁ ପରିଵର୍ତ୍ତନ ଜୀଵନ ଉପରେ ଗଭୀର ପ୍ରଭାଵ ପକାଇଥିଲା, କିନ୍ତୁ ଏହା ଜୀଵନର ଵିଵର୍ତ୍ତନକୁ ମଧ୍ୟ ତ୍ୱରାନ୍ୱିତ କରିଥିଲା। ହିମଯୁଗ ପରେଆଗ୍ନେୟ ଉଦ୍ଗିରଣ ମାଧ୍ୟମରେ ଗ୍ରୀନହାଉସ ଗ୍ୟାସ ନିର୍ଗମନ ହେଵା ଦ୍ୱାରା ପୃଥିଵୀ ପୁଣି ଉଷ୍ଣ ହୋଇଥିଲା ଯାହା ଵହୁକୋଷୀ ଜୀଵମାନଙ୍କର ଵିକାଶରେ ସହାୟକ ହୋଇଥିଲା।

Proterozoic ଯୁଗରେ ଆଗ୍ନେୟ ଉଦ୍ଗିରଣ ଜାରି ରହିଥିଲା ଯାହା ଵାୟୁମଣ୍ଡଳ ଓ ମହାସାଗରରେ ଗ୍ୟାସ ଓ ଖଣିଜ ପଦାର୍ଥ ଯୋଗାଇଥିଲା। ମହାସାଗରଗୁଡ଼ିକ ଅଧିକ ଗଭୀର ଓ ଵିସ୍ତୃତ ହୋଇଥିଲା ଯାହା ଜୀଵନର ଵିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିଵେଶ ପ୍ରଦାନ କରିଥିଲା। ହାଇଡ୍ରୋଥର୍ମାଲ ଵେଣ୍ଟ୍‌ଗୁଡ଼ିକ ଏହି ଯୁଗରେ ମଧ୍ୟ ଜୀଵନର ଵିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, କାରଣ ଏହା ରାସାୟନିକ ଶକ୍ତି ଓ ଜୈଵିକ ଅଣୁ ଯୋଗାଇଥିଲା।
Proterozoic ଯୁଗରେ ପୃଥିଵୀର ଚୁମ୍ଵକୀୟ କ୍ଷେତ୍ର ଅଧିକ ସ୍ଥିର ହୋଇଥିଲା ଯାହା ଵାୟୁମଣ୍ଡଳକୁ ସୌର ଵାୟୁ ଓ ମହାକାଶୀୟ ଵିକିରଣରୁ ରକ୍ଷା କରିଥିଲା। ଏହା ଜୀଵନର ଵିକାଶ ଓ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଏହା ଵାୟୁମଣ୍ଡଳରେ ଅମ୍ଳଜାନ ଓ ଅନ୍ୟାନ୍ୟ ଗ୍ୟାସଗୁଡ଼ିକର ସଂରକ୍ଷଣରେ ସହାୟକ ହୋଇଥିଲା।

ପୃଥିଵୀର ତୃତୀୟ ଯୁଗ - Proterozoic ଯୁଗରେ ଅନେକ ମହତ୍ତ୍ୱପୂର୍ଣ୍ଣ ଘଟଣା ଘଟିତ ହୋଇଥିଲା ତେବେ ପୃଥିଵୀରେ ସେତେବେଳେ ଆଜି ଭଳି ବଡ଼ ବଡ଼ ଜୀଵ ନଥିଲେ । ଏ ଯୁଗରେ ମାଛ କିମ୍ବା ସରୀସୃପ ଭଳି ଖାଲି ଆଖିରେ ଦେଖାଯାଉଥିଵା ବଡ଼ ଆକାରର ଜୀଵ ନଥିଲେ। ଜୀଵନ ମୁଖ୍ୟତଃ ଅଣୁଜୀଵ ଓ ସରଳ ବହୁକୋଷୀ ଜୀଵଙ୍କ ରୂପରେ ସୀମିତ ଥିଲା। ବଡ଼ ଓ ଜଟିଳ ଜୀଵମାନଙ୍କର ଵିକାଶ ପରଵର୍ତ୍ତୀ Phanerozoic ଯୁଗରେ ହିଁ ହୋଇଥିଲା।

Proterozoic ଯୁଗ ପରେ ଆଜକୁ ପ୍ରାୟ ୫୩୮.୮ ନିୟୁତ ଵର୍ଷ ପୂର୍ଵେ Phanerozoic ଯୁଗ ଆରମ୍ଭ ହୋଇ ଵର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି । ଏହି Phanerozoic ଯୁଗ ପୃଥିଵୀ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଜୀଵନମୟ ସମୟକାଳ ଅଟେ। "Phanerozoic" ନାମ ଗ୍ରୀକ ଶବ୍ଦ "phaneros" (ଦୃଶ୍ୟ) ଓ "zoe" (ଜୀଵନ) ରୁ ଆସିଛି ଯାହା ଏହି ଯୁଗରେ ଦୃଶ୍ୟମାନ ଜୀଵନର ଵିପୁଳ ଵିକାଶକୁ ପ୍ରକାଶ କରିଥାଏ । ଏହି ନାମ ୧୮୩୫ରେ ଜନ୍‌ ଫିଲିପ୍ସ (John Phillips)ଙ୍କ ଦ୍ୱାରା ପ୍ରସ୍ତାଵିତ ହୋଇଥିଲା। 

Phanerozoic ଯୁଗକୁ ତିନୋଟି ପ୍ରମୁଖ ଉପଯୁଗରେ ବିଭକ୍ତ କରାଯାଇଛି: •Paleozoic(୫୩୮.୮-୨୫୧.୯ ନିୟୁତ ଵର୍ଷ ପୂର୍ଵେ)
•Mesozoic(୨୫୧.୯-୬୬ ନିୟୁତ ଵର୍ଷ ପୂର୍ଵେ)
•Cenozoic(୬୬ ନିୟୁତ ଵର୍ଷ ପୂର୍ଵରୁ ଵର୍ତ୍ତମାନ ପର୍ଯ୍ୟନ୍ତ)। 

ପୃଥିଵୀର ଚତୁର୍ଥ ଯୁଗ - Phanerozoic ଯୁଗର ଆରମ୍ଭରେ, Paleozoic ଉପଯୁଗର Cambrian କାଳ(୫୩୮.୮-୪୮୫.୪ ନିୟୁତ ଵର୍ଷ ପୂର୍ଵେ) ମଧ୍ୟରେ କାମ୍ବ୍ରିଆନ ଵିସ୍ଫୋରଣ ନାମକ ଏକ ଐତିହାସିକ ଘଟଣା ଘଟିଥିଲା। ଏହି ସମୟରେ, ଅତି ଅଳ୍ପ ସମୟ ମଧ୍ୟରେ (ଭୂତାତ୍ତ୍ୱିକ ଦୃଷ୍ଟିରୁ ୨୦-୨୫ ନିୟୁତ ଵର୍ଷ), ଜୀଵନର ଵିଵିଧତା ନାଟକୀୟ ଭାବେ ଵୃଦ୍ଧି ପାଇଥିଲା। ଟ୍ରାଇଲୋବାଇଟ୍ସ (trilobites), ମୋଲସ୍କ (molluscs) ଭଳି ବହୁକୋଷୀ ଜୀଵ ଏଵଂ ଅନ୍ୟାନ୍ୟ ଅମେରୁଦଣ୍ଡୀ ପ୍ରାଣୀ (invertebrates) ମହାସାଗରରେ ସୃଷ୍ଟି ହେଲେ। କାମ୍ବ୍ରିଆନ ଵିସ୍ଫୋରଣ ପଛରେ କାରଣ ଥିଲା ଅମ୍ଳଜାନର ଵୃଦ୍ଧି, ଜଳଵାୟୁ ସ୍ଥିରତା ଓ ଜୈଵ ଵିଵର୍ତ୍ତନରେ କଠିନ କଙ୍କାଳ ଓ ଶରୀର ଗଠନର ଵିକାଶ ଆଦି ନୂତନ ଅନୁକୂଳନ । ଏହା ପୃଥିଵୀରେ ଜଟିଳ ଜୀଵନର ଆଧାର ସ୍ଥାପନ କରିଥିଲା।

Paleozoic ଉପଯୁଗରେ ମେରୁଦଣ୍ଡୀ ପ୍ରାଣୀ (vertebrates)ମାନଙ୍କର ମଧ୍ୟ ଉତ୍ପତ୍ତି ଘଟିଥିଲା। Ordovician କାଳ (୪୮୫.୪-୪୪୩.୮ ନିୟୁତ ଵର୍ଷ ପୂର୍ଵେ) ମଧ୍ୟରେ
agnathans ଭଳି ପ୍ରାଥମିକ ଶ୍ରେଣୀର ମାଛ ଦେଖାଦେଇଥିଲେ। ଏହାପରେ ମାଛଙ୍କର ଏତେ ଜାତି ଦେଖାଗଲା ଯେ Devonian କାଳ (୪୧୯.୨-୩୫୮.୯ ନିୟୁତ ଵର୍ଷ ପୂର୍ଵେ)କୁ ଆଜି "ମାଛର ଯୁଗ" ଵା "Age of Fishes" କୁହାଯାଉଛି । ଏହି ସମୟରେ jawed fish ଓ ପ୍ରଥମ ଉଭୟଚର ଵା amphibians ଵିକଶିତ ହୋଇଥିଲେ। ପରେ ଉଭୟଚରମାନେ ଜଳରୁ ସ୍ଥଳଭାଗକୁ ସଂକ୍ରମଣର ଆରମ୍ଭ କରିଥିଲେ ଯାହା ପରଵର୍ତ୍ତୀ ସମୟରେ ସରୀସୃପ, ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଵିକାଶରେ ସହାୟକ ହୋଇଥିଲା।

Paleozoic ଉପଯୁଗର Carboniferous ଓ Permian କାଳ(୩୫୮.୯-୨୫୧.୯ ନିୟୁତ ଵର୍ଷ ପୂର୍ଵ) ମଧ୍ୟରେ ସ୍ଥଳଭାଗରେ ଜୀଵନର ଵିକାଶ ତ୍ୱରାନ୍ୱିତ ହୋଇଥିଲା। ଫର୍ନ, ଲାଇକୋଫାଇଟ ଓ ଅନ୍ୟାନ୍ୟ ଉଦ୍ଭିଦଯୁକ୍ତ ଵୃହତ ଵନଜଙ୍ଗଲ ସ୍ଥଳଭାଗକୁ ଆଚ୍ଛାଦିତ କରି ରଖିଥିଲା। ଏହି ସମୟର ଉଦ୍ଭିଦମାନେ ପ୍ରଚୁର ପରିମାଣରେ ଅମ୍ଳଜାନ ଉତ୍ପାଦନ କରି ଵାୟୁମଣ୍ଡଳରେ ଅମ୍ଳଜାନର ପରିମାଣକୁ ବୃଦ୍ଧି କରିଥିଲେ । ଅମ୍ଳଜାନ ଵୃଦ୍ଧି ଯୋଗୁଁ ସେ ସମୟରେ ଵୃହତ ଆକାରର ପୋକ ଦେଖା ଦେଇଥିଲେ । ଆଜି ଆମେ ଦେଖୁଥିଵା କଙ୍କିଙ୍କ ପୂର୍ଵଜ ସେତେବେଳେ ସତୁରୀ ସେଣ୍ଟିମିଟର ଆକାରର ହେଉଥିଲେ ‌। ଏହି ସମୟରେ ମଧ୍ୟ ପ୍ରଥମ ସରୀସୃପମାନଙ୍କର ଵିକାଶ ହୋଇଥିଲା। ଏହି ସମୟରେ ଵନଜଙ୍ଗଲର ଜୈଵ ପଦାର୍ଥ ଜମା ହୋଇଥିଲା । ଆମେ ଆଜି ଯେଉଁ କୋଇଲା ଜାଳୁଛନ୍ତି ତାହା ସେସମୟର ଗଛମାନଙ୍କର ଅଵଦାନ ଥିଲା । 

Phanerozoic ଯୁଗରେ ପୃଥିଵୀର ଜଳଵାୟୁ ଓ ଭୂତାତ୍ତ୍ୱିକ ପରିଵେଶ ଅନେକ ପରିଵର୍ତ୍ତନର ସାକ୍ଷୀ ହୋଇଛି। Paleozoic ଯୁଗରେ Ordovician-Silurian ଓ Carboniferous-Permian ଆଦି ଅନେକ ହିମଯୁଗ ଦେଖାଦେଇଥିଲା ‌ Mesozoic ଯୁଗ ଅଧିକ ଉଷ୍ଣ ଥିଲା, ଯାହା ଡାଇନୋସର ଓ ଉଦ୍ଭିଦଜଗତର ଵିକାଶରେ ସହାୟକ ହୋଇଥିଲା। Cenozoic ଯୁଗରେ ପୃଥିଵୀ ଧୀରେ ଧୀରେ ଥଣ୍ଡା ହେଵାକୁ ଆରମ୍ଭ କରିଥିଲା ଯାହା Quaternary କାଳରେ ଅନେକ ହିମଯୁଗର କାରଣ ହୋଇଥିଲା।

ଭୂତାତ୍ତ୍ୱିକ ଦୃଷ୍ଟିରୁ, Pangea ନାମକ ସୁପରକଣ୍ଟିନେଣ୍ଟ Paleozoic ଯୁଗରେ ଗଠିତ ହୋଇଥିଲା ଓ Mesozoic ଯୁଗରେ ଭାଙ୍ଗି ଆଧୁନିକ ମହାଦେଶଗୁଡ଼ିକରେ ପରିଣତ ହୋଇଥିଲା। Cenozoic ଯୁଗରେ ହିମାଳୟ ପର୍ଵତର ଗଠନ ଭାରତ ଓ ୟୁରେସିଆ ପ୍ଲେଟର ସଂଘର୍ଷ ଯୋଗୁଁ ଘଟିଥିଲା।

Phanerozoic ଯୁଗରେ ପୃଥିଵୀର ଵାୟୁମଣ୍ଡଳ ଅଧିକ ଅମ୍ଳଜାନ-ସମୃଦ୍ଧ ହୋଇଥିଲା। Paleozoic ଯୁଗରେ ଉଦ୍ଭିଦମାନଙ୍କର ଵିସ୍ତାର ଅମ୍ଳଜାନର ପରିମାଣକୁ ଵୃଦ୍ଧି କରିଥିଲା, ଯାହା ଜଟିଳ ଜୀଵନର ଵିକାଶରେ ସହାୟକ ହୋଇଥିଲା। Cenozoic ଯୁଗରେ ଵାୟୁମଣ୍ଡଳର ଗଠନ ଆଧୁନିକ ଅଵସ୍ଥାରେ ପହଞ୍ଚିଥିଲା, ଯେଉଁଥିରେ ଅମ୍ଳଜାନ (୨୧%) ଓ ନାଇଟ୍ରୋଜେନ (୭୮%) ମୁଖ୍ୟ ଅଂଶ ହୋଇଥିଲା ।

ତେବେ Phanerozoic ଯୁଗରେ ଅନେକ ଵୃହତ ଵିଲୁପ୍ତି (mass extinctions) ମଧ୍ୟ ଘଟିଥିଲା ଯାହା ଜୀଵନର ଵିଵର୍ତ୍ତନକୁ ଗଭୀର ଭାବେ ପ୍ରଭାଵିତ କରିଥିଲା। 

ଆଜକୁ ପ୍ରାୟ ୪୪୩ ନିୟୁତ ଵର୍ଷ ପୂର୍ଵେ ଓର୍ଡୋଭିସିଆନ୍-ସିଲୁରିଆନ୍ ଵିଲୁପ୍ତି( Ordovician-Silurian Extinction) ଘଟିଥିଲା ଫଳତଃ ପୃଥିଵୀରେ ପ୍ରାୟ ୮୫% ଜାତିର ଜୀଵ ପୂର୍ଣ୍ଣତଃ ଵିଲୁପ୍ତ ହୋଇଯାଇଥିଲା, ମୁଖ୍ୟତଃ ଜଳଵାୟୁ ପରିଵର୍ତ୍ତନ ଓ ହିମଯୁଗ ଯୋଗୁଁ ଏପରି ଘଟିଥିଲା । ଏହାପରେ ଆଜକୁ ପ୍ରାୟ ୩୭୫-୩୬୦ ନିୟୁତ ଵର୍ଷ ପୂର୍ଵେ ଦେଵୋନିଆନ୍ ଵିଲୁପ୍ତି(Devonian Extinction) ଘଟିଥିଲା । ଏହା ସାମୁଦ୍ରିକ ଜୀଵନ ଵିଶେଷତଃ ମାଛ ଓ ପ୍ରଵାଳ ଜାତିକୁ ପ୍ରଭାଵିତ କରିଥିଲା।
ତତ୍ପରେ ଆଜକୁ ପ୍ରାୟ ୨୫୧.୯ ନିୟୁତ ଵର୍ଷ ପୂର୍ଵେ ଘଟିତ ପରମିଆନ୍ ଟ୍ରିଇଆସିକ୍ ଵିଲୁପ୍ତି(Permian-Triassic Extinction) ପୃଥିଵୀର ସବୁଠାରୁ ଵୃହତ ଵିଲୁପ୍ତି ଘଟଣା ଥିଲା । ଏହି ଵିଲୁପ୍ତି ଯୋଗୁଁ ପ୍ରାୟ ୯୬% ସାମୁଦ୍ରିକ ଓ ୭୦% ସ୍ଥଳଚର ଜାତି ପୃଥିଵୀରୁ ଵିଲୁପ୍ତ ହୋଇଯାଇଥିଲେ। ଭୀଷଣ ଆଗ୍ନେୟ ଉଦ୍ଗିରଣ, ଜଳଵାୟୁ ପରିଵର୍ତ୍ତନ ତଥା ଅମ୍ଳଜାନ ହ୍ରାସ ଏହି ଵିଲୁପ୍ତିର ପ୍ରମୁଖ କାରଣ ଥିଲା । ତହୁଁ ୬୬ ନିୟୁତ ଵର୍ଷ ପୂର୍ଵେ କ୍ରେଟେସିଅସ୍ ପେଲିଓଜେନ୍ ଵିଲୁପ୍ତି(Cretaceous-Paleogene Extinction) ଯୋଗୁଁ ଡାଇନୋସର ତଥା ଅନ୍ୟ ଅନେକ ଅନ୍ୟ ଜାତିର ଵିଲୁପ୍ତି ଘଟିଥିଲା । ଏହି ଵିଲୁପ୍ତି Chicxulub impact ନାମରେ କୁଖ୍ୟାତ ଵୃହତ ଉଲ୍କାପିଣ୍ଡ ସଂଘର୍ଷ ଯୋଗୁଁ ଘଟିଥିଲା।

Phanerozoic ଯୁଗରେ ଏହି ଵିଲୁପ୍ତି ଘଟଣାଗୁଡ଼ିକ ଜୀଵନର ଵିଵର୍ତ୍ତନକୁ ନୂତନ ଦିଗରେ ମୋଡ଼ିଥିଲା, ନୂତନ ଜାତିମାନଙ୍କୁ ଵିକାଶର ସୁଯୋଗ ପ୍ରଦାନ କରିଥିଲା।

ଆଜକୁ ପ୍ରାୟ ୨୫୧.୯-୬୬ ନିୟୁତ ଵର୍ଷ ପୂର୍ଵେ Mesozoic ଉପଯୁଗ ଥିଲା ଏଵଂ ଏହି ଉପଯୁଗର "Dinosaur era"ରେ
ସରୀସୃପମାନଙ୍କର ଵିଶେଷତଃ ଡାଇନୋସର ମାନଙ୍କର ଆଧିପତ୍ୟ ଦେଖାଦେଇଥିଲା। Triassic, Jurassic, ଓ Cretaceous କାଳ ମଧ୍ୟରେ ଡାଇନୋସରମାନେ Sauropods,Brachiosaurus ଓ Theropods ଆଦି ଵିଭିନ୍ନ ଆକାର ଓ ପ୍ରକାରରେ ଵିକଶିତ ହୋଇଥିଲେ ।‌ ଏହି ସମୟରେ Archaeopteryx ଭଳି ପ୍ରଥମ ପକ୍ଷୀମାନେ ମଧ୍ୟ ଵିକଶିତ ହୋଇଥିଲେ । 

Cretaceous କାଳରେ ସପୁଷ୍ପକ ଉଦ୍ଭିଦ ଦେଖାଦେଇଥିଲେ ଯାହା ପରାଗସଂଚାରୀ ପୋକ ଓ ଅନ୍ୟ ପ୍ରାଣୀମାନଙ୍କ ସହ ଜୈଵିକ ସମ୍ପର୍କ ଗଢ଼ିଥିଲା। ଏହି ଉଦ୍ଭିଦଗୁଡ଼ିକ ପରିଵେଶରେ ଖାଦ୍ୟ ଶୃଙ୍ଖଳାକୁ ଅଧିକ ଜଟିଳ କରିଥିଲେ।

ଡାଇନୋସରମାନଙ୍କର ଵିଲୁପ୍ତି ପରେ Cenozoic ଉପଯୁଗ (୬୬ ନିୟୁତ ଵର୍ଷ ପୂର୍ଵରୁ ଵର୍ତ୍ତମାନ)ରେ ପୃଥିଵୀରେ ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଆଧିପତ୍ୟର ଯୁଗ ଆରମ୍ଭ ହେଲା । ଆଜକୁ ପ୍ରାୟ ୬୬ ନିୟୁତ ଵର୍ଷ ଵା ଛଅ କୋଟି ଷାଠିଏ ଲକ୍ଷ ଵର୍ଷ ତଳେ Cretaceous-Paleogene ଵିଲୁପ୍ତି ପରେ ଡାଇନୋସରମାନଙ୍କର ଅଵସାନ ହେଵା ଦ୍ୱାରା ସ୍ତନ୍ୟପାୟୀମାନେ ଵିକାଶ ଲାଭ କରିଵାରେ ସୁଯୋଗ ପାଇଥିଲେ। Paleogene ଓ Neogene କାଳରେ ତିମି,ହାତୀ,ଘୋଡ଼ା ଓ ପ୍ରାଇମେଟ ଆଦି ଵିଭିନ୍ନ ସ୍ତନ୍ୟପାୟୀ ଵିକଶିତ ହୋଇଥିଲେ।

ପ୍ରାଇମେଟ୍ସଙ୍କ ଵିକାଶ ପ୍ରାୟ ୬୬ ନିୟୁତ ବର୍ଷ ପୂର୍ଵେ ପେଲିଓସିନ୍ କଳ୍ପ(Paleocene Epoch)ରେ ଆରମ୍ଭ ହୋଇଥିଲା। ଏହି ସମୟରେ Plesiadapiformes ନାମକ ଆଦିମ ପ୍ରାଇମେଟ୍ସ ରୂପ ଦେଖାଗଲା। ଏମାନେ ଛୋଟ ଆକାରର, ଵୃକ୍ଷଵାସୀ ଜୀଵ ଥିଲେ ଏଵଂ ଏମାନଙ୍କର ବୃହତ୍ ଆଖି ଓ ନଖର ଵିଶେଷତ୍ୱ ରହିଥିଲା ଯାହା ପରଵର୍ତ୍ତୀ ପ୍ରାଇମେଟ୍ସଙ୍କ ପାଇଁ ଆଦିମ ଲକ୍ଷଣ ଥିଲା।

୫୬-୩୩.୯ ନିୟୁତ ଵର୍ଷ ପୂର୍ଵେ ଇଓସିନ୍ କଳ୍ପ(Eocene Epoch)ରେ ପ୍ରକୃତ ପ୍ରାଇମେଟ୍ସର ଵିକାଶ ଘଟିଲା। Adapidae ଓ Omomyidae ଭଳି ଜୀଵ ଏହି ସମୟରେ ଉତ୍ପନ୍ନ ହେଲେ ଯେଉଁମାନେ ଅଧିକ ଵୃହତ୍ ମସ୍ତିଷ୍କ ଓ ସାମାଜିକ ଵ୍ୟଵହାର ପ୍ରଦର୍ଶନ କରୁଥିଲେ। ଏମାନେ ଉତ୍ତର ଆମେରିକା, ଇଉରୋପ ଓ ଏସିଆରେ ଵିସ୍ତାର ଲାଭ କରିଥିଲେ। ଏହି ସମୟରେ ପ୍ରାଇମେଟ୍ସଙ୍କ ଶାରୀରିକ ଗଠନ ଅଧିକ ଵିକଶିତ ହେଲା ଯେପରିକି ଵୃକ୍ଷ ଉପରେ ଚଢ଼ିଵା ଓ ଦୃଷ୍ଟିଶକ୍ତିରେ ଉନ୍ନତି ଇତ୍ୟାଦି।
୩୩.୯-୨୩ ନିୟୁତ ଵର୍ଷ ପୂର୍ଵେ Oligocene କଳ୍ପ( Epoch)ରେ ପୁରାତନ ଵିଶ୍ୱର ଵାନର (Catarrhini) ଓ ଆଦିମ ଵାନର (Hominoidea)ର ଉତ୍ପତ୍ତି ହେଲା। Aegyptopithecus ଭଳି ଜୀଵ ଏହି ସମୟରେ ଦେଖାଗଲେ ଯେଉଁମାନେ ଆଧୁନିକ ଵନର ଓ ମଣିଷର ସାଧାରଣ ପୂର୍ଵପୁରୁଷ ଭାବେ ଵିଵେଚିତ ହୁଅନ୍ତି। ଏହି ଜୀଵମାନେ ଆଫ୍ରିକା ଓ ଏସିଆରେ ଵିକଶିତ ହେଲେ। ଏହି ସମୟରେ ନୂତନ ଵିଶ୍ୱ ଵାନର (Platyrrhini) ମଧ୍ୟ ଦକ୍ଷିଣ ଆମେରିକାରେ ଉତ୍ପନ୍ନ ହେଵାକୁ ଲାଗିଲେ ଯେଉଁମାନେ ପୁରାତନ ଵିଶ୍ୱ ଵାନରଙ୍କଠାରୁ ଅଲଗା ଶାଖାରେ ଵିକଶିତ ହେଲେ।

ଆଜକୁ ପ୍ରାୟ ୨,୩୦,୦୦୦୦୦୦ ଵା ୨୩ ନିୟୁତ ଵର୍ଷରୁ ୫,୦୦୦୦୦୦ ଵର୍ଷ ତଳେ Miocene କଳ୍ପ(Epoch)ରେ ପ୍ରାଇମେଟ୍ସଙ୍କ ଵିଭିନ୍ନତା ବୃଦ୍ଧି ପାଇଲା। Proconsul ଓ Dryopithecus ଜାତୀୟ ଆଧୁନିକ ଵାନର (Hominoidea)ଏହି ସମୟରେ ଵିକଶିତ ହେଲେ। Proconsul ଆଫ୍ରିକାରେ ଏକ ଆଦିମ ଵାନର ଥିଲେ ଯେଉଁମାନେ ମଣିଷ ଓ ଅନ୍ୟ ଵାନରଙ୍କ ସାଧାରଣ ପୂର୍ଵପୁରୁଷ ଭାବେ ଵିଵେଚିତ ହୁଅନ୍ତି। Dryopithecus ଇଉରୋପ ଓ ଏସିଆରେ ଵିକଶିତ ହେଲେ ଏଵଂ ଗରିଲା (Gorilla), ସ଼ିମ୍ପାଞ୍ଜୀ (Pan) ଓ ଓରାଙ୍ଗୁଟାନ (Pongo)ର ପୂର୍ବପୁରୁଷ ଥିଲେ। ଗିବନ (Hylobatidae) ମଧ୍ୟ ଏହି ସମୟରେ ଏକ ଅଲଗା ଶାଖା ଭାବେ ଵିକଶିତ ହେଵାରେ ଲାଗିଲେ ଏଵଂ ଏମାନେ ଏସିଆର ଜଙ୍ଗଲରେ ଵୃକ୍ଷଵାସୀ ଜୀଵନଶୈଳୀ ଅନୁସରଣ କଲେ। ଏହି ସମୟରେ ନୂତନ ଵିଶ୍ୱ ଵାନର (Platyrrhini) ଦକ୍ଷିଣ ଆମେରିକାରେ Cebidae ଓ Atelidae ଆଦି ଅନେକ କୁଳରେ ଵିଵର୍ତ୍ତିତ ହୋଇ ଅଧିକ ଵିଭିନ୍ନତା ଦେଖାଇଲେ । 

ଆଜକୁ ପ୍ରାୟ ୫.୩ ନିୟୁତ ଵର୍ଷ ଵା ୫,୩୦୦୦୦୦ ଵର୍ଷ ତଳେ ପ୍ଲିଓସିନ୍ କଳ୍ପ(Pliocene Epoch)ରେ Hominidaeର ଵିକାଶ ଆରମ୍ଭ ହେଲା।
Sahelanthropus ଓ Ardipithecus ଭଳି ଜୀଵ ଏହି ସମୟରେ ଆଫ୍ରିକାରେ ଦେଖାଗଲେ ଯେଉଁମାନେ ଦ୍ୱିପାଦରେ ଚାଲିଵାର ପ୍ରାରମ୍ଭିକ ଲକ୍ଷଣ ଦର୍ଶାଇଥିଲେ। Australopithecus(Australopithecus afarensis “Lucy”), ଏହି ସମୟରେ ଆଫ୍ରିକାରେ ଵିକଶିତ ହେଲେ। ଏମାନେ ଦ୍ୱିପାଦୀ ଥିଲେ କିନ୍ତୁ ଵାନର-ସଦୃଶ ଵୈଶିଷ୍ଟ୍ୟ ଯେପରିକି ଛୋଟ ମସ୍ତିଷ୍କ ଓ ଲମ୍ବା ବାହୁ ରହିଥିଲା। ଏହି ସମୟରେ ଗରିଲା (Gorilla) ଓ ସ଼ିମ୍ପାଞ୍ଜୀ(Pan)ଙ୍କର ପୂର୍ଵପୁରୁଷମାନେ ଆଫ୍ରିକାରେ ଏକ ଅଲଗା ଶାଖା ଭାବେ ଵିକଶିତ ହେଵାରେ ଲାଗିଲେ। ଗିବନ (Hylobatidae) ଏସିଆରେ ଅଧିକ ଵିକଶିତ ହେଲେ ଏଵଂ ଏମାନେ ଵୃକ୍ଷ ଉପରେ ଦୋହଲିଵା (brachiation)ରେ ଵିଶେଷଜ୍ଞ ହେଲେ।

ଏହାର ଲକ୍ଷ ଲକ୍ଷ ଵର୍ଷ ପରେ ୨.୫୮ ନିୟୁତ ଵର୍ଷ ପୂର୍ଵେ ଅର୍ଥାତ୍ ୨,୫୮୦୦୦୦ ଵର୍ଷ ପୂର୍ଵେ
ପ୍ଲେଇଷ୍ଟୋସିନ କଳ୍ପ(Pleistocene Epoch)ର ଆରମ୍ଭରେ Homo ଜାତିର ଉତ୍ପତ୍ତି ହେଲା। Homo ଜାତିରେ କାଳକ୍ରମେ Homo habilis,Homo erectus ଓ ପରେ Homo sapiens ଆଫ୍ରିକାରେ ଵିକଶିତ ହେଲେ। Homo habilis ଉପକରଣ ନିର୍ମାଣରେ ଦକ୍ଷ ଥିଲେ ଯାହା ମଣିଷର ଵିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। Homo erectus ଆଫ୍ରିକାରୁ ଏସିଆ ଓ ଇଉରୋପକୁ ଵିସ୍ତାର କଲେ ଏଵଂ ଅଗ୍ନି ନିୟନ୍ତ୍ରଣ ଓ ଅଧିକ ଜଟିଳ ଉପକରଣ ନିର୍ମାଣ କଲେ। Homo sapiens ଆଧୁନିକ ମଣିଷ, ପ୍ରାୟ 300,000 ଵର୍ଷ ପୂର୍ଵେ ଆଫ୍ରିକାରେ ଉତ୍ପନ୍ନ ହେଲେ ଏଵଂ ସାମାଜିକ ଗଠନ, ଭାଷା, ଓ ସାଂସ୍କୃତିକ ବିକାଶରେ ଅଗ୍ରଣୀ ହେଲେ। ଏହି ସମୟରେ ଗରିଲା (Gorilla gorilla ଓ Gorilla beringei),ସ଼ିମ୍ପାଞ୍ଜୀ (Pan troglodytes ଓ Pan paniscus) ଓ ଓରାଙ୍ଗୁଟାନ (Pongo pygmaeus ଓ *Pongo abelii) ଆଫ୍ରିକା ଓ ଏସିଆରେ ସେମାନଙ୍କର ଆଧୁନିକ ରୂପରେ ଵିକଶିତ ହେଲେ। ଗିବନ (Hylobatidae, ଯଥା : Hylobates ଓ Symphalangus) ଏସିଆର ଜଙ୍ଗଲରେ ସେମାନଙ୍କର ଵୃକ୍ଷଵାସୀ ଜୀଵନଶୈଳୀକୁ ଅଧିକ ପରିପୁଷ୍ଟ କଲେ।

ଏହି ଵିକାଶ ପ୍ରକ୍ରିୟାରେ ଅନେକ ଜୀବଜାତି ସମାନ୍ତରାଳ ଭାବେ ଵିକଶିତ ହେଲେ ଯେଉଁଥିରେ ଆଫ୍ରିକା ପ୍ରାଇମେଟ୍ସ ଓ ମଣିଷର ଵିକାଶର ପ୍ରମୁଖ କେନ୍ଦ୍ର ଥିଲା। ଅନ୍ୟାନ୍ୟ ପ୍ରାଇମେଟ୍ସ ଯେପରିକି ବବୁନ (Papio), ମାଙ୍କଡ଼ (Macaca), ଓ ଲେମୁର (Lemuridae) ମଧ୍ୟ ଏହି ସମୟକାଳରେ ସେମାନଙ୍କର ନିଜସ୍ୱ ଶାଖାରେ ଵିକଶିତ ହେଲେ ଯାହା ପ୍ରାଇମେଟ୍ସଙ୍କ ଵିଭିନ୍ନତାକୁ ଆହୁରି ଵୃଦ୍ଧି କଲା। ଆଜକୁ ପ୍ରାୟ ୩୦୦,୦୦୦ ଵର୍ଷ ପୂର୍ଵେ ଆଫ୍ରିକାରେ ଆଧୁନିକ ମଣିଷ Homo sapiensଙ୍କର ଵିକାଶ ହୋଇଥିଲା ଯେଉଁମାନେ ପରେ ସାରା ଵିଶ୍ୱରେ ଵ୍ୟାପିଥିଲେ। ମଣିଷର ଵିକାଶ ସହିତ ସଂସ୍କୃତି, କୃଷି, ଓ ପ୍ରଯୁକ୍ତି ଵିକାଶ ପାଇଥିଲା, ଯାହା ପୃଥିଵୀର ପରିବେଶ ଓ ଜୀଵନକୁ ଗଭୀର ଭାବେ ପ୍ରଭାଵିତ କରିଛି।

Phanerozoic ଯୁଗ ପୃଥିଵୀର ଇତିହାସରେ ଜୀଵନର ଵିଵିଧତା ଓ ଜଟିଳତାର ଏକ ଅନନ୍ୟ ଅଧ୍ୟାୟ। କାମ୍ବ୍ରିଆନ ଵିସ୍ଫୋରଣ, ମେରୁଦଣ୍ଡୀ ଓ ସ୍ଥଳଚର ଜୀଵନର ଵିକାଶ, ଡାଇନୋସରର ଆଧିପତ୍ୟ, ସ୍ତନ୍ୟପାୟୀ ଓ ମଣିଷର ଉତ୍ପତ୍ତି, ଵୃହତ ଵିଲୁପ୍ତି ଓ ଜଳବାୟୁ ପରିଵର୍ତ୍ତନ ଏହି ଯୁଗର ମୁଖ୍ୟ ଘଟଣାଗୁଡ଼ିକ ଥିଲା। ଏହି ଘଟଣାଗୁଡ଼ିକ ପୃଥିଵୀକୁ ଏକ ଗତିଶୀଳ ଓ ଜୀଵନମୟ ଗ୍ରହରେ ପରିଣତ କରିଛି ଯାହାର ପ୍ରଭାବ ଆଜି ମଧ୍ୟ ଦେଖାଯାଉଛି। ସବୁଠାରୁ ବଡ଼ କଥା ହେଲା Phanerozoic ଯୁଗରେ ଆଧୁନିକ ମଣିଷ(Homo sapiens)ଙ୍କ ଉତ୍ପତ୍ତି ହୋଇଥିଲା ଏଵଂ ଏହି ଜାତି ପରେ ପୃଥିଵୀର ସର୍ଵେସର୍ଵା ହୋଇଅଛି । ମାତ୍ର ଏକ କ୍ଷୁଦ୍ର ସମୟକାଳ ମଧ୍ୟରେ ଵିକଶିତ ମାନଵ ହିଁ ପରେ ନିଜର ତଥା ନିଜ ପୂର୍ଵଜଙ୍କର ଜ୍ଞାନର ସାତତ୍ୟ ଵା Persistence of Knowledge ବଳରେ ଅତି ଶକ୍ତିଶାଳୀ ହୋଇ ଆଜି କୋଟି କୋଟି ଵର୍ଷ ତଳର ପୃଥିଵୀ ଇତିହାସକୁ ଜୀଵାଶ୍ମ ,ଶିଳା ତଥା ଅନ୍ୟାନ୍ୟ ଭୂତାତ୍ତ୍ୱିକ ପ୍ରମାଣ ଦ୍ଵାରା ବୁଝିଵାରେ ସକ୍ଷମ ହୋଇଛି । 

ସମୟକୁ କେହି ଦେଖିଛନ୍ତି ଦୈଵୀୟ ଚକ୍ରରେ, କେହି ମାନଵୀୟ ନୈତିକତାର ପତନ-ଉଦୟରେ, କେହି ପ୍ରଯୁକ୍ତିର ପଦକ୍ଷେପରେ, ଆଉ କେହି ଵିଜ୍ଞାନର ନିଖୁତ ଗଣନାରେ। କିନ୍ତୁ ସବୁ ଦୃଷ୍ଟିକୋଣରେ ଏକ ସତ୍ୟ ସ୍ପଷ୍ଟ—ସମୟ ହେଉଛି ମାନଵୀୟ ଚିନ୍ତାର ସୀମାକୁ ଅତିକ୍ରମ କରୁଥିଵା ଅନନ୍ତ ସାକ୍ଷୀ। ପୃଥିଵୀର ଇତିହାସ ଆମକୁ ଶିକ୍ଷା ଦିଏ ଯେ ସମୟରେ ସବୁକିଛି ଜନ୍ମେ ଵିକଶିତ ହୁଏ ଏଵଂ ସମୟ ସହ ଲୀନ ମଧ୍ୟ ହୋଇଯାଏ। ସମୟ ଏକ ଅନନ୍ତ ପ୍ରଵାହ, ଯାହା ସମସ୍ତଙ୍କୁ ନିଜ ଗତିରେ ଆଗକୁ ନେଇଯାଏ। ଏହା ସୃଷ୍ଟି ଓ ଵିନାଶର ସାକ୍ଷୀ ପୂଣି ପରିବର୍ତ୍ତନର ମୂଳ ଚାଳକ। ଆଗାମୀ ଦିନରେ ସମୟ ଆମକୁ ନୂତନ ସମ୍ଭାଵନା, ପ୍ରଯୁକ୍ତିର ଅଭୂତପୂର୍ଵ ଅଗ୍ରଗତି ଏବଂ ମାନଵୀୟ ଚେତନାର ଗଭୀର ଉନ୍ମେଷ ଦେଖାଇପାରେ। କିନ୍ତୁ ଏହା ମଧ୍ୟ ଆମକୁ ସମ୍ଭାଵ୍ୟ ସଙ୍କଟ, ନୈତିକ ପ୍ରଶ୍ନ ଓ ଅଜଣା ଅନିଶ୍ଚିତତା ଆଡ଼କୁ ନେଇଯାଇପାରେ। ସମୟର ଏହି ଅନିର୍ଦ୍ଦିଷ୍ଟ ପ୍ରକୃତି ହିଁ ଏହାକୁ ଏକ ରହସ୍ୟମୟ ଓ ଅପରିହାର୍ଯ୍ୟ ଶକ୍ତି କରିଥାଏ।
ଆଗକୁ କ’ଣ ହେଵ, ତାହା କେହି ନିଶ୍ଚିତ ଭାବେ କହିପାରିବେ ନାହିଁ, କିନ୍ତୁ ସମୟର ଗତିରେ ଆମେ ସମସ୍ତେ ଏକ ଅଜଣା ଯାତ୍ରୀ। ଏହା ଆମକୁ ଶିଖାଇଥାଏ ଯେ ଜୀଵନର ପ୍ରତିଟି ମୁହୂର୍ତ୍ତକୁ ଗ୍ରହଣ କରି, ଶିଖି, ଓ ଅଗ୍ରଗାମୀ ହେଵାରେ ହିଁ ଆମର ସାର୍ଥକତା।

Thursday, September 11, 2025

•ଵୈଦିକ ମନ୍ତ୍ରଗୁଡ଼ିକ ମେଷପାଳକର ଗୀତ କି ?•

ପ୍ରାଚୀନ କାଳରୁ ଏଯାଵତ୍ ଋଗ୍ଵେଦର ମଣ୍ଡଳ ୪, ସୂକ୍ତ ୫୮,ମନ୍ତ୍ର ୩ର ଅନେକ ଭାଷ୍ୟ ରହିଛି । ଉକ୍ତ ମନ୍ତ୍ରଟି ହେଲା :

“ଚତ୍ୱାରିଶୃଙ୍ଗା ତ୍ରୟୋଽସ୍ୟ ପାଦା ଦ୍ୱେଶୀର୍ଷେ ସପ୍ତହସ୍ତାସୋଽସ୍ୟ।  
ତ୍ରିଧାବଦ୍ଧୋ ଵୃଷଭୋ ରୋରଵୀତି ମହୋ ଦେଵୋ ମର୍ତ୍ୟାଂ ଆଵିଵେଶ।।”

ଅର୍ଥାତ୍"ଚର୍ତୁଶୃଙ୍ଗ, ତ୍ରିପାଦ, ଦ୍ବିମୁଣ୍ଡ, ସପ୍ତହସ୍ତ; ତ୍ରିଧାବନ୍ଧନଯୁକ୍ତ ଵୃଷଭ ଗର୍ଜନ କରୁଛନ୍ତି । ଏହି ମହାନ୍ ଦେଵତା ମନୁଷ୍ୟଙ୍କ ମଧ୍ୟରେ (ଵା ମନୁଷ୍ୟଲୋକରେ) ପ୍ରଵେଶ କରିଛନ୍ତି।"  
ସାୟଣାଚାର୍ଯ୍ୟଙ୍କ ଭାଷ୍ୟ ଅନୁସାରେ ଏହି ମନ୍ତ୍ରରେ କୁହାଯାଇଛି ଯେ ଚାରି ଶୃଙ୍ଗ ଅର୍ଥାତ୍ ଚାରି ଵେଦ(ଋଗ୍, ଯଜୁର୍, ସାମ, ଅଥର୍ଵ),ତିନି ପାଦ ଅର୍ଥାତ୍ ତିନି ସଵନ(ସକାଳ, ମଧ୍ୟାହ୍ନ, ସନ୍ଧ୍ୟା ଯଜ୍ଞ),ଦୁଇ ଶୀର୍ଷ(ବ୍ରହ୍ମୋଦନ ଓ ପ୍ରଵର୍ଗ୍ୟ ଅନୁଷ୍ଠାନ ଯଜ୍ଞର ଦୁଇ ପ୍ରଧାନ କର୍ମ), ସାତ ହସ୍ତ(ସାତ ଛନ୍ଦ ଵୈଦିକ ମନ୍ତ୍ରର ସାତ ପ୍ରକାର ମାପ), ତ୍ରିଧା ବଦ୍ଧ(ମନ୍ତ୍ର, କଳ୍ପ ଓ ବ୍ରାହ୍ମଣ - ଯଜ୍ଞର ତିନି ପ୍ରକାର ଵିଧି) ଯୁକ୍ତ ଵୃଷଭ(ଵର୍ଷଣକାରୀ ଵା ଫଳ ବର୍ଷଣ କରୁଥିଵା) ରୋରଵୀତି(ଗର୍ଜନ କରି) ଅର୍ଥାତ୍ ଯଜ୍ଞରେ ମନ୍ତ୍ରୋଚ୍ଚାରଣର ଧ୍ୱନି କରି ଅଗ୍ନିରୂପୀ ମହାନ୍ ଦେଵତା ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଵେଶ କରିଛନ୍ତି।

ଏହି ଭାଷ୍ୟକୁ ଉକ୍ତ ମନ୍ତ୍ରର ପ୍ରକୃତ ଅର୍ଥ ବୋଲି ଅନେକେ ଵିଶ୍ଵାସ କରନ୍ତି । ତେଣୁ ଏହାକୁ ପ୍ରୋକ୍ତ ଋଗ୍ଵେଦୀୟ ମନ୍ତ୍ରର ପାରମ୍ପରିକ ଅର୍ଥ ରୂପେ ମହତ୍ତ୍ୱ ଦିଆଯାଏ । କିନ୍ତୁ ଵୈଦିକ ଜ୍ଞାନ ଉପରେ ଅଧ୍ୟୟନ କରୁଥିଵା ଵିଦ୍ଵାନମାନେ କୁହନ୍ତି ଯେ ଵେଦରେ ପ୍ରତ୍ୟେକ ମନ୍ତ୍ରର ଏକାଧିକ ଅର୍ଥ ରହୁଥିଲା ଏଵଂ ତତ୍କାଳୀନ ଗୁରୁମାନେ ଆପଣାର ଶିଷ୍ୟମାନଙ୍କୁ ସେହି ମନ୍ତ୍ରମାନ ଶିଖାଇ ତହିଁର ଏକାଧିକ ଗୁପ୍ତ ଅର୍ଥ ଜଣାଉଥିଲେ ‌। ସମୟ ବଦଳିଲା, ଭାରତୀୟ ଉପମହାଦେଶ ଵିଦେଶୀଙ୍କ ଦ୍ଵାରା ଏକ ହଜାର ଵର୍ଷ ଧରି ପରାଧୀନ ରହିଲା ତେଣୁ ସେହି ପ୍ରାଚୀନ ଜ୍ଞାନ ଲୋପ ପାଇଗଲା । ତେବେ ପ୍ରାଚୀନ କାଳରେ କେହି କେହି ପଣ୍ଡିତ ଵୈଦିକ ମନ୍ତବ୍ୟଗୁଡି଼କର ଏକାଧିକ ଭାଷ୍ୟ ଲେଖି ଯାଇଛନ୍ତି ‌ତେଣୁ ପ୍ରୋକ୍ତ ଋଗ୍ଵେଦୀୟ ମନ୍ତ୍ରର ମଧ୍ୟ ଅନେକ ଭାଷ୍ୟ ରହିଛି । 

ଅତଏଵ୍ ପ୍ରୋକ୍ତ ମନ୍ତ୍ରର ମଧ୍ୟ ଏକାଧିକ ଭାଷ୍ୟ ରହିଛି। ସୂର୍ଯ୍ୟ (ଆଦିତ୍ୟ) ଆଧାରିତ ଭାଷ୍ୟ ଅନୁସାରେ —ଚାରି ଶୃଙ୍ଗ ଅର୍ଥାତ୍ ଚାରି ଦିଗ (ପୂର୍ଵ, ପଶ୍ଚିମ, ଉତ୍ତର, ଦକ୍ଷିଣ),ତିନି ପାଦ ଅର୍ଥାତ୍ ତିନି ସମୟ(ସକାଳ, ମଧ୍ୟାହ୍ନ, ସନ୍ଧ୍ୟା) ଦୁଇ ଶୀର୍ଷ ଅର୍ଥାତ୍(ଦିନ ଓ ରାତ୍ରି), ସାତ ହସ୍ତ ଅର୍ଥାତ୍ ସୂର୍ଯ୍ୟଙ୍କ ସାତ କିରଣ ଵା ସାତ ଅଶ୍ୱ ଵା ସାତରଙ୍ଗ(ଲାଲ, ନାରଙ୍ଗୀ, ହଳଦିଆ, ସବୁଜ, ନୀଳ,ଘନନୀଳ, ବାଇଗଣୀ), ତ୍ରିଧା ବଦ୍ଧ ଅର୍ଥାତ୍ ତିନି ଲୋକ(ପୃଥିଵୀ, ଅନ୍ତରୀକ୍ଷ, ସ୍ୱର୍ଗ)ରେ ଆବଦ୍ଧ ଵୃଷଭ ଅର୍ଥାତ୍ ଶକ୍ତିଦାୟୀ ସୂର୍ଯ୍ୟ ରୋରଵୀତି ଅର୍ଥାତ୍ ଗର୍ଜନ ସହିତ ବ୍ରହ୍ମାଣ୍ଡୀୟ ଶକ୍ତିର ପ୍ରକାଶ କରି ସୂର୍ଯ୍ୟରୂପୀ ମହାନ୍ ଦେଵତା ମନୁଷ୍ୟଲୋକ ମର୍ତ୍ତ୍ୟ ମଧ୍ୟରେ ପ୍ରଵେଶ କରିଛନ୍ତି।

ସମୟ,କାଳ ଵା ସମ୍ବତ୍ସର ଉପରେ ଆଧାରିତ ଅନ୍ୟ ଏକ ଭାଷ୍ୟ ଅନୁସାରେ ଏହି ମନ୍ତ୍ରରେ କୁହାଯାଇଛି ଯେ ଚାରି ଶୃଙ୍ଗ ଅର୍ଥାତ୍ ଚାରି ଯୁଗ(ସତ୍ୟ, ତ୍ରେତା, ଦ୍ୱାପର, କଳି), ତିନି ପାଦ ଅର୍ଥାତ୍ ତିନି କାଳ(ଅତୀତ,ଵର୍ତ୍ତମାନ, ଭବିଷ୍ୟତ୍), ଦୁଇ ଶୀର୍ଷ ଅର୍ଥାତ୍ ସୃଷ୍ଟି ଓ ଵିନାଶର ଦ୍ୱନ୍ଦ୍ୱ, ସାତ ହସ୍ତ ଅର୍ଥାତ୍ ସାତ ଦିନର ସପ୍ତାହ ଵା ସାତ ଗ୍ରହର ପ୍ରଭାଵ, ତ୍ରିଧା ବଦ୍ଧ ଅର୍ଥାତ୍ ସମୟର ତିନି ଵିଭାଗ ଦିନ, ରାତ୍ରି, ମାସରେ ବନ୍ଧା ଵୃଷଭ ଅର୍ଥାତ୍ ନିରନ୍ତର ଗତିଶୀଳ ସମୟ ରୋରଵୀତି ଅର୍ଥାତ୍ ଗର୍ଜନ କରି ଚକ୍ରମୟ ଧ୍ୱନି ସୃଷ୍ଟି କରି ସମୟରୂପୀ ସେହି ମହାନ୍ ଦେଵତା ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଵେଶ କରିଛନ୍ତି।

ଏହି ମନ୍ତ୍ରର ବ୍ରହ୍ମାଣ୍ଡୀୟ ପୁରୁଷ (ଦିଵ୍ୟପୁରୁଷ) ଆଧାରିତ ଭାଷ୍ୟ ଶ୍ରୀ ଅରବିନ୍ଦଙ୍କ ଦ୍ଵାରା କରାଯାଇଥିଲା । ତାଙ୍କ ମତରେ ଏହି ମନ୍ତ୍ରରେ କୁହାଯାଇଛି ଯେ ଚାରି ଶୃଙ୍ଗ ଅର୍ଥାତ୍ ଅନନ୍ତ ଅସ୍ତିତ୍ୱ, ଚେତନା, ଆନନ୍ଦ ଓ ସତ୍ୟ, ତିନି ପାଦ ଅର୍ଥାତ୍ ମାନସିକ, ପ୍ରାଣଶକ୍ତି ଓ ଶାରୀରିକ ସ୍ତର, ଦୁଇ ଶୀର୍ଷ ଅର୍ଥାତ୍ ଆତ୍ମା ଓ ପ୍ରକୃତିର ଦ୍ୱୈତ ଚେତନା, ସାତ ହସ୍ତ ଅର୍ଥାତ୍ ଅସ୍ତିତ୍ୱର ସାତ ପ୍ରାକୃତିକ ନୀତି, ତ୍ରିଧା ବଦ୍ଧ ଅର୍ଥାତ୍ ମନ, ପ୍ରାଣ ଓ ଶରୀରରେ ବନ୍ଧା ଯୁକ୍ତ ଵୃଷଭ ଅର୍ଥାତ୍ ଦିଵ୍ୟ ଶକ୍ତି ରୋରବୀତି ଅର୍ଥାତ୍ ଗର୍ଜନ କରି ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରି ଦିଵ୍ୟ ପୁରୁଷରୂପୀ ମହାନ୍ ଦେଵତା ମନୁଷ୍ୟମାନଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି।

ଋଗ୍‌ବେଦର ଏହି ମନ୍ତ୍ରକୁ ଗଣିତ ଦୃଷ୍ଟିରୁ ମଧ୍ୟ କେହି କେହି ଵ୍ୟାଖ୍ୟା କରି କୁହନ୍ତି ଯେ ଚାରୋଟି ଶିଙ୍ଗ ଅର୍ଥାତ୍ ଗଣିତର ଚାରିଟି ମୌଳିକ ଶାଖା—ଅଙ୍କଗଣିତ, ଜ୍ୟାମିତି, ବୀଜଗଣିତ ଓ ସଂଖ୍ୟାତତ୍ତ୍ୱ ଅଟେ ‌। ତିନୋଟି ପାଦ ତ୍ରିଭୁଜର ତିନୋଟି ପାର୍ଶ୍ୱ ଵା ତିନୋଟି ମାତ୍ରା (ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା)କୁ ସୂଚାଏ। ଦୁଇଟି ମୁଣ୍ଡ ସମୀକରଣର ଦୁଇ ପାର୍ଶ୍ୱ ଵା ସମ ଓ ଵିଷମ ସଂଖ୍ୟାର ଦ୍ୱୈତତାକୁ ନିର୍ଦ୍ଦେଶ କରେ। ସାତୋଟି ହାତ ସାତ ପ୍ରକାରର ଗାଣିତିକ ପ୍ରକ୍ରିୟା—ଯୋଗ, ଵିୟୋଗ, ଗୁଣନ, ଭାଗ, ଘାତ, ବର୍ଗମୂଳ, ଓ ଅନୁପାତ—କୁ ପ୍ରତିନିଧିତ୍ୱ କରେ। ତିନି ପ୍ରକାରେ ବନ୍ଧା ତିନୋଟି ଗାଣିତିକ ସମ୍ପର୍କ—ସମାନତା, ଅନୁପାତ, ଓ ଜ୍ୟାମିତିକ ମାପ—କୁ ବୁଝାଏ। "ଷଣ୍ଢ ପରି ଗର୍ଜନ" ଗାଣିତିକ ଗଣନାର ଶକ୍ତି ଓ ଯଥାର୍ଥତାକୁ ପ୍ରକାଶ କରେ, ଏଵଂ "ଗଣିତ ରୂପୀ ମହାନ ଦେଵତା ମର୍ତ୍ୟାଂ ପ୍ରଵେଶ" ଗଣିତର ସାର୍ଵଜନୀନତା ଓ ଦୈନନ୍ଦିନ ଜୀଵନରେ ଏହାର ପ୍ରୟୋଗକୁ ସୂଚାଇଥାଏ।

ଋଗ୍‌ବେଦର ଏହି ମନ୍ତ୍ରର ଶରୀର ଵିଜ୍ଞାନ ଦୃଷ୍ଟିରୁ ମଧ୍ୟ ବ୍ୟାଖ୍ୟା କରାଯାଇଛି । ଏଠାରେ ଚାରୋଟି ଶୃଙ୍ଗ ଶରୀରର ଚାରି ପ୍ରଧାନ ପ୍ରଣାଳୀ(ସଂଚାଳନ, ପାଚନ, ଶ୍ୱାସକ୍ରିୟା, ଓ ନାଡ଼ୀ ତନ୍ତ୍ର) ଅଟେ ।‌ ତିନୋଟି ପାଦ ଶରୀରର ତିନି ପ୍ରଧାନ ଶକ୍ତି କ୍ଷେତ୍ର(ମନ, ପ୍ରାଣ, ଓ ଶାରୀରିକ ଶକ୍ତି)କୁ ସୂଚାଏ। ଦୁଇଟି ଶୀର୍ଷ ମସ୍ତିଷ୍କର ଵାମ ଓ ଦକ୍ଷିଣ ଗୋଲାର୍ଦ୍ଧର ଦ୍ୱୈତତାକୁ ନିର୍ଦ୍ଦେଶ କରେ। ସାତୋଟି ହସ୍ତ ଶରୀରର ସାତ ଚକ୍ର(ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ, ଆଜ୍ଞା, ସହସ୍ରାର)କୁ ପ୍ରତିନିଧିତ୍ୱ କରେ। "ତିନି ପ୍ରକାରେ ବନ୍ଧା" ଶରୀରର ତିନି ପ୍ରଧାନ ଶକ୍ତି ପ୍ରଵାହ(ଇଡା, ପିଙ୍ଗଳା, ଓ ସୁଷୁମ୍ନା ନାଡ଼ୀ)କୁ ବୁଝାଏ। "ଵୃଷଭ ରୋରଵୀତି" ଜୀଵନ ଶକ୍ତି ଵା ମେଟାବୋଲିଜିମ୍‌ର ଶକ୍ତିମୟ ସଂଚାରଣର ଗର୍ଜନକୁ ପ୍ରକାଶ କରେ। "ମହୋ ଦେଵୋ ମର୍ତ୍ୟାଂ ଆଵିଵେଶ" ଜୈଵିକ ଶକ୍ତିର ଶରୀରରେ ପ୍ରଵେଶ ଓ ଜୀଵନ ପ୍ରକ୍ରିୟାକୁ ଚାଳନା କରିଵାକୁ ସୂଚାଇଥାଏ।

କେହି କେହି ମଧ୍ୟ ଋଗ୍ଵେଦରେ ଥିଵା ପ୍ରୋକ୍ତ ମନ୍ତ୍ରର ବ୍ରହ୍ମାଣ୍ଡୀୟ ଜ୍ଞାନ ଦୃଷ୍ଟିରୁ ଵ୍ୟାଖ୍ୟା କରିଥାନ୍ତି । ଚାରୋଟି ଶୃଙ୍ଗ, ବ୍ରହ୍ମାଣ୍ଡର ଚାରି ମୌଳିକ ବଳ(ଗୁରୁତ୍ୱାକର୍ଷଣ, ଇଲେକ୍ଟ୍ରୋମ୍ୟାଗ୍ନେଟିକ୍, ଦୁର୍ଵଳ ପାରମାଣଵିକ ଓ ଶକ୍ତିଶାଳୀ ପାରମାଣଵିକ) ଅଟେ । ତିନୋଟି ପାଦ, ମହାକାଶର ତିନି ମୌଳିକ ଅଵସ୍ଥା(ପଦାର୍ଥ, ଶକ୍ତି, ଓ ଶୂନ୍ୟତା)କୁ ସୂଚାଏ। ଦୁଇଟି ଶୀର୍ଷ, ଦୃଶ୍ୟମାନ ବ୍ରହ୍ମାଣ୍ଡ ଓ ଅଦୃଶ୍ୟ ଡାର୍କ ମ୍ୟାଟର୍ ତଥା ଡାର୍କ ଏନର୍ଜିର ଦ୍ୱୈତତାକୁ ନିର୍ଦ୍ଦେଶ କରେ। ସାତୋଟି ହସ୍ତ ସୂର୍ଯ୍ୟକିରଣର ଦୃଶ୍ୟମାନ ସ୍ପେକ୍ଟ୍ରମର ସାତ ରଙ୍ଗ(ଲାଲ, ନାରଙ୍ଗୀ, ହଳଦିଆ, ସବୁଜ, ନୀଳ, ଘନନୀଳ, ବାଇଗଣୀ)କୁ ପ୍ରତିନିଧିତ୍ୱ କରେ। "ତିନି ପ୍ରକାରେ ବନ୍ଧା" ଅର୍ଥାତ୍ ମହାକାଶରେ ଶକ୍ତିର ତିନି ପ୍ରକାର ପ୍ରକାଶ(ତାପ, ଆଲୋକ, ଓ ଵିକିରଣ)କୁ ବୁଝାଏ। "ଵୃଷଭ ରୋରଵୀତି" ସୂର୍ଯ୍ୟ ଵା ବ୍ରହ୍ମାଣ୍ଡୀୟ ଶକ୍ତିର ଵିକିରଣ ଓ ସଂଚାରଣର ଗର୍ଜନକୁ ପ୍ରକାଶ କରେ। "ମହୋ ଦେଵୋ ମର୍ତ୍ୟାଂ ଆଵିଵେଶ" ବ୍ରହ୍ମାଣ୍ଡୀୟ ଶକ୍ତିର ପୃଥିଵୀରେ ପ୍ରଵେଶ ଓ ଜୀଵନ ସମ୍ଭଵ କରିଵାକୁ ସୂଚାଇଥାଏ।

ତେବେ ଏହି ସବୁ ଭାଷ୍ଯ ଓ ଵ୍ୟାଖ୍ୟା ଛଡ଼ା ପ୍ରୋକ୍ତ ଋଗ୍ଵେଦୀୟ ମନ୍ତ୍ରର ଭାଷା ଵା ଵ୍ୟାକରଣ ସମ୍ବନ୍ଧୀୟ ଅନ୍ୟ ଏକ ଜଣାଶୁଣା ଭାଷ୍ୟ ମଧ୍ୟ ରହିଛି । କେହି କେହି କୁହନ୍ତି ପତଞ୍ଜଳିଙ୍କର ମହାଭାଷ୍ୟରେ ପ୍ରୋକ୍ତ ଵୈଦିକ ମନ୍ତ୍ର ଓ ତହିଁର ଭାଷ୍ୟ ଉଲ୍ଲେଖ ଅଛି । ତେଣୁ ଭାଷା ଓ ଵ୍ୟାକରଣ ସମ୍ବନ୍ଧୀୟ ଏହି ଭାଷ୍ୟକୁ ଚାଲନ୍ତୁ ଵିସ୍ତାର କରି ଜାଣିଵା ! 

ଭାଷା ଵା ଵ୍ୟାକରଣ ଦୃଷ୍ଟିରୁ ଦେଖିଲେ 
ଚତ୍ୱାରି ଶୃଙ୍ଗା (ଚାରି ଶୃଙ୍ଗ) ଭାଷାର ଚାରିଟି ମୌଳିକ ଅଙ୍ଗ(ନାମ, ଅଖ୍ୟାତ, ନିପାତ ଓ ଉପସର୍ଗ)କୁ ସୂଚାଏ । ଏହି ଚାରି ଅଙ୍ଗ ଭାଷାର ଵ୍ୟାକରଣିକ ଗଠନର ମୂଳାଧାର।  

ସଂଜ୍ଞା ଶବ୍ଦକୁ ନାମ କୁହାଯାଏ ଯାହା କୌଣସି ଵ୍ୟକ୍ତି, ସ୍ଥାନ,ଵସ୍ତୁ ଵା ଭାଵକୁ ପ୍ରକାଶ କରେ। ଉଦାହରଣ ସ୍ୱରୂପ, “ନଦୀ”, “ରାମ” ଇତ୍ୟାଦି। ଅଖ୍ୟାତ ହିଁ କ୍ରିୟାପଦ, ଯାହା କାର୍ଯ୍ୟ, ଅଵସ୍ଥା ଵା ଘଟଣାକୁ ସୂଚାଏ, ଯେପରି “ଗଚ୍ଛତି” ଵା “ଯାଉଛି”। ସଂସ୍କୃତ "ଚ" ତଥା ଓଡ଼ିଆ "ଵା" ଭଳି ଅଵ୍ୟୟ ଶବ୍ଦଗୁଡ଼ିକୁ ନିପାତ କୁହାଯାଏ । ଅଵ୍ୟୟଵାକ୍ୟରେ ସମ୍ପର୍କକୁ ସୁଦୃଢ଼ କରେ। “ପ୍ର” ଵା “ସମ୍”
 ଆଦି ଉପସର୍ଗ କ୍ରିୟା ଵା ଶବ୍ଦରେ ଯୋଗ ହୋଇ ଅର୍ଥରେ ପରିଵର୍ତ୍ତନ ଘଟାଇଥାଏ । ଏହି ଚାରି ଅଙ୍ଗ ଭାଷାର ମୌଳିକ ଗଠନକୁ ସୁନିର୍ଦ୍ଦିଷ୍ଟ କରେ, ଯାହା ଵିନା ବାକ୍ୟ ଗଠନ ଅସମ୍ଭଵ। ଭାଷାରେ "ତ୍ରୟୋଽସ୍ୟ ପାଦା" ଵା "ତିନି ପାଦ" ହେଲା "ଅତୀତ, ଵର୍ତ୍ତମାନ ଓ ଭଵିଷ୍ୟତ" । ଭାଷାରେ ଵାକ୍ଯଗଠନ ସମୟର ଏହି ତିନି ଆୟାମକୁ ନେଇ ଚାଳିତ ହୁଏ । ଏହା ମନୁଷ୍ୟକୁ ଅତୀତର ଅନୁଭବ, ଵର୍ତ୍ତମାନର ଚେତନା ଓ ଭଵିଷ୍ୟତର କଳ୍ପନାକୁ ଏକତ୍ରିତ କରିଵାରେ ସହାୟତା କରେ। ରାମ ଯାଉଥିଲା,ରାମ ଯାଉଅଛି,ରାମ ଯିଵ ଆଦି ପଦରେ ତିନିକାଳ ରହିଛି । 

ସେହିପରି ଭାଷାର ଦୁଇଟି ମୌଳିକ ଉଦ୍ଦେଶ୍ୟ : "କାର୍ଯ୍ୟ ଓ ଅର୍ଥ" ଦ୍ୱେ ଶୀର୍ଷେ ଵା ଦୁଇ ଶିର ପରି ହୋଇଥାଏ । ଭାଷା କେଵଳ ଅର୍ଥ ପ୍ରକାଶ କରେ ନାହିଁ, ଏହା କାର୍ଯ୍ୟକୁ ମଧ୍ୟ ପ୍ରେରଣା ଦିଏ। ଉଦାହରଣ ସ୍ୱରୂପ, “ଜଳଂ ପିଵ” ଏକ ନିର୍ଦ୍ଦେଶ (କାର୍ଯ୍ୟ) ହେଉଛି, ଯେଉଁଠି ଅର୍ଥ ହେଉଛି ପାଣି ପିଇଵାର ଭାଵ। ଏହି ଦୁଇଟି ଦିଗ ଭାଷାର ସାମାଜିକ ଓ ବୌଦ୍ଧିକ ମହତ୍ତ୍ୱକୁ ପ୍ରକାଶ କରେ।  

ଭାଷାରେ ସପ୍ତହସ୍ତା ଵା ସାତହାତ 
 ସପ୍ତ ଵିଭକ୍ତି "ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ" ଅଟେ । ଏହି ଵିଭକ୍ତିଗୁଡ଼ିକ ଵାକ୍ୟରେ ଶବ୍ଦମାନଙ୍କର ସମ୍ପର୍କ ଓ ଅର୍ଥକୁ ସୁନିର୍ଦ୍ଦିଷ୍ଟ କରେ। ଉଦାହରଣ ସ୍ୱରୂପ, “ରାମଃ ଗଚ୍ଛତି(ରାମ ଯାଉଅଛି)”ରେ ପ୍ରଥମା ଵିଭକ୍ତି କର୍ତ୍ତାକୁ ସୂଚାଏ, ଆଉ “ରାମାୟ(ରାମର)” ଚତୁର୍ଥୀ ଵିଭକ୍ତି ସମ୍ପର୍କକୁ ପ୍ରକାଶ କରିଥାଏ।  

"ତ୍ରିଧାବଦ୍ଧୋ ଵୃଷଭୋ ରୋରଵୀତି" ଭାଷାର ଉଚ୍ଚାରଣର ତିନିଟି ସ୍ଥାନକୁ ସୂଚାଏ "ଵକ୍ଷ (ଛାତି), କଣ୍ଠ ଓ ମୂର୍ଦ୍ଧା (ମୁଣ୍ଡ)" । ଏହି ତିନି ସ୍ଥାନରୁ ଧ୍ୱନି ଉତ୍ପନ୍ନ ହୁଏ, ଯାହା ଭାଷାର ଧ୍ୱନିଗତ ରୂପକୁ ସୃଷ୍ଟି କରେ। ଆଧୁନିକ ଧ୍ୱନିତତ୍ତ୍ୱରେ ମଧ୍ୟ ଏହି ସ୍ଥାନଗୁଡ଼ିକୁ ଧ୍ୱନି ଉତ୍ପାଦନର ମୂଳ ସ୍ଥାନ ରୂପେ ଗ୍ରହଣ କରାଯାଇଛି।  

"ମହୋ ଦେଵୋ ମର୍ତ୍ୟାଂ ଆଵିଵେଶ" ପଦ
ଭାଷାକୁ ଏକ ମହାନ ଦୈଵୀ ଶକ୍ତି ରୂପେ ଵର୍ଣ୍ଣନା କରେ ଯାହା ମନୁଷ୍ୟ ମଧ୍ୟରେ ଵା ମନୁଷ୍ୟଲୋକରେ ପ୍ରଵେଶ କରି ସେମାନଙ୍କୁ ଜ୍ଞାନ, ଚେତନା ଓ ସମ୍ପର୍କର ମାଧ୍ୟମ ପ୍ରଦାନ କରେ। ଏହା ଭାଷାର ଅଧ୍ୟାତ୍ମିକ ମହତ୍ତ୍ୱକୁ ସୂଚାଏ ଯାହା ମନୁଷ୍ୟକୁ ଈଶ୍ୱରୀୟ ଚେତନା ସହ ସଂଯୋଗ କରେ।  

ଭାଷାକୁ ଏକ ଵୃଷଭ (ବଳଦ) ରୂପେ କଳ୍ପନା କରି ପ୍ରୋକ୍ତ ଭାଷ୍ୟ ଲେଖାଯାଇଥିଲା । ଭାଷା ଓ ଵ୍ୟାକରଣ ପରିପ୍ରେକ୍ଷୀରେ ଏହି ଵୃଷଭ ଶକ୍ତି, ସୃଜନଶୀଳତା ଓ ଜ୍ଞାନର ପ୍ରତୀକ। ଏହା ମନୁଷ୍ୟର ମନକୁ ଆଲୋକିତ କରେ ଏଵଂ ତାହାର ଚିନ୍ତନକୁ ଅନନ୍ତ ସମ୍ଭାଵନାର ଦିଗରେ ନେଇଯାଏ। ତେଣୁ ଏ ଭାଷ୍ୟ ଦୃଷ୍ଟିରୁ ଦେଖିଲେ ଭାଷା କେଵଳ ଭାଵ ପ୍ରକାଶର ମାଧ୍ୟମ ନୁହେଁ ଵରଂ ଏକ ଦୈଵୀ ଶକ୍ତି ଯାହା ମନୁଷ୍ୟ ଜାତିର ସମଗ୍ର ଚେତନାକୁ ପରିଚାଳନା କରେ। ପୃଥିଵୀରେ ଅନ୍ୟ ସମସ୍ତ ପ୍ରାଚୀନ ସଭ୍ୟତାଗୁଡ଼ିକର ଯେତେ ଗ୍ରନ୍ଥ ଅଛି ତହିଁର ଅଧ୍ୟୟନ କରନ୍ତୁ କିନ୍ତୁ କୋଉଠି ବି ଏଭଳି ଏକ ପଦ ପାଇବେ ନାହିଁ ଯହିଁର ଵିଭିନ୍ନ ଜ୍ଞାନ ଵିଜ୍ଞାନ ଆଧାରରେ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରାଯାଇପାରୁଥିଵ । ଯଦି ଆମେ ପୃଥିଵୀର ଅନ୍ୟ ପ୍ରାଚୀନ ଗ୍ରନ୍ଥମାନଙ୍କୁ ପରୀକ୍ଷା କରୁ, ତେବେ ଋଗ୍ଵେଦର ଏହି ଶ୍ଲୋକର ଶ୍ରେଷ୍ଠତ୍ୱ ଓ ଅନନ୍ୟତା ସ୍ପଷ୍ଟ ହୁଏ। ସମ୍ଭଵତଃ ପ୍ରାଚୀନ କାଳରେ ଋଷିମୁନିଙ୍କ ଦ୍ଵାରା ଗୋଟିଏ ଗୋଟିଏ ମନ୍ତ୍ରରେ ଏକାଧିକ ଜ୍ଞାନ ଵିଜ୍ଞାନର କଥାକୁ ଗୁପ୍ତରେ ଲେଖାଯାଇଥିଲା। ଗୁରୁମାନେ ମନ୍ତ୍ରଗୁଡ଼ିକୁ ଶିଷ୍ୟଙ୍କୁ ଘୋଷାଇ ତହିଁର ଗୂଢ଼ ଗୁପ୍ତ ଅର୍ଥ ସେମାନଙ୍କୁ ଜଣାଉଥିଲେ ।‌ ଵିଦେଶୀମାନେ ଯେତେବେଳେ ଵେଦ ସହିତ ପରିଚିତ ହେଲେ ସେମାନେ ଏହାର ଵାହ୍ୟ ଅର୍ଥକୁ ବୁଝି ତାକୁ ତତ୍କାଳୀନ ସମୟରେ ରଚିତ "ମେଷପାଳକର ଗୀତ" ଆଖ୍ୟା ଦେଲେ । ଆଜି ବି ଆମ ସମାଜରେ କିଛି ମୂର୍ଖ ୨୦୦ ଵର୍ଷ ୪୦୦ ଵର୍ଷ ତଳର ପାଶ୍ଚାତ୍ୟ ଦେଶଵାସୀଙ୍କ ଏହି ପଦ ବୋଲି "ଵେଦ ଓ ଵୈଦିକ ଜ୍ଞାନ"ର ଅପମାନ କରିଵାକୁ ଚେଷ୍ଟା କରନ୍ତି । କିନ୍ତୁ ପ୍ରକୃତରେ କ’ଣ ସୂର୍ଯ୍ୟଙ୍କୁ ଢେଲା ମାରି ହୁଏ ? ପଥର ମାରିଵା ଲୋକ ସିନା ଶେଷରେ ଅପଦସ୍ତ ହୁଏ । ପ୍ରୋକ୍ତ ଋଗ୍ଵେଦୀୟ ମନ୍ତ୍ରର ଭିନ୍ନ ଭିନ୍ନ ଭାଷ୍ୟ ସ୍ପଷ୍ଟ କରେ ଯେ ଵେଦ ସ୍ଵୟଂ ଜ୍ଞାନର ସୂର୍ଯ୍ୟ ପରି ଏହାକୁ "ମେଷପାଳକର ଗୀତ" ବୋଲି କହିଵାର କୌଣସି ଔଚିତ୍ୟତା ହିଁ ନାହିଁ ।
ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଋଗ୍ବେଦୀୟ ମନ୍ତ୍ରଗୁଡ଼ିକ ଗଡ୍ଡରିଆ ଵା ମେଷପାଳକର ଗୀତ ନୁହେଁ। ଏ ମନ୍ତ୍ରଗୁଡ଼ିକ ପ୍ରାଚୀନ ସଂସ୍କୃତରେ ରଚିତ ଧାର୍ମିକ, ଦାର୍ଶନିକ ଓ ଆଧ୍ୟାତ୍ମିକ ସ୍ତୁତି ଯାହା ଵୈଦିକ ଯୁଗର ଋଷିମାନଙ୍କ ଦ୍ବାରା ରଚିତ। ଏହା ଦେଵତାଙ୍କୁ (ଯେପରିକି ଇନ୍ଦ୍ର, ଅଗ୍ନି, ବରୁଣ) ସମ୍ବୋଧନ କରି ପ୍ରାର୍ଥନା, ସ୍ତୁତି ଓ ଯଜ୍ଞାନୁଷ୍ଠାନ ପାଇଁ ଉଦ୍ଦିଷ୍ଟ। ଏହାର ଭାଷା ଓ ଵିଷୟଵସ୍ତୁ ଅତ୍ୟନ୍ତ ଗଭୀର ଏଵଂ ସାଂକେତିକ ଯାହା ପ୍ରକୃତି, ବ୍ରହ୍ମାଣ୍ଡ ଓ ମାନଵ ଜୀଵନର ଦାର୍ଶନିକ ପ୍ରଶ୍ନକୁ ସମ୍ବୋଧନ କରେ। ଗଡ୍ଡରିଆ ଵା ମେଷପାଳକଙ୍କ ଗୀତ ସାଧାରଣତଃ ଲୋକସାହିତ୍ୟର ଅଂଶ ଯାହା ଦୈନନ୍ଦିନ ଜୀଵନ, ପ୍ରେମ ଵା ପ୍ରକୃତିର ସରଳ ଵର୍ଣ୍ଣନା ଉପରେ ଆଧାରିତ। ଋଗ୍ବେଦୀୟ ମନ୍ତ୍ର ଏହାଠାରୁ ବହୁତ ଭିନ୍ନ ତଥା ଅତି ଉନ୍ନତ । ତେଣୁ ଋଗ୍ଵେଦୀୟ ମନ୍ତ୍ରଗୁଡ଼ିକୁ ମେଷପାଳକର ଗୀତ କହିଵା ଭାରତୀୟ ସଂସ୍କୃତି ସଭ୍ୟତାର ଅପମାନ ଅଟେ । 

Saturday, September 6, 2025

ପ୍ରାଚୀନ କାଳରେ ଲୋକେ ତାଳ ଗଛ ପରି ଉଚ୍ଚ ହେଉଥିଲେ କି ?

ଲୋକେ କୁହନ୍ତି କର୍ଣ୍ଣଙ୍କର ଉଚ୍ଚତା ୧୮ ଫୁଟ, ଶ୍ରୀକୃଷ୍ଣଙ୍କର ୧୬ ଫୁଟ ଥିଲା ।  ମନୁଷ୍ୟର ଉଚ୍ଚତା ଯଥାକ୍ରମେ ସତ୍ୟଯୁଗରେ ୨୮ ହାତ (ପ୍ରାୟ ୪୨ ଫୁଟ), ତ୍ରେତାଯୁଗରେ ୧୪ ହାତ (ପ୍ରାୟ ୨୧ ଫୁଟ), ଦ୍ୱାପରଯୁଗରେ ୭ ହାତ (ପ୍ରାୟ ୧୦.୫ ଫୁଟ) ଏଵଂ କଳିଯୁଗରେ ୩.୫ ହାତ (ପ୍ରାୟ ୫.୨୫ ଫୁଟ) ଥିଲା । ତେବେ ପୁରାଣରେ କୋଉଠି ଏକଥା ଵର୍ଣ୍ଣନା ହୋଇଛି ପଚାରିଲେ ଉତ୍ତର ମିଳିପାରେ ନାହିଁ । ପ୍ରାଚୀନ କାଳରେ ହୋମୋ ହୋବିଲିସଙ୍କ ଭଳି ପ୍ରାଚୀନ ମାନଵମାନେ ହାରାହାରି ୪ ଫୁଟ ଉଚ୍ଚତା ଵିଶିଷ୍ଟ ହେଉଥିଲେ ବୋଲି ଜୀଵାଶ୍ମ ପ୍ରମାଣ ରହିଛି । ହୋମୋ ଇରକଟସ୍,ହୋମୋ ନିଅଣ୍ଡରଥାଲ୍ ଓ ହୋମୋ ସାପିଏନ୍ସଙ୍କର ଯେତେ ଜୀଵାଶ୍ମ ମିଳିଛି ତହିଁରୁ ସ୍ପଷ୍ଟ ହୁଏ ଯେ ମଣିଷମାନଙ୍କ ଆକାର କେବେବି ୧୦ ଫୁଟରୁ ଅଧିକ ହୋଇନାହିଁ ‌। ତେବେ କେହି କେହି ପୁରାତାତ୍ତ୍ଵିକ ପ୍ରମାଣକୁ ନମାନି କୁହନ୍ତି - "ଦ୍ଵାପର ତ୍ରେତୟା ସତ୍ୟଯୁଗରେ ଵର୍ଣ୍ଣ ଅନୁସାରେ ଲୋକେ ଉଚ୍ଚ ହେଉଥିଲେ ଏଵଂ ଯୋଉ ଜୀଵାଶ୍ମ ମିଳିଛି ତାହା ଆଦିଵାସୀ ଅନାର୍ଯ୍ୟଙ୍କର ଅଟେ । ପ୍ରାଚୀନ ଭାରତୀୟମାନେ ଶଵ ଜଳାଇ ଦେଉଥିଵାରୁ ୧୦ ଫୁଟ୍ ଉଚ୍ଚତା ଵିଶିଷ୍ଟ ମାନଵମାନଙ୍କର ଜୀଵାଶ୍ମ ମିଳେ ନାହିଁ !”


ମନେ କରନ୍ତୁ ଭାରତରେ ଦୀର୍ଘ ଆକାରର ମନୁଷ୍ୟ ଥିଲେ ତାହେଲେ ତନ୍ମଧ୍ୟରେ କେହି ହେଲେ ତ ପ୍ରାକୃତିକ ଵିପର୍ଯ୍ୟୟ କିମ୍ଵା ଯୁଦ୍ଧ ଆଦିରେ ମରିଥିଵ ଏଵଂ ସେ ଲୋକର ଦାହ ସଂସ୍କାର ହୋଇନଥିଵ । କିନ୍ତୁ ସେଭଳି ଏକ ମନୁଷ୍ୟର ଜୀଵାଶ୍ମ ଆମକୁ ମିଳିନାହିଁ । ପୁଣି ଯଦି ତିନି ଯୁଗରେ ଵର୍ଣ୍ଣ ଆଧାରରେ ମଣିଷଙ୍କ ଉଚ୍ଚତା ଅଧିକ ରହୁଥିଲା ତାହେଲେ ଵର୍ତ୍ତମାନ ସମୟରେ ତାହା କାହିଁକି ଘଟିତ ହେଉନାହିଁ ? କାହିଁକି ଚାରି ଵର୍ଣ୍ଣର ଏଵଂ ଭାରତ ବାହାରର ଲୋକମାନଙ୍କର ହାରାହାରି ଉଚ୍ଚତା ପ୍ରାୟତଃ 
ଛଅଫୁଟ ହିଁ ରହିଛି ? କ'ଣ ଵିଜ୍ଞାନ ଦୃଷ୍ଟିରୁ ୧୦ ଫୁଟ୍‌ରୁ ଅଧିକ ଉଚ୍ଚର ମନୁଷ୍ୟ ହେଵା ସମ୍ଭଵ କି ? 

ମନୁଷ୍ୟ ଶରୀରର ଅସ୍ଥି, ମାଂସପେଶୀ, ଏଵଂ ସ୍ନାୟୁମାନଙ୍କର ଗଠନ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ଓ ଓଜନ ପର୍ଯ୍ୟନ୍ତ ଶରୀରର ଗତିଶୀଳତା ଓ ସ୍ଥିରତାକୁ ସମର୍ଥନ କରିଵା ପାଇଁ ଵିକଶିତ ହୋଇଛି। ସାଧାରଣତଃ ମନୁଷ୍ୟର ଉଚ୍ଚତା ୫ ରୁ ୭ ଫୁଟ ମଧ୍ୟରେ ରହିଥାଏ ଏଵଂ ଏହା ଜୈଵିକ ଦୃଷ୍ଟିରୁ ଅନୁକୂଳ ଅଟେ। କିନ୍ତୁ ୧୮ ଫୁଟ୍ ଵା ଅଧିକ ଉଚ୍ଚତାରେ ଶରୀରର ଓଜନ ଏତେ ଅଧିକ ହେଵ ଯେ ଅସ୍ଥିଗୁଡ଼ିକ ତାହାକୁ ସମର୍ଥନ କରି ରଖିପାରିବେ ନାହିଁ। ଅସ୍ଥିର ଘନତା ଓ ଶକ୍ତି ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହିଥାଏ ଏଵଂ ଅତ୍ୟଧିକ ଓଜନ ଯୋଗୁଁ ହାଡ଼ଗୁଡ଼ିକ ଭାଙ୍ଗିଯାଇପାରେ କିମ୍ବା ଗଠନଗତ ଅସ୍ଥିରତା ସୃଷ୍ଟି କରିପାରେ ।‌ ଆଧୁନିକ ଯୁଗରେ ଅତ୍ୟଧିକ ଉଚ୍ଚତା ସମ୍ପନ୍ନ ରବର୍ଟ ଓ୍ୱାଡ଼ଲୋ(୮'.୧୧''ଉଚ୍ଚ)ଙ୍କ ପରି ଵ୍ୟକ୍ତିମାନେ ଅସ୍ଥି ସମ୍ବନ୍ଧୀୟ ସମସ୍ୟା ଏଵଂ ଗତିଶୀଳତାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହାକୁ ଆଧାର କରି କହିହେବ ଯେ ୧୮ ଫୁଟ ଵା ୪୨ ଫୁଟ ଉଚ୍ଚତାର ମନୁଷ୍ୟ ଶରୀର ଜୈବଵକ ଦୃଷ୍ଟିରୁ ସମ୍ଭଵ ନୁହେଁ।

ଏକ ୧୮ ଫୁଟ ଵା ଅଧିକ ଉଚ୍ଚତା ଵିଶିଷ୍ଟ ଶରୀରରେ ରକ୍ତସଂଚାଳନ ଵ୍ୟଵସ୍ଥା ଅତ୍ୟନ୍ତ ଜଟିଳ ହେଵ। ମନୁଷ୍ୟର ହୃତ୍‌ପିଣ୍ଡ ଏକ ନିର୍ଦ୍ଦିଷ୍ଟ ଆକାର ଓ ଶକ୍ତି ସହିତ ରକ୍ତକୁ ଶରୀରର ଵିଭିନ୍ନ ଅଙ୍ଗ, ଵିଶେଷତଃ ମସ୍ତିଷ୍କକୁ ପମ୍ପ୍ କରିଵା ପାଇଁ ଵିକଶିତ ହୋଇଛି। ଏକ ଅତ୍ୟଧିକ ଉଚ୍ଚ ଶରୀରରେ ରକ୍ତକୁ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇଵା ପାଇଁ ଅସାଧାରଣ ଶକ୍ତିଶାଳୀ ହୃତ୍‌ପିଣ୍ଡ ଆଵଶ୍ୟକ ହେବ, ଯାହା ମନୁଷ୍ୟ ଶରୀରର ଜୈଵିକ କ୍ଷମତାର ସୀମା ଵର୍ହିଭୁତ ଵିଷୟ ଅଟେ । ଏତଦଵ୍ୟତୀତ ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁଁ ରକ୍ତ ନିମ୍ନାଙ୍ଗରେ ଜମା ହେଵାର ସମ୍ଭାଵନା ରହିଛି ଯାହା ରକ୍ତସଂଚାଳନ ଵ୍ୟଵସ୍ଥାକୁ ଆହୁରି ଜଟିଳ କରିଦେଵ। ଆଧୁନିକ ଚିକିତ୍ସା ଵିଜ୍ଞାନ ଅନୁସାରେ ଏତେ ବଡ଼ ଶରୀରରେ ରକ୍ତସଂଚାଳନ ବଜାୟ ରଖିଵା ଜୈଵିକ ଦୃଷ୍ଟିରୁ ଅସମ୍ଭଵ।

ଏକ ଅତ୍ୟଧିକ ଉଚ୍ଚ ଶରୀରରେ ଅମ୍ଳଜାନ ଓ ପୋଷକ ତତ୍ତ୍ୱମାନଙ୍କର ଵିତରଣ ମଧ୍ୟ ଏକ ବଡ଼ ସମସ୍ୟା ହୋଇପାରେ। ମନୁଷ୍ୟ ଶରୀରରେ ଅମ୍ଳଜାନ, ଫୁସଫୁସ ମାଧ୍ୟମରେ ଗ୍ରହଣ କରାଯାଇ ରକ୍ତ ମାଧ୍ୟମରେ ସମଗ୍ର ଶରୀରକୁ ପରିଵହନ କରାଯାଏ। କିନ୍ତୁ ଏକ ୧୮ ଫୁଟ ଵା ୪୨ ଫୁଟ ଉଚ୍ଚତା ଵିଶିଷ୍ଟ ମାନଵ ଶରୀରରେ ଅମ୍ଳଜାନର ଚାହିଦା ଅତ୍ୟଧିକ ହେବ । ଏତେ ବଡ଼ ଶରୀରରେ ଅମ୍ଳଜାନ ପରିଵହନ କରିଵା ପାଇଁ ଅସାଧାରଣ କ୍ଷମତା ଵିଶିଷ୍ଟ ଫୁସଫୁସ ଓ ରକ୍ତସଂଚାଳନ ବ୍ୟବସ୍ଥା ଆଵଶ୍ୟକ। ଏହା ମନୁଷ୍ୟ ଶରୀରର ଜୈଵିକ ସୀମା ଵର୍ହିଭୁତ କାରଣ ଏତେ ବଡ଼ ଶରୀରରେ ଅମ୍ଳଜାନ ଓ ପୋଷକ ତତ୍ତ୍ୱର ଵିତରଣ ଅସମ୍ଭଵ ଭାବେ ଜଟିଳ ହେଵ।

ପୃଥିଵୀର ମାଧ୍ୟାକର୍ଷଣ ଶକ୍ତି ମନୁଷ୍ୟ ଶରୀରର ଗଠନ ଓ ଵିକାଶ ଉପରେ ଗଭୀର ପ୍ରଭାବ ପକାଇଛି। ମନୁଷ୍ୟର ଅସ୍ଥି, ମାଂସପେଶୀ, ଏଵଂ ଅନ୍ୟାନ୍ୟ ଅଙ୍ଗମାନ ପୃଥିଵୀର ଗୁରୁତ୍ୱାକର୍ଷଣ ଶକ୍ତି ଅନୁଯାୟୀ ଵିକଶିତ ହୋଇଛି। ଏକ ୧୮ ଫୁଟ ଵା ୪୨ ଫୁଟ ଉଚ୍ଚତା ଵିଶିଷ୍ଟ ଶରୀର ଏହି ଗୁରୁତ୍ୱାକର୍ଷଣ ଶକ୍ତି ଵିରୁଦ୍ଧରେ ସ୍ଥିର ରହିପାରିଵ ନାହିଁ। ଏତେ ବଡ଼ ଶରୀରର ଓଜନ, ଅସ୍ଥି ଓ ମାଂସପେଶୀ ଉପରେ ଅତ୍ୟଧିକ ଚାପ ପ୍ରଦାନ କରିଵ ଫଳତଃ ସାମାନ୍ୟ ଗତିଶୀଳତା ବଜାୟ ରଖିଵା ଅସମ୍ଭବ ହୋଇଯିଵ। ଆଧୁନିକ ଯୁଗରେ ଅତ୍ୟଧିକ ଉଚ୍ଚତା ଵିଶିଷ୍ଟ ଵ୍ୟକ୍ତିମାନେ ଗତିଶୀଳତା ଓ ସ୍ଥିରତା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଏ ଯେ ସେମାନଙ୍କଠାରୁ ଦୁଇଗୁଣ ତିନିଗୁଣ ଅଧିକ ଉଚ୍ଚତା ଶାରୀରିକ ଦୃଷ୍ଟିରୁ ଅସମ୍ଭଵ।

ମଣିଷ ଶରୀରର ଉଚ୍ଚତା ୧୬ ଫୁଟ୍ ଵା ୧୮ ଫୁଟ୍ ହେବା ଅସମ୍ଭବ ହେଵାର ଆଉ ଏକ ପ୍ରମୁଖ କାରଣ ସ୍କେଲିଂ ନିୟମ ଵା Square-Cube Law ଅଟେ। ଏହି ନିୟମ ଜୈଵିକ ଶରୀରର ଆକାର ଵୃଦ୍ଧି ସହିତ ତାହାର ଶାରୀରିକ ଗଠନ ଓ କାର୍ଯ୍ୟକାରିତା ଉପରେ ପ୍ରଭାବ ଵିଷୟରେ ବୁଝାଇଥାଏ। ଏହା ଗାଲିଲିଓ ଗାଲିଲେଇଙ୍କ ଦ୍ୱାରା ୧୬୩୮ ମସିହାରେ ତାଙ୍କ ପୁସ୍ତକ "Two New Sciences" (Discorsi e Dimostrazioni Matematiche Intorno a Due Nuove Scienze) ରେ ଵର୍ଣ୍ଣନା କରାଯାଇଥିଲା। ଗାଲିଲିଓ ବୁଝାଇଥିଲେ ଯେ କୌଣସି ଵସ୍ତୁର ଆକାର ବଢ଼ିଲେ, ତାହାର ଆୟତନ ଓ ଓଜନ ଘନଫଳ (cube) ଅନୁସାରେ ବଢ଼େ, କିନ୍ତୁ ତାହାର ଶକ୍ତି ଵା ସମର୍ଥନ କ୍ଷମତା କେଵଳ କ୍ଷେତ୍ରଫଳ (square) ଅନୁସାରେ ବଢ଼େ। 
ମଣିଷ ଶରୀରର ଉଚ୍ଚତା ଯଦି ଦୁଇଗୁଣ ହୁଏ (ଯେମିତି ୬ ଫୁଟରୁ ୧୨ ଫୁଟ ଵା ଅଧିକ), ତେବେ ଶରୀରର ଆୟତନ ଓ ଓଜନ ଆଠ ଗୁଣ (2³) ବଢ଼ିଯାଏ, କିନ୍ତୁ ଅସ୍ଥି ଓ ମାଂସପେଶୀର ଶକ୍ତି କେଵଳ ଚାରି ଗୁଣ (2²) ବଢ଼େ। ୧୬ ଫୁଟ ଵା ୧୮ ଫୁଟ ଉଚ୍ଚତାରେ ଏହି ଅସନ୍ତୁଳନ ଆହୁରି ଗମ୍ଭୀର ହୁଏ। ଅସ୍ଥିଗୁଡ଼ିକ ଏତେ ଓଜନ ଵହନ କରିଵାକୁ ଅକ୍ଷମ ହେଵେ, ଯାହା ଅସ୍ଥିଭଙ୍ଗ ଵା ଶାରୀରିକ ଅକ୍ଷମତାର କାରଣ ହେଵ। 

ଅସ୍ଥିର ଗଠନ ମଣିଷ ଶରୀରରେ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଓଜନ ସମର୍ଥନ କରିପାରେ। ମଣିଷର ଅସ୍ଥି ମୁଖ୍ୟତଃ କ୍ୟାଲସିୟମ ଫସଫେଟ୍ ଓ କୋଲାଜେନରେ ଗଠିତ ଯାହା ଏକ ନିର୍ଦ୍ଦିଷ୍ଟ ଶକ୍ତି ଓ ନମନୀୟତା ପ୍ରଦାନ କରେ। କିନ୍ତୁ ଯଦି ଶରୀରର ଆକାର ୧୮ ଫୁଟ ପର୍ଯ୍ୟନ୍ତ ବଢ଼େ, ତେବେ ଅସ୍ଥିଗୁଡ଼ିକୁ ଅସାଧାରଣ ରୂପେ ମୋଟା ଓ ଭାରୀ ହେଵାକୁ ପଡ଼ିଵ ଫଳତଃ ଶରୀରର ଗତିଶୀଳତାକୁ ତାହା ହ୍ରାସ କରିଵ। ଏହା ସତ୍ତ୍ୱେ, ଏତେ ମୋଟା ଅସ୍ଥି ମଧ୍ୟ ଅତ୍ୟଧିକ ଓଜନର ଚାପ ସହିପାରିଵ ନାହିଁ, କାରଣ ଅସ୍ଥିର ଜୈଵିକ ଗଠନରେ ଏକ ସୀମା ଅଛି। 

ମାଂସପେଶୀ ମଧ୍ୟ ଏହି ସ୍କେଲିଂ ନିୟମରେ ସୀମିତ। ମାଂସପେଶୀର ଶକ୍ତି ତାହାର କ୍ରସ୍-ସେକ୍ସନାଲ କ୍ଷେତ୍ରଫଳ ଉପରେ ନିର୍ଭର କରେ, ଯାହା ଶରୀରର ଆକାର ବଢ଼ିଲେ ଆନୁପାତିକ ଭାବେ ବଢ଼େ ନାହିଁ। ଏକ ୧୮ ଫୁଟ ଉଚ୍ଚ ମଣିଷର ମାଂସପେଶୀଗୁଡ଼ିକୁ ଅତ୍ୟଧିକ ଓଜନ ଉଠାଇଵା ଓ ଗତିଶୀଳତା ବଜାୟ ରଖିଵା ପାଇଁ ଅସାଧାରଣ ଶକ୍ତି ଆଵଶ୍ୟକ ହେଵ ଯାହା ଜୈଵିକ ସୀମା ମଧ୍ୟରେ ଅସମ୍ଭଵ। ଏହା ସହିତ, ମାଂସପେଶୀଗୁଡ଼ିକୁ ଅମ୍ଳଜାନ ଓ ପୁଷ୍ଟି ଯୋଗାଇଵା ପାଇଁ ରକ୍ତସଂଚାଳନ ଵ୍ୟଵସ୍ଥା ଉପରେ ଅତ୍ୟଧିକ ଚାପ ପଡ଼ିଵ, ଯାହା ପରେ ଆଲୋଚନା କରାଯିବ।

ଏହି ନିୟମର ପ୍ରଭାବ କେଵଳ ଅସ୍ଥି ଓ ମାଂସପେଶୀ ଉପରେ ସୀମିତ ନୁହେଁ। ଶରୀରର ଅନ୍ୟାନ୍ୟ ଅଙ୍ଗ, ଯେମିତି ହୃତ୍ପିଣ୍ଡ, ଫୁସଫୁସ, ଓ ରକ୍ତନଳୀ, ମଧ୍ୟ ଏହି ଅସନ୍ତୁଳନରୁ ପ୍ରଭାଵିତ ହୁଏ। ଉଦାହରଣ ସ୍ୱରୂପ, ହୃତ୍ପିଣ୍ଡର ଆକାର ମଧ୍ୟ କ୍ଷେତ୍ରଫଳ ଅନୁସାରେ ବଢ଼େ, କିନ୍ତୁ ଏତେ ବଡ଼ ଶରୀରକୁ ରକ୍ତ ଯୋଗାଇଵା ପାଇଁ ହୃତ୍ପିଣ୍ଡକୁ ଅସାଧାରଣ ଶକ୍ତି ସହିତ କାର୍ଯ୍ୟ କରିଵାକୁ ହେଵ ଫଳରେ ତାହା ଜୈଵିକ ସୀମା ଅତିକ୍ରମ କରିଯିଵ। ସେହିପରି, ଫୁସଫୁସର କ୍ଷେତ୍ରଫଳ ଅମ୍ଳଜାନ ଗ୍ରହଣ କରିଵା ପାଇଁ ପର୍ଯ୍ୟାପ୍ତ ହେଵ ନାହିଁ ଯାହା ଶରୀରର ଶକ୍ତି ଆଵଶ୍ୟକତାକୁ ପୂରଣ କରିପାରିଵ ନାହିଁ। 

ଏହି ସ୍କେଲିଂ ନିୟମ ପ୍ରକୃତିରେ ଅନେକ ଜୀଵଙ୍କ ଆକାର ସୀମିତ କରିଥାଏ। ସେଥିପାଇଁ ଡାଇନୋସର ଭଳି ଵିଶାଳ ଜୀବମାନେ ନିଜର ଓଜନ ସମର୍ଥନ କରିଵା ପାଇଁ ଅତ୍ୟଧିକ ମୋଟା ଅସ୍ଥି ଓ ଶକ୍ତିଶାଳୀ ମାଂସପେଶୀ ଵିକଶିତ ହୋଇଥିଲେ, କିନ୍ତୁ ତଥାପି ସେମାନେ ଜଳଚର ଵା ଅର୍ଦ୍ଧ-ଜଳଚର ଜୀଵନଶୈଳୀ ଅବଲମ୍ବନ କରିଥିଲେ ଵା ଅନ୍ୟାନ୍ୟ ଶାରୀରିକ ଅନୁକୂଳନ କରିଥିଲେ। ମଣିଷର ଶରୀର ଏଭଳି ଚରମ ଅନୁକୂଳନ ପାଇଁ ଵିକଶିତ ହୋଇନାହିଁ, କାରଣ ମଣିଷର ଵିଵର୍ତ୍ତନୀୟ ଇତିହାସ ଅଧିକ ଗତିଶୀଳତା ଓ ଶକ୍ତି ଦକ୍ଷତା ଉପରେ ନିର୍ଭର କରେ। 

ତାଛଡ଼ା ଏକ ୧୬ ଫୁଟ ଵା ୧୮ ଫୁଟ ଉଚ୍ଚ ମଣିଷ ଶରୀରର ପୁଷ୍ଟି ଓ ଶକ୍ତି ଆଵଶ୍ୟକତା ଅସାଧାରଣ ହେବ। ଶରୀରର ଆକାର ବଢ଼ିଲେ, ମେଟାବୋଲିକ୍ ହାର ମଧ୍ୟ ବଢ଼ିଥାଏ, ଯାହା ଅଧିକ ଖାଦ୍ୟ ଓ ଶକ୍ତି ଆବଶ୍ୟକ କରେ। ଏକ ସାଧାରଣ ମଣିଷ (୬ ଫୁଟ ଉଚ୍ଚତା) ଦୈନିକ ପ୍ରାୟ ୨୦୦୦-୨୫୦୦ କିଲୋକ୍ୟାଲୋରୀ ଆଵଶ୍ୟକ କରେ। ଯଦି ଶରୀରର ଆକାର ତିନି ଗୁଣ ବଢ଼େ, ତେବେ ଶକ୍ତି ଆଵଶ୍ୟକତା ଆନୁମାନିକ ଭାବେ ୨୭ ଗୁଣ (3³) ବଢ଼ିପାରେ। ଅର୍ଥାତ୍, ଏକ ୧୮ ଫୁଟ ଉଚ୍ଚ ମଣିଷ ଦୈନିକ ଲକ୍ଷାଧିକ କିଲୋକ୍ୟାଲୋରୀ ଆଵଶ୍ୟକ କରିପାରେ 
।‌ ଏମିତି କୌଣସି ଏକ ମାନଵର କଳ୍ପନା କରନ୍ତୁ ଯିଏ ୧୮ ଫୁଟ୍ ଉଚ୍ଚ ହୋଇଥିଵ ଏଵଂ ଅସମ୍ଭଵ ପରିମାଣର ଖାଦ୍ୟ ଖାଇ ଚାଲିଥିଵ । ତାକୁ ଦେଖି ଆପଣ ମଣିଷ କହିବେ ନା ଅସୁର କହିବେ ? ଏତେ ବଡ଼ ବଡ଼ ମନୁଷ୍ୟ ପୁଣି ଥାଳିଏ ଭାତ ଖାଇ ଶାନ୍ତିରେ ବସିଯିବେ ନା ଗଛ ପତ୍ର ଜୀଵ ଯାହା ପାଇବେ ଭୋକ ମେଣ୍ଟେଇଵାକୁ ଗିଳି ଚାଲିବେ ? 

ପୁରାତନ ଯୁଗରେ କୃଷି ଓ ଖାଦ୍ୟ ଉତ୍ପାଦନ ସୀମିତ ଥିଲା ତେଣୁ ୧୮ ଫୁଟ୍ ଉଚ୍ଚ ଅସଂଖ୍ୟ ମଣିଷଙ୍କ ପାଇଁ ଏତେ ପରିମାଣର ଖାଦ୍ୟ ଉପଲବ୍ଧ ହେଵା ଅସମ୍ଭଵ ଥିଲା। ଆଜିର ଖାଦ୍ୟ ଭଣ୍ଡାର ମଧ୍ୟ ସେମାନଙ୍କ ପାଇଁ ନିଅଣ୍ଟ ପଡ଼ିଯାଆନ୍ତା । ପୂର୍ଵକାଳରେ ମଣିଷମାନେ ଶିକାର ଓ ସଂଗ୍ରହ ଉପରେ ନିର୍ଭର କରୁଥିଲେ ଏଵଂ ଖାଦ୍ୟ ସଂଗ୍ରହ କରିଵା ସେତେବେଳେ ଏକ କଷ୍ଟସାଧ୍ୟ କାର୍ଯ୍ୟ ଥିଲା। ଜଣେ ୧୮ ଫୁଟ ଉଚ୍ଚ ମଣିଷକୁ ଖାଦ୍ୟ ଯୋଗାଇଵା ପାଇଁ ଏକ ଵିଶାଳ ପରିମାଣର ପଶୁ ଶିକାର କରିଵା ଵା ଅନେକ ଏକର ଜମିରୁ ଶସ୍ୟ ସଂଗ୍ରହ କରିଵା ଆଵଶ୍ୟକ ହେବ, ଯାହା ପ୍ରାୟତଃ ଅସମ୍ଭଵ ବୋଧ ହୋଇଥାଏ । 

ଏହା ସହିତ, ଖାଦ୍ୟ ପରିପାକ କରିବା ପାଇଁ ଏକ ବିଶାଳ ପାଚନ ତନ୍ତ୍ର ଆଵଶ୍ୟକ ହେଵ। ମଣିଷର ପାଚନ ତନ୍ତ୍ର ଏତେ ପରିମାଣର ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଅନୁକୂଳ ନୁହେଁ। ଏକ ଵିଶାଳ ଶରୀରରେ ଅନ୍ତଃନାଡ଼ୀ ଓ ଅନ୍ୟାନ୍ୟ ଅଙ୍ଗଗୁଡ଼ିକୁ ମଧ୍ୟ ଅଧିକ ପୁଷ୍ଟି ଆଵଶ୍ୟକ ହେଵ, ଯାହା ଶରୀରର ଅନ୍ୟ ସିଷ୍ଟମ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଵ। 

ଏକ ବିଶାଳ ଶରୀରର ମେଟାବୋଲିକ ହାର ଅତ୍ୟଧିକ ହେଵ ଯାହା ଅନେକ ଜୈଵିକ ସମସ୍ୟା ସୃଷ୍ଟି କରିପାରେ। ମେଟାବୋଲିଜିମ ଶରୀରର ଶକ୍ତି ଉତ୍ପାଦନ ଓ ଵ୍ୟଵହାର ପ୍ରକ୍ରିୟା ଅଟେ । ଏକ ୧୮ ଫୁଟ ଉଚ୍ଚ ଶରୀରରେ, ମେଟାବୋଲିକ ହାର ଏତେ ଅଧିକ ହେଵ ଯେ ତାହା ଶରୀରରେ ଅତ୍ୟଧିକ ତାପ ଉତ୍ପନ୍ନ କରିଵ। ଏହି ତାପ ଶରୀରର ମସ୍ତିଷ୍କ ଓ ଅନ୍ୟାନ୍ୟ ଅନ୍ତଃସ୍ଥ ତନ୍ତ୍ରଗୁଡ଼ିକୁ କ୍ଷତିଗ୍ରସ୍ତ କରିପାରେ। 

ମଣିଷର ଶରୀର ଏକ ନିର୍ଦ୍ଦିଷ୍ଟ ତାପମାତ୍ରା(୩୭°c.) ବଜାୟ ରଖିଵା ପାଇଁ ଅନକୂଳିତ ହୋଇଛି। ଏତେ ବଡ଼ ଶରୀରରେ ତାପମାତ୍ରା ନିୟନ୍ତ୍ରଣ କରିଵା ଅତ୍ୟନ୍ତ କଷ୍ଟକର ହେଵ କାରଣ ଶରୀରର ଭିତରୁ ଉତ୍ପନ୍ନ ତାପ ବାହାରକୁ ବାହାରିଵା ପାଇଁ ପର୍ଯ୍ୟାପ୍ତ କ୍ଷେତ୍ରଫଳ ଉପଲବ୍ଧ ହେଵ ନାହିଁ। ଏହା ହାଇପରଥର୍ମିଆ ଵା ଅତ୍ୟଧିକ ଗରମ ହେଵାର ସମସ୍ୟା ସୃଷ୍ଟି କରିଵ ଯାହା ଜୀଵନ ପାଇଁ ଵିପଜ୍ଜନକ। 

ପୁଣି, ଏତେ ଅଧିକ ମେଟାବୋଲିକ ହାର ପାଇଁ ଅମ୍ଳଜାନ ଓ ପୁଷ୍ଟିର ଆଵଶ୍ୟକତା ମଧ୍ୟ ବଢ଼ିଵ। ମଣିଷର ଫୁସଫୁସ ଓ ରକ୍ତସଂଚାଳନ ତନ୍ତ୍ର ଏତେ ପରିମାଣର ଅମ୍ଳଜାନ ଓ ପୁଷ୍ଟି ଯୋଗାଇଵା ପାଇଁ ଅନୁକୂଳ ନୁହେଁ। ଏହା ଶରୀରର ଅଙ୍ଗଗୁଡ଼ିକୁ ଅମ୍ଳଜାନର ଅଭାବ ଵା ହାଇପୋକ୍ସିଆର ସମ୍ମୁଖୀନ କରାଇଵ, ଯାହା ଅଙ୍ଗ ଵିଫଳତାର କାରଣ ହେଵ। 

ମଣିଷର ଵିଵର୍ତ୍ତନ ଏକ ନିର୍ଦ୍ଦିଷ୍ଟ ଆକାର ଓ ଶାରୀରିକ ଗଠନ ଅନୁକୂଳ କରିଛି, ଯାହା ପ୍ରାୟ ୫-୭ ଫୁଟ ଉଚ୍ଚତା ମଧ୍ୟରେ ରହିଛି। ଏହି ଆକାର ଶକ୍ତି ଦକ୍ଷତା, ଗତିଶୀଳତା, ଓ ବଞ୍ଚିଵା ପାଇଁ ଆଵଶ୍ୟକୀୟ ଅନୁକୂଳନ ମଧ୍ୟରେ ଏକ ସନ୍ତୁଳନ ବଜାୟ ରଖେ। ମଣିଷର ଵିଵର୍ତ୍ତନୀୟ ଇତିହାସ ଦେଖିଲେ, ଆମର ପୂର୍ଵପୁରୁଷମାନେ, ଯେମିତି ହୋମୋ ସେପିୟନ୍ସ ଓ ହୋମୋ ନିୟାଣ୍ଡରଥାଲେନ୍ସିସ, ଏକ ସୀମିତ ଆକାର ଵିକଶିତ କରିଥିଲେ, ଯାହା ସେମାନଙ୍କୁ ଶିକାର, ସଂଗ୍ରହ, ଓ ପରିଵେଶଗତ ଚ୍ୟାଲେଞ୍ଜ ସହ ମୁକାବିଲା କରିଵାରେ ସାହାଯ୍ୟ କରୁଥିଲା। 

ଏକ ୧୬ ଫୁଟ ବା ୧୮ ଫୁଟ ଉଚ୍ଚ ଶରୀର ଵିଵର୍ତ୍ତନୀୟ ଦୃଷ୍ଟିରୁ ଅନୁକୂଳ ନୁହେଁ। ଏତେ ବଡ଼ ଶରୀର ଅଧିକ ଶକ୍ତି ଖର୍ଚ୍ଚ କରେ, ଯାହା ଖାଦ୍ୟର ଅଭାବ ଥିଵା ପରିଵେଶରେ ବଞ୍ଚିଵା ପାଇଁ ଅସୁବିଧାଜନକ। ଏହା ସହିତ, ଅତ୍ୟଧିକ ଉଚ୍ଚତା ଶାରୀରିକ ସମସ୍ୟା ବଢ଼ାଇଥାଏ, ଯେମିତି ଅସ୍ଥିଭଙ୍ଗ, ହୃଦ୍‌ରୋଗ, ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା। ଵିଵର୍ତ୍ତନ ସର୍ଵଦା ଏକ ଶାରୀରିକ ଗଠନକୁ ଅନୁକୂଳ କରେ ଯାହା ଜୀଵନ ବଜାୟ ରଖିଵା ଓ ପ୍ରଜନନରେ ସଫଳତା ପ୍ରଦାନ କରେ। ୧୮ ଫୁଟ ଉଚ୍ଚତା ଏହି ଉଦ୍ଦେଶ୍ୟ ପୂରଣ କରିପାରେ ନାହିଁ। 

ମଣିଷର ଶରୀର ଦୁଇ ପାଦରେ ଚାଲିବା ପାଇଁ ଵିକଶିତ ହୋଇଛି, ଯାହା ଏକ ନିର୍ଦ୍ଦିଷ୍ଟ ଆକାର ଓ ଓଜନ ସନ୍ତୁଳନ ଆଵଶ୍ୟକ କରେ। ଏକ ଵିଶାଳ ଶରୀର ଏହି ସନ୍ତୁଳନରେ ବାଧା ଉତ୍ପନ୍ନ କରିଵ ଯାହା ଗତିଶୀଳତା ଓ ଦକ୍ଷତାକୁ ହ୍ରାସ କରିଵ। ଆଧୁନିକ ମଣିଷଙ୍କ ମଧ୍ୟରେ ଅତ୍ୟଧିକ ଉଚ୍ଚତା ଥିଵା ବ୍ୟକ୍ତିମାନେ (ଯେମିତି ୭-୮ ଫୁଟ ଉଚ୍ଚ ଵ୍ୟକ୍ତି) ପ୍ରାୟତଃ ସ୍ୱାସ୍ଥ୍ୟ ସମସ୍ୟା ଯେମିତି ମେରୁଦଣ୍ଡ ସମସ୍ୟା, ହୃଦ୍‌ରୋଗ, ଓ ସାନ୍ଧି ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି। ୧୮ ଫୁଟ ଉଚ୍ଚତାରେ ଏହି ସମସ୍ୟାଗୁଡ଼ିକ ଅନେକ ଗୁଣ ବଢ଼ିଯାଏ। ଜଣେ ୧୮ ଫୁଟ୍ ଉଚ୍ଚର ଵ୍ୟକ୍ତି କେବେହେଲେ ବି ଜଣେ ୬ ଫୁଟ୍‌ର ଵ୍ୟକ୍ତିଙ୍କ ପରି ଦୃତଗତିରେ ଦୌଡ଼ି ପାରିଵ ନାହିଁ। 

ପୁରାତନ ଯୁଗରେ, ପରିବେଶଗତ ଅଵସ୍ଥା ଏକ ୧୬ ଫୁଟ ବା ୧୮ ଫୁଟ ଉଚ୍ଚ ମଣିଷ ଶରୀରକୁ ସମର୍ଥନ କରିଵା ପାଇଁ ଅନୁକୂଳ ନଥିଲା। ପୃଥିଵୀର ଅମ୍ଳଜାନ ସ୍ତର, ଖାଦ୍ୟ ଉପଲବ୍ଧତା, ଓ ଜଳଵାୟୁ ଅଵସ୍ଥା ଏକ ବିଶାଳ ଶରୀରର ଆଵଶ୍ୟକତା ପୂରଣ କରିଵା ପାଇଁ ପର୍ଯ୍ୟାପ୍ତ ନଥିଲା। ଉଦାହରଣ ସ୍ୱରୂପ, ଆଧୁନିକ ମଣିଷର ଵିକାଶ ପ୍ରାୟ ୨ ଲକ୍ଷ ଵର୍ଷ ପୂର୍ଵେ ଆରମ୍ଭ ହୋଇଥିଲା ଯେତେବେଳେ ପୃଥିଵୀର ଅମ୍ଳଜାନ ସ୍ତର ଆଜିକାର ସ୍ତର ସହ ସମାନ ଥିଲା (ପ୍ରାୟ ୨୧%)। ଏହି ଅମ୍ଳଜାନ ସ୍ତର ଏକ ୧୮ ଫୁଟ ଉଚ୍ଚ ଶରୀରର ଶକ୍ତି ଆଵଶ୍ୟକତା ପୂରଣ କରିଵା ପାଇଁ ଅପର୍ଯ୍ୟାପ୍ତ ଅଟେ। ହଁ ଆଜକୁ ପ୍ରାୟ ୩୦୦ ନିୟୁତ ଵର୍ଷ ପୂର୍ଵେ କାର୍ବନିଫେରସ ଯୁଗରେ ଯେତେବେଳେ ଅମ୍ଳଜାନ ସ୍ତର ୩୫% ଥିଲା ସେତେବେଳେ ଵିଶାଳ କୀଟପତଙ୍ଗ ଓ ଅନ୍ୟାନ୍ୟ ଜୀଵ ଵିକଶିତ ହୋଇଥିଲେ। କିନ୍ତୁ ମଣିଷର ଵିକାଶ ଏକ ଭିନ୍ନ ପରିବେଶରେ ହୋଇଛି ଯେଉଁଠାରେ ଅମ୍ଳଜାନ ସ୍ତର ଓ ଖାଦ୍ୟ ଉପଲବ୍ଧତା ଏତେ ବଡ଼ ଶରୀରକୁ ସମର୍ଥନ କରିଵା ପାଇଁ ଅନୁକୂଳ ନଥିଲା। 
ପୁରାତନ ଯୁଗରେ ମଣିଷମାନେ ଶିକାରୀ ପଶୁଙ୍କଠାରୁ ନିଜକୁ ରକ୍ଷା କରିଵା ଓ ଖାଦ୍ୟ ସଂଗ୍ରହ କରିଵା ଅଦି ଅନେକ ପରିଵେଶଗତ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏକ ବିଶାଳ ଶରୀର ଏହି ସମସ୍ୟାଗୁଡ଼ିକର ସାମ୍ନା କରିଵାରେ ଆହୁରି ଜଟିଳ ପରିସ୍ଥିତି କରିଥାନ୍ତା । ସେସମୟରେ ଵିଶାଳକାୟ ମନୁଷ୍ୟ ଥିଲେ ଅତ୍ୟଧିକ ଖାଦ୍ୟ ଆଵଶ୍ୟକ କରୁଥାନ୍ତେ ଫଳତଃ ସେମାନଙ୍କ ଗତିଶୀଳତା ହ୍ରାସ ପାଇଥାନ୍ତା ।‌ କଳ୍ପନା କରନ୍ତୁ ପ୍ରାଚୀନ କାଳରେ ଭୟଙ୍କର ପରିସ୍ଥିତିରେ ଅଠର ଫୁଟ୍ ଉଚ୍ଚର ମନୁଷ୍ୟମାନେ ଦୃତଗତିରେ ଚାଲି ନପାରି ଅନେକ ହିଂସ୍ରଜନ୍ତୁଙ୍କ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି। ଗୋଟେ ପାଠ ପଢ଼ା ପିଲା ବି କହି ଦେଵ ଯେ ଏତେ ବଡ଼ ଆକାରର ମନୁଷ୍ୟ ଆଦୌ ସେଭଳି ଭୟଙ୍କର ପରିସ୍ଥିତିରେ ବଞ୍ଚିନପାରେ । ତଥାପି ଯଦି କିଛି ଲୋକଙ୍କୁ ଲାଗୁଛି ଯେ ୧୮ ଫୁଟ୍ ଵା ତାଠାରୁ ଉର୍ଦ୍ଧ୍ଵ ଉଚ୍ଚତା ଵିଶିଷ୍ଟ ମନୁଷ୍ୟ ଆଗକାଳରେ ପୃଥିଵୀ ପୃଷ୍ଠରେ ଥିଲେ ଵିଶେଷତଃ ବ୍ରାହ୍ମଣମାନେ ଓ କ୍ଷତ୍ରିୟମାନେ ଅଠର କୋଡ଼ିଏ ଚାଳିଶ ଫୁଟ୍ ଉଚ୍ଚର ହେଉଥିଲେ ତାହେଲେ ସେମାନେ ତହିଁର ପ୍ରମାଣ ଦିଅନ୍ତୁ । ଅଠରଖଣ୍ଡ ସଂସ୍କୃତ ପୁରାଣରେ କେଉଁ ଅଧ୍ୟାୟରେ କେଉଁଠି ଲେଖା ହୋଇଛି କୃଷ୍ଣ ଅର୍ଜୁନ କର୍ଣ୍ଣ ଇତ୍ୟାଦି ଵୀରମାନେ ଦାନଵ ଆକାରର ହେଉଥିଲେ ତାହା ଲେଖା ଥିଲେ ଦେଖାଇ ଦିଅନ୍ତୁ । 



Friday, September 5, 2025

ମାନଵମାନଙ୍କ ଉଚ୍ଚତା ଆଗେ ଦଶ ଫୁଟ୍ ପର୍ଯ୍ୟନ୍ତ ହେଉଥିଲା କି ?

ଅନେକେ କୁହନ୍ତି ଦ୍ଵାପର ଯୁଗରେ ଲୋକେ ଦଶ ଫୁଟ ଉଚ୍ଚତା ଵିଶିଷ୍ଟ ହେଉଥିଲେ । ମହାଭାରତ ଯୁଦ୍ଧ ସମୟରେ ଦ୍ଵାପର ଯୁଗ ଚାଲିଥିଲା ଏଵଂ ଏହାର ସମୟକାଳ ପ୍ରାୟ ପାଞ୍ଚ ହଜାର ଵର୍ଷ ତଳର ବୋଲି ଅନୁମାନ କରାଯାଇଛି । ତେବେ ପୁରାତନ ମାନଵ ଜୀଵାଶ୍ମ ଓ ପୁରାତତ୍ତ୍ୱଗତ ପ୍ରମାଣ ଅନୁସାରେ ପାଞ୍ଚ ହଜାର ଵର୍ଷ ତଳର ମଣିଷଙ୍କ ଉଚ୍ଚତା ଆଜିକାର ମଣିଷମାନଙ୍କ ସହ ସମାନ ଥିଲା, ଅର୍ଥାତ୍ ସେମାନେ ପ୍ରାୟ ୫ ରୁ ୬ ଫୁଟ ମଧ୍ୟରେ ଉଚ୍ଚ ଥିଲେ। ଦଶ ଫୁଟ ଉଚ୍ଚ ମଣିଷର କୌଣସି ଵୈଜ୍ଞାନିକ ପ୍ରମାଣ ମିଳିନାହିଁ।  
ଏମନ୍ତକି ମାନଵ ଵିଵର୍ତ୍ତନ ଇତିହାସରେ ମାନଵଜାତି ଏଵଂ ଏହାର ପୂର୍ଵଜଙ୍କ ଉଚ୍ଚତା କେବେ ହେଲେ ବି ଦଶ ଫୁଟ ଉଚ୍ଚତା ଵିଶିଷ୍ଟ ହୋଇନାହିଁ । 

ମାନଵ ଵିକାଶ ଇତିହାସରେ ଵିଭିନ୍ନ ମାନଵ ଏଵଂ ତାଙ୍କ ପୂର୍ଵଜଙ୍କ ଉଚ୍ଚତା ସେମାନଙ୍କର ଜୀଵାଶ୍ମ ଓ ପୁରାତତ୍ତ୍ୱଗତ ପ୍ରମାଣ ଅନୁଯାୟୀ ଵିଭିନ୍ନ ଥିଲା।  

୪-୨ ନିୟୁତ ଵର୍ଷ ପୂର୍ଵେ Australopithecusମାନେ ପ୍ରାୟ ୩.୫ ରୁ ୫ ଫୁଟ ଉଚ୍ଚ ହେଉଥିଲେ । ଏହି ପୂର୍ଵଜମାନେ ମାନଵ ଓ ସିମ୍ପାଞ୍ଜୀ ମଧ୍ୟରେ ଏକ ସଂଯୋଗ ସ୍ତର ଥିଲେ। "Lucy" ଵା Australopithecus afarensis ଜାତୀୟ ଜୀଵ ପ୍ରାୟ ୩.୫ ଫୁଟ ଉଚ୍ଚ ହେଉଥିଲେ।
ଆଜକୁ ପ୍ରାୟ ୨.୪-୧.୪ ନିୟୁତ ଵର୍ଷ ପୂର୍ଵେ ମାନଵମାନଙ୍କ ପୂର୍ଵଜ Homo habilis ଅତି ଭୟଙ୍କର ପରିସ୍ଥିତିରେ ଵିଵର୍ତ୍ତିତ ହୋଇଥିଲେ । ସେମାନଙ୍କ ପାଇଁ ତେର ଵର୍ଷରୁ ଅଧିକ କାଳ ବଞ୍ଚିଵା 
ସହଜ ନଥିଲା ତଥାପି ସେମାନେ ସେହି ଭୀଷଣ ପରିସ୍ଥିତି ସହିତ ଖାପଖୁଆଇ ଲକ୍ଷ ଲକ୍ଷ ଵର୍ଷ ଧରି ତିଷ୍ଠି ରହିଲେ । 
ଏହି ପ୍ରାରମ୍ଭିକ ମାନଵ ଜାତି ସରଳ ଉପକରଣ ଵ୍ୟଵହାର କରୁଥିଲେ ଏଵଂ ଏମାନଙ୍କର ଉଚ୍ଚତା ପ୍ରାୟ ୪ ରୁ ୪.୫ ଫୁଟ ପର୍ଯ୍ୟନ୍ତ ହେଉଥିଲା । 

ଆଜକୁ ପ୍ରାୟ ୧.୯ ନିୟୁତରୁ ୧୧୦,୦୦୦ ଵର୍ଷ ପୂର୍ଵେ ପୃଥିଵୀରେ ମନୁଷ୍ୟମାନଙ୍କ 
Homo erectus ପୂର୍ଵଜ ଵାସ କରୁଥିଲେ । ଏହି ଜାତିର ଅଧିକ ଆଧୁନିକ ଶାରୀରିକ ଗଠନ ଥିଲା ଓ ଆଫ୍ରିକାରୁ ଏସିଆ ଓ ୟୁରୋପ ପର୍ଯ୍ୟନ୍ତ ଏମାନେ ଵିସ୍ତାର କରିଥିଲେ। Homo erectusଙ୍କ ଉଚ୍ଚତା ପ୍ରାୟ ୪.୯ ରୁ ୬ ଫୁଟ୍ ପର୍ଯ୍ୟନ୍ତ ହେଉଥିଲା । "ଟର୍କାନା ବୟ"ଙ୍କ ପରି କେତେକ ଵ୍ୟକ୍ତି ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ଥିଲେ।

ପ୍ରାୟ ୭୦୦,୦୦୦-୨୦୦,୦୦୦ ଵର୍ଷ ପୂର୍ଵେ Homo heidelbergensis ମାନଵମାନେ ମଧ୍ୟ ଧାରା ପୃଷ୍ଠରେ ଵିଚରଣ କରୁଥିଲେ । ଏମାନେ ଆଧୁନିକ ମାନଵ ଓ ନିଆଣ୍ଡରଥାଲଙ୍କର ପୂର୍ଵଜ ଅଟନ୍ତି। Homo heidelbergensisଙ୍କ ଉଚ୍ଚତା ମଧ୍ୟ 
 ପ୍ରାୟ ୫.୬ ରୁ ୬ ଫୁଟ ପର୍ଯ୍ୟନ୍ତ ହେଉଥିଲା । 

ପ୍ରାୟ ୪,୦୦୦୦୦ ଵର୍ଷରୁ ୪୦,୦୦୦ ଵର୍ଷ ପର୍ଯ୍ୟନ୍ତ ପୃଥିଵୀରେ ତିଷ୍ଠି ପାରିଥିଵା 
Homo neanderthalensisମାନେ ତତ୍କାଳୀନ ପୃଥିଵୀର ଶକ୍ତିଶାଳୀ Apex Predator ଥିଲେ । Homo neanderthalensisମାନେ ଶୀତଳ ଜଳଵାୟୁରେ ବଞ୍ଚୁଥିଲେ ଏଵଂ ଏମାନଙ୍କର ଦୃଢ଼ ଶରୀର ଗଠନ ଥିଲା।
 ଲିଏଣ୍ଡରଥାଲ୍ ମାନଵମାନଙ୍କର ଉଚ୍ଚତା ପ୍ରାୟ ୫ ରୁ ୫.୬ ଫୁଟ ହେଉଥିଲା । ପୁରୁଷମାନେ ସାଧାରଣତଃ ମହିଳାଙ୍କ ଅପେକ୍ଷା ଅଧିକ ଉଚ୍ଚ ଥିଲେ।

ଏହାପରେ ଆଜକୁ ପ୍ରାୟ ୩୦୦,୦୦୦ ଵର୍ଷ ପୂର୍ଵେ ଧରାପୃଷ୍ଠରେ ଅଵତୀର୍ଣ୍ଣ ହେଲା ପୃଥିଵୀର ସବୁଠାରୁ ବୁଦ୍ଧିମାନ Homo sapiens ମାନଵ ।‌ ପ୍ରାରମ୍ଭିକ Homo sapiensଙ୍କର ଉଚ୍ଚତା ପରିଵେଶ, ପୁଷ୍ଟିକର ଖାଦ୍ୟ, ଓ ଜୀଵନଶୈଳୀ ଉପରେ ନିର୍ଭର କରୁଥିଲା।Homo sapiensଙ୍କର ଵିଭିନ୍ନ ସମୟକାଳର ଜୀଵାଶ୍ମରୁ ଜଣାଯାଏ ଯେ ଏମାନଙ୍କର ଉଚ୍ଚତା ପ୍ରାୟ ପ୍ରାୟ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ହେଉଥିଲା । 
କିମ୍ବଦନ୍ତୀ, ପୌରାଣିକ କାହାଣୀରେ ପ୍ରାଚୀନ ମନୁଷ୍ୟ ଏଵଂ ସେମାନଙ୍କ ପୂର୍ଵଜଙ୍କର ଦଶ ଫୁଟ୍ ଉଚ୍ଚତା ଵିଶିଷ୍ଟ ଆଦି ଅତିରଞ୍ଜିତ ଵର୍ଣ୍ଣନା ପୂର୍ଣ୍ଣତଃ ପ୍ରମାଣହୀନ ଅଟେ । 

Thursday, September 4, 2025

ପାଚେ ପାଚେ ରେ ... (କୋରାପୁଟର ଓଡ଼ିଆ ଲୋକଗୀତ)

“ପାଚେ ପାଚେରେ ଗାଲ 
ମାମୁଁ ଆଣିଦେଵ ପାଚିଲା ବେଲ ।
ପାଚେ ପାଚେରେ ଆଖି 
ମାମୁଁ ଆଣିଦେଵ ପାରାପକ୍ଷୀ ।
ପାଚେ ପାଚେରେ କାନ 
ମାମୁଁ ଆଣିଦେଵ ପାଚିଲା ପାନ ।
ପାଚେ ପାଚେ ରେ ନାକଦଣ୍ଡା।
ମାମୁଁ ଆଣିଦେଵ ଆଖୁଧଣ୍ଡା ।”

କୋରାପୁଟର ଏହି ଲୋକଗୀତଟି ସଂକଳକ 
ରାମକୃଷ୍ଣ ନନ୍ଦଙ୍କ ଓଡ଼ିଆ ଶିଶୁ ସାହିତ୍ୟ ସଂକଳନ ପୁସ୍ତକରେ ୨୩ତମ ପୃଷ୍ଠାରେ ରହିଛି । 

Thursday, August 21, 2025

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ରହ୍ମାଣ୍ଡର ଅସୀମ ଵିସ୍ତାର ପର୍ଯ୍ୟନ୍ତ ପହଞ୍ଚାଇଵାର ଏକ ଅନନ୍ୟ ପ୍ରୟାସ ମଧ୍ୟ କରାଯାଇଥିଲା। ଏହି ଯାନଦ୍ଵୟରେ ସଂଲଗ୍ନ "ଵୟେଜର ଗୋଲ୍ଡେନ ରେକର୍ଡ" ଏକ ସୁନା ଯଡ଼ିତ ତମ୍ବା ଡିସ୍କ ଅଟେ ।‌ ଏଥିରେ ମାନଵ ସଭ୍ୟତାର ସନ୍ଦେଶକୁ କୌଣସି ସମ୍ଭାଵ୍ୟ ଵାହ୍ୟ-ଗ୍ରହୀୟ ସଭ୍ୟତା ପାଇଁ ସଂରକ୍ଷିତ କରାଯାଇଥିଲା। ଵୟେଜର ଗୋଲ୍ଡେନ ରେକର୍ଡରେ 115ଟି ଫଟୋ, ପୃଥିଵୀର ଶବ୍ଦ, 55ଟି ଭାଷାରେ ଅଭିଵାଦନ ଏଵଂ 27ଟି ସଂଗୀତ ରଚନା ରହିଛି। ଏଥିରେ ଥିଵା ରଚନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି "Dark Was The Night, Cold Was The Ground", ଯାହା ଆମେରିକୀୟ ବ୍ଲୁଜ୍ ସଙ୍ଗୀତକାର ବ୍ଲାଇଣ୍ଡ୍ ୱିଲି ଜନସନ୍‌ଙ୍କ ଦ୍ୱାରା ରଚିତ। ଏହି ଗୀତଟିରେ ଗିଟାରର ମନ୍ଥର ସୁର ଏଵଂ ଗୁଣୁଗୁଣୁ ଧ୍ଵନି ଅଛି । ଏ ସଂଗୀତରେ ଯେଉଁ ଗଭୀର ଭାଵ ରହିଛି ତାହା ମାନଵତାର ଗଭୀର ଭାଵନା—ଵେଦନା,ଵିଵିକ୍ତତା ଏଵଂ ଆଶା—ର ପ୍ରତୀକ ହୋଇପାରିଛି। 
ଵୟେଜର ଗୋଲ୍ଡେନ ରେକର୍ଡର ଧାରଣା ନାସାର ଵୈଜ୍ଞାନିକ ଓ ଖଗୋଳଵିତ୍‌ମାନଙ୍କର ଏକ ଦଳର ଥିଲା, ଯାହାର ନେତୃତ୍ୱ ନେଇଥିଲେ କାର୍ଲ୍ ସାଗାନ। ସାଗାନ ସେତେବେଳେ ଖଗୋଳ ଵିଜ୍ଞାନ ଓ ଵୈଜ୍ଞାନିକ ମହଲରେ ଜଣେ ପ୍ରଖ୍ୟାତ ଵ୍ୟକ୍ତିତ୍ୱ ଥିଲେ ଏଵଂ ଏହି ପ୍ରକଳ୍ପକୁ ମାନଵତାର ଏକ ସମୟ କ୍ୟାପସୁଲ୍ ଭାବେ ଦେଖୁଥିଲେ। ସେ ଏ ଵିଷୟରେ କହିଥିଲେ,"The Voyager record is a message in a bottle, cast into the cosmic ocean, a gesture of hope that someone, somewhere, might find it and understand who we were."
(ଵୟେଜର ରେକର୍ଡ ଏକ ବୋତଲରେ ବନ୍ଦ ସନ୍ଦେଶ ପରି ଯାହା ବ୍ରହ୍ମାଣ୍ଡୀୟ ସାଗରରେ ନିକ୍ଷେପ କରାଯାଇଛି । ଏହା ଏମିତି ଏକ ଆଶାର ଇଙ୍ଗିତ ଯଦି କେହି କେଉଁଠି ଏହାକୁ ପାଇଯାଏ ତେବେ ଆମେ କିଏ ଥିଲୁ ତାହା ସେ ବୁଝିପାରିଵ ।)

ଏହି ରେକର୍ଡରେ ସଙ୍ଗୀତ ଚୟନ ଏକ ଜଟିଳ ପ୍ରକ୍ରିୟା ଥିଲା। ଵିଜ୍ଞାନ ଲେଖକ ଏଵଂ ଏହି ପ୍ରକଳ୍ପର ଜଣେ ପ୍ରମୁଖ ସଦସ୍ୟ "ଟିମୋଥି ଫେରିସ", ସଙ୍ଗୀତ ଚୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଫେରିସ ଏପରି ରଚନା ଚୟନ କରିଥିଲେ ଯାହା ମାନଵ ସଂସ୍କୃତିର ଵିଵିଧତାକୁ ପ୍ରତିଫଳିତ କରୁଥିଲା ପୁଣି ମାନଵୀୟ ଭାଵନାର ଗଭୀରତାକୁ ମଧ୍ୟ ପ୍ରକାଶ କରୁଥିଲା। "Dark Was The Night, Cold Was The Ground" ର ଚୟନ ଏହି ଦୃଷ୍ଟିକୋଣର ଏକ ଉତ୍କୃଷ୍ଟ ଉଦାହରଣ।

ତେବେ ପ୍ରୋକ୍ତ ସଂଗୀତ "Dark Was The Night, Cold Was The Groundର ସଂଗୀତକାର ବ୍ଲାଇଣ୍ଡ ୱିଲି ଜନସନ କିଏ କ'ଣ ତାଙ୍କର କାହାଣୀ ଏଵଂ କାହିଁକି ସମସ୍ତେ ତାହା ଜାଣିଵା ଉଚିତ ? 

ୱିଲି ଜନସନ (1897-1945) ଜଣେ ଆମେରିକୀୟ ବ୍ଲୁଜ୍ ଓ ଗସ୍ପେଲ ସଙ୍ଗୀତକାର ଥିଲେ। ଟେକ୍ସାସ୍‌ର ଏକ ଛୋଟ ସହରରେ ଜନ୍ମ ହୋଇଥିଵା ୱିଲିଙ୍କ ଜୀଵନ ଦୁଃଖ ଓ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। କଥିତ ହୁଏ ୱିଲିଙ୍କୁ ସାତ ଵର୍ଷ ଵୟସ ହୋଇଥିଲାବେଳେ ତାଙ୍କ ସାବତ ମା’ ତାଙ୍କ ମୁହଁକୁ ଏକ କାଷ୍ଟିକ୍ ରାସାୟନିକ ଫୋପାଡ଼ି ଦେଇଥିଲେ, ଯାହାଦ୍ୱାରା ତାଙ୍କ ଦୃଷ୍ଟି ଶକ୍ତି ସବୁଦିନ ପାଇଁ ଚାଲିଯାଇଥିଲା। ଏହି କାହାଣୀର ଐତିହାସିକ ପୁଷ୍ଟି ହୋଇନଥିଲେ ମଧ୍ୟ ଏହା ନିଶ୍ଚିତ ଯେ ୱିଲି ଜନ୍ମରୁ କିମ୍ବା ଶିଶୁଅଵସ୍ଥାରେ ହିଁ ଦୃଷ୍ଟିହୀନ ହୋଇଯାଇଥିଲେ। ୱିଲିଙ୍କ ଜୀଵନ ଦାରିଦ୍ର୍ୟ ଏଵଂ ଵୈଷମ୍ୟରେ କଟିଥିଲା। ସେ ରାସ୍ତାରେ ଗୀତ ଗାଉଥିଲେ ଏଵଂ ତାଙ୍କ ଆୟର ମୁଖ୍ୟ ଉତ୍ସ ଥିଲା ଲୋକଙ୍କ ଦ୍ଵାରା ପ୍ରଦତ୍ତ ଛୋଟ-ମୋଟ ଦାନ। ୱିଲି ଜନସନ୍‌ଙ୍କ ଵିଵାହ ଏଞ୍ଜେଲାଇନ ଜନସନଙ୍କ ସହିତ ହୋଇଥିଲା ଏଵଂ ସେ ତାଙ୍କ ଗାୟନ ଓ ପ୍ରଦର୍ଶନରେ ସହଯୋଗୀ ଥିଲେ। 1945 ମସିହାରେ ୱିଲିଙ୍କ ଘରେ ନିଆଁ ଲାଗିଵା ପରେ ତାଙ୍କ ପାଖରେ କୌଣସି ଆଶ୍ରୟ ବାକି ନଥିଲା। ଓଦା ମେଜିଆ ଉପରେ ଖବରକାଗଜ ବିଛାଇ ଶୋଇଵା ହେତୁ ତାଙ୍କୁ ନିମୋନିଆ ହୋଇଥିଲା। ଜଣେ ଅଶ୍ୱେତ ଵ୍ୟକ୍ତି ହୋଇଥିଵାରୁ ତଥା ସେତେବେଳେ ଆମେରିକାରେ ଜାତିଗତ ଵୈଷମ୍ୟ ଉତ୍କଟ ଥିଵାରୁ ତାଙ୍କୁ କୌଣସି ହସ୍ପିଟାଲରେ ଭର୍ତ୍ତି କରାଯାଇନଥିଲା ଏଵଂ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

ୱିଲିଙ୍କ ଜୀଵନର ଏହି ଦୁଃଖାନ୍ତ କାହାଣୀ ତାଙ୍କର ସଙ୍ଗୀତରେ ପ୍ରତିଫଳିତ ହୋଇଛି। ତାଙ୍କ ରଚନା ଵିଶେଷତଃ "Dark Was The Night, Cold Was The Ground", ମାନଵୀୟ ବେଦନା ଏଵଂ ଆଧ୍ୟାତ୍ମିକ ଗଭୀରତାର ଏକ ମର୍ମସ୍ପର୍ଶୀ ଚିତ୍ରଣ।

1927 ମସିହାରେ ରେକର୍ଡ କରାଯାଇଥିଵା ଏହି "Dark Was The Night, Cold Was The Ground ଗୀତଟି ଏକ ପାରମ୍ପରିକ ଗସ୍ପେଲ୍ ହାଇମ୍ ଉପରେ ଆଧାରିତ, ଯାହାକୁ ୱିଲି ନିଜର ଅନନ୍ୟ ଶୈଳୀରେ ଉପସ୍ଥାପନ କରିଥିଲେ। ଏଥିରେ କୌଣସି ଭାଷାର ଶବ୍ଦ ନାହିଁ କେଵଳ ତାଙ୍କ ସ୍ଲାଇଡ୍ ଗିଟାର୍‌ର ମନ୍ଥର ସୁର ଏଵଂ ଗଭୀର ଓ ଭାଵନାତ୍ମକ ଗୁଣୁଗୁଣୁ ଧ୍ଵନି ଅଛି। ଏହି ଗୀତ ମାନଵତାର ମୌଳିକ ଭାବନା—ନିଃସଙ୍ଗ ଜୀଵନ,ବେଦନା ଏଵଂ ଆଶା ଇତ୍ୟାଦି ଭାଵକୁ ପ୍ରକାଶ କରେ। ସଙ୍ଗୀତ ଇତିହାସକାର ଟେଡ୍ ଜିଓଇୟା ଏହି ଗୀତ ଵିଷୟରେ କହିଛନ୍ତି: "Blind Willie Johnson's 'Dark Was The Night' is not just a song; it’s a primal cry of the human spirit, transcending language and culture."(ବ୍ଲାଇଣ୍ଡ୍ ୱିଲି ଜନସନଙ୍କ "Dark Was The Night’ କେଵଳ ଗୋଟିଏ ଗୀତ ନୁହେଁ; ଏହା ମାନଵ ଆତ୍ମାର ଏକ ପ୍ରାଚୀନ ଆର୍ତ୍ତନାଦ, ଯାହା ଭାଷା ଓ ସଂସ୍କୃତିକୁ ଅତିକ୍ରମ କରିଯାଇଛି ।)

ଟିମୋଥି ଫେରିସ୍ ଏହି ଗୀତକୁ ଶୁଣି ତତ୍କ୍ଷଣାତ୍ ଏହାକୁ ଵୟେଜର଼ ରେକର୍ଡ଼ ପାଇଁ ଚୟନ କରିଥିଲେ। ତାଙ୍କ ମତରେ, ଏହି ଗୀତ ମାନଵତାର ସେହି ପ୍ରାଚୀନ ଇତିହାସକୁ ପ୍ରତିଫଳିତ କରେ ଯେତେବେଳେ ଆମ ପାଖରେ ଭାଷା କିମ୍ବା ସୁସଙ୍ଗଠିତ ସଭ୍ୟତା ନଥିଲା। ଏହି ଗୀତ ସେହି ସମୟକୁ ପ୍ରତିଵିମ୍ବିତ କରେ ଯେତେବେଳେ ମନୁଷ୍ୟ ଖୋଲା ଆକାଶ ତଳେ, ଥଣ୍ଡା ରାତିରେ, ନିଜର ଭାଵନାକୁ କେଵଳ ଶବ୍ଦ ଓ ଗୁଣୁଗୁଣୁ ଧ୍ଵନି ମାଧ୍ୟମରେ ପ୍ରକାଶ କରୁଥିଲା। ଫେରିସ ଲେଖିଛନ୍ତି : "In its wordless moan, I heard the sound of humanity’s loneliness in an indifferent universe, and yet, a quiet resilience that refuses to be silenced."(ଏହାର ଶବ୍ଦହୀନ ଗୁଣୁଗୁଣୁ ମଧ୍ୟରେ ମୁଁ ଏକ ଉଦାସୀନ ବ୍ରହ୍ମାଣ୍ଡରେ ମାନଵତାର ଵିଵିକ୍ତତାର ଶବ୍ଦ ଶୁଣିଲି ଏଵଂ ତଥାପି ସେଥିରେ ଏକ ଶାନ୍ତ ସ୍ଥିତିସ୍ଥାପକତା ରହିଛି ଯାହା ଚୁପ ହେଵାକୁ ମନା କରେ।)

ଵୟେଜର ଗୋଲ୍ଡେନ ରେକର୍ଡ ମଧ୍ୟରେ ଥିଵା ମୋଟ୍ 27ଟି ଗୀତ ଭିତରୁ "Dark Was The Night" ଏକମାତ୍ର ଗୀତ ଯାହା ଶବ୍ଦ ବିନା ମାନଵତାର କାହାଣୀ କହେ। ଏହି ରେକର୍ଡରେ ବାଖ୍, ବିଥୋଵେନ୍ ଓ ମୋଜାର୍ଟଙ୍କ ପରି ଶାସ୍ତ୍ରୀୟ ସଙ୍ଗୀତକାରଙ୍କ ସହିତ ଵିଶ୍ୱର ଵିଭିନ୍ନ ସଂସ୍କୃତିର ସଙ୍ଗୀତ ଭାରତର ରାଗ, ଜାପାନୀ ଶାକୁହାଚି ଏବଂ ଆଫ୍ରିକୀୟ ଢୋଲ ଇତ୍ୟାଦି ରହିଛି ତେବେ ୱିଲି ଜନସନଙ୍କ ଏହି "Dark Was The Night, Cold Was The Ground" ଗୀତଟିର ସରଳତା ଓ ଗଭୀରତା ଏହାକୁ ଏକ ଉତ୍କୃଷ୍ଟ ଚୟନ ରୂପେ ପରିଗଣିତ କରିଥାଏ । 

ତେବେ ୱିଲି ଜନସନଙ୍କ ସଙ୍ଗୀତ କେଵଳ ଭୟେଜର ରେକର୍ଡ ମାଧ୍ୟମରେ ମହାକାଶକୁ ପହଞ୍ଚି ନାହିଁ ଵରଂ ପୃଥିଵୀରେ ମଧ୍ୟ ଏହାର ପ୍ରଭାବ ଗଭୀର ରହିଛି। ତାଙ୍କ ଗୀତଗୁଡ଼ିକ ବ୍ଲୁଜ୍ ଓ ଗସ୍ପେଲ ସଙ୍ଗୀତ ପରମ୍ପରାକୁ ସମୃଦ୍ଧ କରିଛି ଏଵଂ ପରଵର୍ତ୍ତୀ ସଙ୍ଗୀତକାରମାନଙ୍କୁ, ଯେପରିକି ଏରିକ୍ କ୍ଲାପ୍ଟନ, ଲେଡ୍ ଜେପ୍ପେଲିନ, ଏଵଂ ବବ୍ ଡିଲନ୍‌ଙ୍କୁ ପ୍ରେରଣା ପ୍ରଦାନ କରିଛି। ବବ୍ ଡିଲନ୍ ତାଙ୍କର ଏକ ସାକ୍ଷାତକାରରେ ଥରେ ୱିଲି ଜନସନ୍‌ଙ୍କ ସମ୍ବନ୍ଧରେ କହିଥିଲେ: "Blind Willie’s music cuts through you like a knife. It’s raw, it’s real, and it’s eternal."*(ବ୍ଲାଇଣ୍ଡ ୱିଲିଙ୍କ ସଙ୍ଗୀତ ଛୁରୀ ପରି ଆପଣଙ୍କୁ ଚିରିଦିଏ। ଏହା ଖାଣ୍ଟି, ଏହା ଵାସ୍ତଵ, ଏଵଂ ଏହା ଶାଶ୍ୱତ।)

ଆଜି ଵୟେଜର-1 ପୃଥିଵୀଠାରୁ ପ୍ରାୟ 24 ବିଲିୟନ କିଲୋମିଟର ଦୂରରେ ଅଛି ଏଵଂ ଅନ୍ତଃତାରକୀୟ ମହାକାଶରେ ପ୍ରଵେଶ କରିସାରିଛି। ଏହା ମାନଵ ନିର୍ମିତ ପ୍ରଥମ ଯାନ ଯାହା ଆମ ସୌରମଣ୍ଡଳ ଵାହ୍ୟଭାଗର ନିକଟତର ହୋଇଅଛି । ତେବେ ଏହି ଯାନ ସହିତ ବ୍ଲାଇଣ୍ଡ ୱିଲି ଜନସନଙ୍କ ଗୀତ, ମାନଵତାର ଏକ କଣ୍ଠସ୍ୱର ରୂପେ, ବ୍ରହ୍ମାଣ୍ଡର କୌଣସି କୋଣରେ ଥିଵା ଅଜଣା ସଭ୍ୟତା ପାଖରେ ପହଞ୍ଚିଵାର ଅପେକ୍ଷାରେ ଯାତ୍ରା କରୁଛି ।

Tuesday, August 19, 2025

କଲମ୍ବସଙ୍କ ପୂର୍ଵରୁ ହିଁ ଆମେରିକାର ଆଵିଷ୍କାର ହୋଇସାରିଥିଲା କି ?

କ୍ରିଷ୍ଟୋଫର କଲମ୍ବସ ୧୪୯୨ ମସିହାରେ ଆମେରିକା ଆଵିଷ୍କାର କରିଥିଲେ । ବିଶ୍ୱରେ ସ୍ୱୀକୃତି ମିଳିଛି। କିନ୍ତୁ କଲମ୍ବସଙ୍କ ପୂର୍ଵରୁ ମଧ୍ୟ ଵିଭିନ୍ନ ସଭ୍ୟତାର ଲୋକମାନେ ଆମେରିକା ମହାଦେଶରେ ପହଞ୍ଚିଥିଲେ ବୋଲି ଆଜିକାଲି ଅନେକ ଦାବି କରାଯାଉଛି । ଏହି ଦାବିଗୁଡ଼ିକ କେତେକ ପୁରାତାତ୍ତ୍ୱିକ ସାକ୍ଷ୍ୟ, ଐତିହାସିକ ଵିଵରଣୀ, ଓ ଲୋକକଥା ଉପରେ ଆଧାରିତ। 

ତେବେ ଆମେରିକାରେ ପ୍ରଥମ ମାନଵ ଉପସ୍ଥିତିର ସବୁଠାରୁ ପୁରାତନ ସାକ୍ଷ୍ୟ ହେଉଛି ପେଲିଓ-ଇଣ୍ଡିଆନ୍ସ। ପୁରାତାତ୍ତ୍ୱିକ ଅନୁସନ୍ଧାନ ଅନୁସାରେ, ପ୍ରାୟ ୧୫,୦୦୦ ଵର୍ଷ ପୂର୍ଵେ ଏସିଆରୁ ବେରିଙ୍ଗିଆ ଭୂମି ପୋଲ ଦେଇ ଏହି ଲୋକମାନେ ଆମେରିକାରେ ପହଞ୍ଚିଥିଲେ। ଏମାନେ ଆମେରିକାର ସ୍ୱଦେଶୀ ଜନଜାତିର ପୂର୍ଵଜ ଥିଲେ। ନ୍ୟୁ ମେକ୍ସିକୋର କ୍ଲୋଵିସ୍ ସାଇଟ୍ ଓ ମୋଣ୍ଟେ ଵେର୍ଦେ (ଚିଲିରେ)ରେ ମିଳିଥିଵା ସାକ୍ଷ୍ୟ ଏହାର ପ୍ରମାଣ।

ଆଧୁନିକ ଯୁଗରେ କଲମ୍ବସଙ୍କ ପୂର୍ଵରୁ ଆମେରିକାରେ ପହଞ୍ଚିଥିଵାର ସବୁଠାରୁ ନିର୍ଭରଯୋଗ୍ୟ ସାକ୍ଷ୍ୟ ନୋର୍ସ୍ ଅନୁସନ୍ଧାନକାରୀଙ୍କର ବୋଲି କେତେକ ପ୍ରମାଣ ମିଳିଅଛି। ପ୍ରାୟ ୧୦୦୦ ଖ୍ରୀଷ୍ଟାବ୍ଦରେ, ଲେଇଫ୍ ଏରିକ୍ସନ୍ ନାମକ ଜଣେ ନୋର୍ସ ଅନୁସନ୍ଧାନକାରୀ ନ୍ୟୁଫାଉଣ୍ଡଲ୍ୟାଣ୍ଡ (କାନାଡା)ର ଲାନ୍ସେ ଅକ୍ସ ମେଡୋଜ୍‌ରେ ପହଞ୍ଚିଥିଲେ। ଏହି ସ୍ଥାନକୁ ସେମାନେ "ଭିନଲାଣ୍ଡ" ନାମ ଦେଇଥିଲେ। ପୁରାତାତ୍ତ୍ୱିକ ଖନନ ଓ ନେଚର୍ ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନ (୨୦୨୧) ଅନୁସାରେ, ୧୦୨୧ ଖ୍ରୀଷ୍ଟାବ୍ଦରେ ଏହି ସ୍ଥାନରେ ନୋର୍ସ ଵସତି ଥିଵା ପ୍ରମାଣିତ ହୋଇଛି।

ଗେଵିନ୍ ମେନ୍ଜିସ୍‌ଙ୍କ ପରି କେତେଜଣ ଐତିହାସିକ ଓ ଲେଖକ ଦାବି କରନ୍ତି ଯେ ୧୪୨୧ ମସିହାରେ ଚୀନୀ ନାଵିକ ଝେଙ୍ଗ୍ ହେ ଆମେରିକାର ପଶ୍ଚିମ ଉପକୂଳରେ ପହଞ୍ଚିଥିଲେ। ମେନ୍ଜିସ୍‌ଙ୍କ ପୁସ୍ତକ "1421: The Year China Discovered America"ରେ ଏହି ଦାବି ଉପସ୍ଥାପିତ ହୋଇଛି। କିନ୍ତୁ, ଏହା ଵିଶ୍ୱଵ୍ୟାପୀ ଐତିହାସିକମାନଙ୍କ ଦ୍ୱାରା ଵିଵାଦୀୟ ବୋଲି ଵିଵେଚିତ ହେଉଛି ଏଵଂ ଏହାର ସମର୍ଥନରେ ସୁନିଶ୍ଚିତ ପୁରାତାତ୍ତ୍ୱିକ ସାକ୍ଷ୍ୟ ନାହିଁ।

ପୋଲିନେସିଆନ୍ ନାଵିକମାନେ ଅତ୍ୟନ୍ତ ଦକ୍ଷ ସମୁଦ୍ର ଯାତ୍ରୀ ଥିଲେ ଏଵଂ ପ୍ରଶାନ୍ତ ମହାସାଗରରେ ଵିସ୍ତୃତ ଭାବେ ଯାତ୍ରା କରୁଥିଲେ। କେତେକ ଗଵେଷଣା ଅନୁସାରେ, ପ୍ରାୟ ୧୨୦୦ ଖ୍ରୀଷ୍ଟାବ୍ଦ ପୂର୍ଵରୁ ପୋଲିନେସିଆନ୍‌ମାନେ ଦକ୍ଷିଣ ଆମେରିକାର ଉପକୂଳରେ ପହଞ୍ଚିଥାଇପାରନ୍ତି। ସମ୍ଭଵତଃ ଦକ୍ଷିଣ ଆମେରିକାରେ ମିଳୁଥିଵା ମିଠା ଆଳୁ (sweet potato), ଯାହା ପୋଲିନେସିଆରୁ ଆସିଥାଇପାରେ । ଏହା ଛଡ଼ା, କୁକ୍ ଦ୍ୱୀପ ଓ ଦକ୍ଷିଣ ଆମେରିକାରେ Roosterfish ପାଇଁ ସମାନ ଶବ୍ଦ ଵ୍ୟଵହାର ଏହି ଦାବିକୁ ସମର୍ଥନ କରେ।

ଫୋନିସିଆନ୍‌ମାନେ ମଧ୍ୟ ପ୍ରାଚୀନ କାଳରେ (ପ୍ରାୟ ୧୫୦୦ ଖ୍ରୀଷ୍ଟପୂର୍ଵ) ଉନ୍ନତ ସମୁଦ୍ର ଯାତ୍ରୀ ଥିଲେ। କେତେକ ଵିଶେଷଜ୍ଞ ଦାବି କରନ୍ତି ଯେ ସେମାନେ ଆଟଲାଣ୍ଟିକ ମହାସାଗର ଅତିକ୍ରମ କରି ଆମେରିକାରେ ପହଞ୍ଚିଥାଇପାରନ୍ତି। ବ୍ରାଜିଲରେ ମିଳିଥିଵା କିଛି ଶିଳାଲେଖ (ପେଦ୍ରା ଦା ଗାଭେଆ) ଫୋନିସିଆନ ଲିପି ସହ ସମାନତା ଦେଖାଉଛି ତେବେ ଏହା ଵିଵାଦୀୟ ଏଵଂ ସ୍ୱୀକୃତ ନୁହେଁ।

ଆଇରିଶ ଲୋକକଥା ଅନୁସାରେ ୬ଷ୍ଠ ଶତାବ୍ଦୀରେ ସନ୍ଥ ବ୍ରେଣ୍ଡାନ (ବ୍ରେଣ୍ଡାନ ଦି ନାଭିଗେଟର) ଏକ ଚର୍ମନିର୍ମିତ ନୌକାରେ ଆଟଲାଣ୍ଟିକ ଅତିକ୍ରମ କରି ଏକ "ପ୍ରୋମିସ୍ଡ ଲ୍ୟାଣ୍ଡ"ରେ ପହଞ୍ଚିଥିଲେ, ଯାହାକୁ କେତେକେ ଆମେରିକା ବୋଲି ମନେ କରନ୍ତି। ଏହି କାହାଣୀ "ନାଭିଗାଟିଓ ସାଙ୍କଟି ବ୍ରେଣ୍ଡାନି" ନାମକ ଗ୍ରନ୍ଥରେ ଵର୍ଣ୍ଣିତ। କିନ୍ତୁ, ଏହାର କୌଣସି ପୁରାତାତ୍ତ୍ୱିକ ସାକ୍ଷ୍ୟ ନାହିଁ।

କେତେକ ଗବେଷଣା ଅନୁସାରେ, ପ୍ରାଚୀନ ଜାପାନୀ ମତ୍ସ୍ୟଜୀଵୀମାନେ ପ୍ରଶାନ୍ତ ମହାସାଗରରେ ସମୁଦ୍ର ସ୍ରୋତ ଯୋଗୁଁ ଆମେରିକାର ପଶ୍ଚିମ ଉପକୂଳରେ ପହଞ୍ଚିଥାଇପାରନ୍ତି। ଉତ୍ତର-ପଶ୍ଚିମ ଆମେରିକାରେ ମିଳିଥିଵା କିଛି ମାଟିପାତ୍ରରେ ଜୋମୋନ ସଂସ୍କୃତି (ଜାପାନ) ସହ ସମାନତା ଦେଖାଯାଏ, ଯଦିଓ ଏହା ସମ୍ପୂର୍ଣ୍ଣ ପ୍ରମାଣିତ ନୁହେଁ । 

ପଶ୍ଚିମ ଆଫ୍ରିକାର ମାଲି ସାମ୍ରାଜ୍ୟର ଶାସକ ଅବୁ ବକ୍ରୀ II ପ୍ରାୟ ୧୩୧୧ ମସିହାରେ ଏକ ବିରାଟ ନୌଵାହିନୀ ନେଇ ଆଟଲାଣ୍ଟିକ ଅତିକ୍ରମ କରି ଆମେରିକାରେ ପହଞ୍ଚିଥିଲେ ବୋଲି କେତେକ ଆଫ୍ରିକୀୟ ଐତିହାସିକ ଦାବି କରନ୍ତି। ଏହାର ସାକ୍ଷ୍ୟ ହେଉଛି ମେକ୍ସିକୋର ଓଲମେକ ସଂସ୍କୃତିରେ ମିଳିଥିଵା କିଛି ମୂର୍ତ୍ତି, ଯେଉଁଗୁଡ଼ିକରେ ଆଫ୍ରିକୀୟ ମୁଖଚ୍ଛବି ଦେଖାଯାଏ। କିନ୍ତୁ, ଏହା ମୁଖ୍ୟଧାରା ଇତିହାସକାରୀଙ୍କ ଦ୍ୱାରା ସ୍ୱୀକୃତ ନୁହେଁ।

କେତେକ ସିଦ୍ଧାନ୍ତ ଅନୁସାରେ, ପ୍ରାଚୀନ ମିଶରୀୟମାନେ ପ୍ରାୟ ୧୫୦୦ ଖ୍ରୀଷ୍ଟପୂର୍ଵରେ ଆମେରିକାରେ ପହଞ୍ଚିଥାଇପାରନ୍ତି। ଏହାର ସାକ୍ଷ୍ୟ ହେଉଛି ମେକ୍ସିକୋର ଓଲମେକ ସଂସ୍କୃତିରେ ମିଳିଥିବା କିଛି ପିରାମିଡ ଓ ଶିଳାଲେଖ, ଯେଉଁଗୁଡ଼ିକ ମିଶରୀୟ ସଂସ୍କୃତି ସହ ସମାନତା ଦେଖାଉଛି। ତଥାପି, ଏହା ଅଧିକାଂଶ ଐତିହାସିକଙ୍କ ଦ୍ୱାରା ଵିଵାଦୀୟ ବୋଲି ବିବେଚିତ।

ୱେଲ୍ସ ଲୋକକଥା ଅନୁସାରେ, ୧୨ଶ ଶତାବ୍ଦୀରେ (ପ୍ରାୟ ୧୧୭୦ ଖ୍ରୀଷ୍ଟାବ୍ଦ) ମାଡୋକ ଅପ ଓୱେନ୍ ଗ୍ବିନେଡ ନାମକ ଜଣେ ୱେଲ୍ସ ରାଜକୁମାର ଆଟଲାଣ୍ଟିକ ମହାସାଗର ଅତିକ୍ରମ କରି ଆମେରିକାରେ ପହଞ୍ଚିଥିଲେ। କେତେକ ଦାବି ଅନୁସାରେ, ସେ ଓ ତାଙ୍କ ଦଳ ଉତ୍ତର ଆମେରିକାରେ, ସମ୍ଭଵତଃ ଆଲାବାମା ଅଞ୍ଚଳରେ, ଏକ ଵସତି ସ୍ଥାପନ କରିଥିଲେ। ଏହାର ସାକ୍ଷ୍ୟ ହେଉଛି ମାଣ୍ଡାନ୍ ଜନଜାତିର ଭାଷାରେ ୱେଲ୍ସ ଶବ୍ଦର ସମାନତା ଏଵଂ କିଛି ଶିଳା ନିର୍ମାଣ ଯାହାର ୱେଲ୍ସ ଶୈଳୀ ସହ ସମାନତା ରହିଛି। କିନ୍ତୁ, ଏହି ଦାବି ମୁଖ୍ୟଧାରା ଐତିହାସିକଙ୍କ ଦ୍ୱାରା ସ୍ୱୀକୃତ ନୁହେଁ ଏଵଂ ଏହାର କୌଣସି ନିର୍ଭରଯୋଗ୍ୟ ପୁରାତାତ୍ତ୍ୱିକ ସାକ୍ଷ୍ୟ ନାହିଁ।
କେତେକ ଗଵେଷଣା ଓ ସିଦ୍ଧାନ୍ତ ଅନୁସାରେ, ପ୍ରାଚୀନ ରୋମାନମାନେ ପ୍ରଥମ ଵା ଦ୍ୱିତୀୟ ଶତାବ୍ଦୀରେ ଆମେରିକାରେ ପହଞ୍ଚିଥାଇପାରନ୍ତି। ବ୍ରାଜିଲର ଗୁଆନାବାରା ଉପସାଗରରେ ୧୯୮୨ ମସିହାରେ ମିଳିଥିଵା କିଛି ମାଟିପାତ୍ର (ଆମ୍ଫୋରା) ରୋମାନ ଶୈଳୀରେ ନିର୍ମିତ ବୋଲି ଦାବି କରାଯାଇଛି। ଏହା ଛଡ଼ା, ମେକ୍ସିକୋରେ ମିଳିଥିଵା ଏକ ରୋମାନ-ଶୈଳୀର ମୂର୍ତ୍ତି ଏହି ସିଦ୍ଧାନ୍ତକୁ ସମର୍ଥନ କରେ। ତଥାପି, ଏହି ସାକ୍ଷ୍ୟଗୁଡ଼ିକ ଵିଵାଦୀୟ ଏଵଂ ଅଧିକାଂଶ ଐତିହାସିକ ଏହାକୁ ଗ୍ରହଣ କରନ୍ତି ନାହିଁ।

କାର୍ଥାଜିନିଆନମାନେ (ପ୍ରାୟ ୫୦୦-୧୪୬ ଖ୍ରୀଷ୍ଟପୂର୍ଵ) ଉତ୍ତର ଆଫ୍ରିକାର ଏକ ଶକ୍ତିଶାଳୀ ସମୁଦ୍ର ଯାତ୍ରୀ ସଭ୍ୟତା ଥିଲେ। କେତେକ ଗଵେଷକ ଦାବି କରନ୍ତି ଯେ ସେମାନେ ଆଟଲାଣ୍ଟିକ ମହାସାଗର ଅତିକ୍ରମ କରି ଆମେରିକାରେ ପହଞ୍ଚିଥାଇପାରନ୍ତି।ବ୍ରାଜିଲରେ ମିଳିଥିଵା କିଛି ଶିଳାଲେଖ ଓ ମୁଦ୍ରା, ଯାହା କାର୍ଥାଜିନିଆନ ସଂସ୍କୃତି ସହ ସମାନତା ଥିଵା ଜଣାଯାଏ । କିନ୍ତୁ, ଏହି ଦାବି ମଧ୍ୟ ଅଧିକାଂଶ ଐତିହାସିକଙ୍କ ଦ୍ୱାରା ସ୍ୱୀକୃତ ନୁହେଁ।

କେତେକ ସିଦ୍ଧାନ୍ତ ଅନୁସାରେ, ପ୍ରାଚୀନ ହିବ୍ରୁ ଵା ଇସ୍ରାଏଲାଇଟମାନେ (ପ୍ରାୟ ୧୦୦୦-୬୦୦ ଖ୍ରୀଷ୍ଟପୂର୍ଵ) ଆମେରିକାରେ ପହଞ୍ଚିଥାଇପାରନ୍ତି। ନ୍ୟୁ ମେକ୍ସିକୋର ଲୋସ ଲୁନାସ ଡେକାଲୋଗ ଷ୍ଟୋନ୍, ଯେଉଁଥିରେ ହିବ୍ରୁ ଲିପିରେ ଲେଖାଯାଇଥିଵା ଦଶ ଆଦେଶ ଥିଵା ଦାବି କରାଯାଏ, ଏହି ସିଦ୍ଧାନ୍ତର ସାକ୍ଷ୍ୟ ବୋଲି କୁହାଯାଏ। ତଥାପି, ଏହାକୁ ଅଧିକାଂଶ ପୁରାତାତ୍ତ୍ୱିକ ସମାଜ ଆଧୁନିକ ନକଲି ବୋଲି ମନେ କରନ୍ତି।

କେତେକ ଐତିହାସିକ ଦାବି କରନ୍ତି ଯେ କଲମ୍ବସଙ୍କ ପୂର୍ଵରୁ ପଞ୍ଚଦଶ ଶତାବ୍ଦୀରେ ପର୍ତ୍ତୁଗୀଜ ନାଵିକମାନେ ଆମେରିକାର ଉତ୍ତର-ପୂର୍ଵ ଉପକୂଳରେ ଵିଶେଷତଃ ନ୍ୟୁଫାଉଣ୍ଡଲ୍ୟାଣ୍ଡ ଓ ଲାବ୍ରାଡୋର ଅଞ୍ଚଳରେ, ପହଞ୍ଚିଥାଇପାରନ୍ତି। ଡିଘ୍ଟନ ରକ (ମାସାଚୁସେଟ୍ସ)ରେ ମିଳିଥିଵା ଶିଳାଲେଖ ପର୍ତ୍ତୁଗୀଜ ନାଵିକଙ୍କ ଉପସ୍ଥିତିର ସାକ୍ଷ୍ୟ ବୋଲି କିଛି ଗଵେଷକ ଦାବି କରନ୍ତି। କିନ୍ତୁ, ଏହା ମଧ୍ୟ ଵିଵାଦୀୟ ଏଵଂ ସମ୍ପୂର୍ଣ୍ଣ ପ୍ରମାଣିତ ନୁହେଁ।

କେତେକ ଗଵେଷକ ଓ ଲେଖକ ଦାବି କରନ୍ତି ଯେ ପ୍ରାଚୀନ କେଲ୍ଟମାନେ (ପ୍ରାୟ ୧୦୦୦-୫୦୦ ଖ୍ରୀଷ୍ଟପୂର୍ଵ) ଆଟଲାଣ୍ଟିକ ମହାସାଗର ଅତିକ୍ରମ କରି ଆମେରିକାରେ ପହଞ୍ଚିଥାଇପାରନ୍ତି। ଏହାର ସାକ୍ଷ୍ୟ ହେଉଛି ଉତ୍ତର ଆମେରିକାର ନିଉ ଇଂଲଣ୍ଡ ଅଞ୍ଚଳରେ ମିଳିଥିଵା କିଛି ଶିଳାଲେଖ, ଯେପରି ମାସାଚୁସେଟ୍ସର "ଓଘମ୍" ଲିପି। ଏହି ଲିପିଗୁଡ଼ିକ କେଲ୍ଟିକ ସଂସ୍କୃତି ସହ ସମାନତା ଦେଖାଉଥିଵା ଦାବି କରାଯାଏ। କିନ୍ତୁ, ଅଧିକାଂଶ ପୁରାତାତ୍ତ୍ୱିକ ଓ ଐତିହାସିକ ସମାଜ ଏହାକୁ ନକଲି ଵା ଅନ୍ୟ ସଂସ୍କୃତିର ସାକ୍ଷ୍ୟ ବୋଲି ମନେ କରନ୍ତି ।

ସ୍ପେନ ଓ ଫ୍ରାନ୍ସର ଏକ ଜନଜାତି ବାସ୍କ ଜାତୀୟ ଲୋକମାନେ ମଧ୍ୟଯୁଗୀୟ ଯୁଗରେ (ପ୍ରାୟ ୧୪୦୦ ଖ୍ରୀଷ୍ଟାବ୍ଦ ପୂର୍ଵରୁ) ଉତ୍ତର ଆମେରିକାରେ ଵିଶେଷତଃ ନ୍ୟୁଫାଉଣ୍ଡଲ୍ୟାଣ୍ଡ ଓ ଲାବ୍ରାଡୋର ଅଞ୍ଚଳରେ, ମାଛ ଧରିଵା ପାଇଁ ଯାଇଥାଇପାରନ୍ତି ବୋଲି କେତେକ ଐତିହାସିକ ଦାବି କରନ୍ତି। ଏହାର ସାକ୍ଷ୍ୟ ହେଉଛି ବାସ୍କ ମତ୍ସ୍ୟଜୀଵୀମାନଙ୍କର ଐତିହାସିକ ଵିଵରଣୀ । ବାସ୍କ ମତ୍ସ୍ୟଜୀଵୀମାନେ କଡ଼ ମାଛ (cod) ଧରିଵା ପାଇଁ ଦୂର ସମୁଦ୍ର ଯାତ୍ରା କରୁଥିଲେ। ତଥାପି, ଏହାର ସୁନିଶ୍ଚିତ ପୁରାତାତ୍ତ୍ୱିକ ସାକ୍ଷ୍ୟ ନାହିଁ, ଏଵଂ ଏହି ଦାବି ଅନୁମାନ ଉପରେ ଆଧାରିତ।

ଚୀନୀ ଐତିହାସିକ ଵିଵରଣୀ ଅନୁସାରେ, ୫ମ ଶତାବ୍ଦୀରେ (ପ୍ରାୟ ୪୫୮ ଖ୍ରୀଷ୍ଟାବ୍ଦ) ହୁଇ ଶେନ ନାମକ ଜଣେ ବୌଦ୍ଧ ଭିକ୍ଷୁ ଏକ ଦୂର ଭୂମିରେ ପହଞ୍ଚିଥିଲେ, ଯାହାକୁ "ଫୁ ସାଙ୍ଗ୍" ବୋଲି କୁହାଯାଇଥିଲା। କେତେକ ଗଵେଷକ ଦାବି କରନ୍ତି ଯେ ଏହି "ଫୁ ସାଙ୍ଗ" ମେକ୍ସିକୋ ଵା ମଧ୍ୟ ଆମେରିକା ହୋଇପାରେ। ଏହାର ସାକ୍ଷ୍ୟ ହେଉଛି ଚୀନୀ ଗ୍ରନ୍ଥ "ଲିଆଙ୍ଗ ଶୁ"ରେ ଵର୍ଣ୍ଣିତ ଏକ ଭୂମିର ଵିଵରଣୀ, ଯେଉଁଥିରେ ମେକ୍ସିକୋର ମାୟା ସଂସ୍କୃତି ସହ କିଛି ସମାନତା ଦେଖାଯାଏ। କିନ୍ତୁ, ଏହା ଅଧିକାଂଶ ଐତିହାସିକଙ୍କ ଦ୍ୱାରା ଵିଵାଦୀୟ ବୋଲି ଵିଵେଚିତ ହୋଇଛି ।

କେତେକ ଅନୁମାନ ଅନୁସାରେ, ଉତ୍ତର ଆଫ୍ରିକାର ସାହାରାନ ଅଞ୍ଚଳର ପୋଲିସାରିଓ ଜାତି ଵା ଅନ୍ୟ ସମୁଦ୍ର ଯାତ୍ରୀ ସଭ୍ୟତା ପ୍ରାୟ ୧୦୦୦ ଖ୍ରୀଷ୍ଟପୂର୍ଵରେ ଆମେରିକାରେ ପହଞ୍ଚିଥାଇପାରନ୍ତି। ଏହାର ସାକ୍ଷ୍ୟ ହେଉଛି ଦକ୍ଷିଣ ଆମେରିକାରେ ମିଳିଥିଵା କିଛି ଶିଳାଲେଖ ଓ ନୌକା ନିର୍ମାଣ ଶୈଳୀ, ଯହିଁର ସମାନତା ଉତ୍ତର ଆଫ୍ରିକୀୟ ସଂସ୍କୃତି ସହ ଦେଖାଯାଇଛି। ତଥାପି, ଏହା ସମ୍ପୂର୍ଣ୍ଣ ଅନୁମାନ ଉପରେ ଆଧାରିତ ଏଵଂ ଏଥିର ସୁନିଶ୍ଚିତ ପ୍ରମାଣର ଅଭାବ ରହିଛି।

କେତେକ ଗବେଷଣା ଅନୁସାରେ ଇଣ୍ଡୋନେସିଆର ପ୍ରାଚୀନ ନାଵିକମାନେ ପୋଲିନେସିଆନ ସଂସ୍କୃତି ସହ ସମ୍ପର୍କିତ ଥିଲେ ଏଵଂ ସେମାନେ ପ୍ରଶାନ୍ତ ମହାସାଗର ଅତିକ୍ରମ କରି ଦକ୍ଷିଣ ଆମେରିକାରେ ପହଞ୍ଚିଥାଇପାରନ୍ତି। ଦକ୍ଷିଣ ଆମେରିକାରେ ମିଳୁଥିଵା କିଛି ନୌକା ନିର୍ମାଣ ଶୈଳୀ ଓ କୃଷି ପଦ୍ଧତି ଇଣ୍ଡୋନେସିଆନ ସଂସ୍କୃତି ସହ ସାମଞ୍ଜସ୍ୟ ଅଛି। ଉଦାହରଣ ସ୍ୱରୂପ, ପେରୁରେ ମିଳୁଥିଵା କିଛି ବାଉଁଶ ନୌକାର ଇଣ୍ଡୋନେସିଆନ ଶୈଳୀ ସମାନତା ରହିଛି। କିନ୍ତୁ, ଏହା ମଧ୍ୟ ଵିଵାଦୀୟ ଓ ଅପ୍ରମାଣିତ।

ଅଧୁନା ଭାରତରେ ମଧ୍ୟ ଦାବି କରାଯାଉଛି ଯେ ଅଷ୍ଟମ ଶତାବ୍ଦୀରେ "ଲଖନୁଖ" ନାମକ ଜଣେ ଭାରତୀୟ ସମୁଦ୍ର ଯାତ୍ରୀ ଆମେରିକାରେ ପହଞ୍ଚିଥିଲେ। ଏହି ଦାବିକୁ ୨୦୨୪ ମସିହାରେ ମଧ୍ୟ ପ୍ରଦେଶର ମନ୍ତ୍ରୀ ଇନ୍ଦର ସିଂହ ପରମାର ସମର୍ଥନ କରିଥିଲେ। କିନ୍ତୁ, ଏହା ସମର୍ଥନରେ କୌଣସି ପ୍ରତ୍ନତାତ୍ତ୍ୱିକ ଵା ଐତିହାସିକ ସାକ୍ଷ୍ୟ ନାହିଁ ଏଵଂ ଏହା ଅଧିକାଂଶ ଐତିହାସିକଙ୍କ ଦ୍ୱାରା ଗ୍ରହଣୀୟ ନୁହେଁ।

କଲମ୍ବସଙ୍କ ପୂର୍ଵରୁ ଆମେରିକାରେ ପହଞ୍ଚିଥିଵା ସମ୍ବନ୍ଧୀୟ ଏହିପରି ଅନେକ ଦାବି ରହିଛି ଯେଉଁଗୁଡ଼ିକ କେତେକ ଅନୁମାନ ଓ ଲୋକକଥା ଉପରେ ଆଧାରିତ। ନୋର୍ସ ଖୋଜାଳିଙ୍କ ସାକ୍ଷ୍ୟ ସବୁଠାରୁ ନିର୍ଭରଯୋଗ୍ୟ ଯେଉଁଥିରେ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମିଳିଛି। ଅନ୍ୟ ଦାବିଗୁଡ଼ିକ ଯଥା- ଚୀନୀ, ଫୋନିସିଆନ ଵା ଭାରତୀୟ ନାଵିକଙ୍କ ଯାତ୍ରା, ଅଧିକାଂଶ କ୍ଷେତ୍ରରେ ଵିଵାଦୀୟ ଏଵଂ ସମ୍ପୂର୍ଣ୍ଣ ପ୍ରମାଣିତ ନୁହେଁ। ତଥାପି, ଏହି ଦାବିଗୁଡ଼ିକ ପ୍ରାଚୀନ ସଭ୍ୟତାଗୁଡ଼ିକର ସମୁଦ୍ର ଯାତ୍ରା ଦକ୍ଷତା ଓ ସାହସିକତାକୁ ପ୍ରତିଫଳିତ କରେ। ଆମେରିକାର ଆଵିଷ୍କାର ଇତିହାସ ଏକ ଜଟିଳ ଓ ଵିଵାଦୀୟ ଵିଷୟ ହୋଇ ରହିଛି, ଯାହା ଭଵିଷ୍ୟତରେ ଵିସ୍ତୃତ ଗଵେଷଣା ଦ୍ୱାରା ଆହୁରି ସ୍ପଷ୍ଟ ହୋଇପାରେ।

Friday, August 15, 2025

“ଭାରତୀୟ ଉପମହାଦେଶରେ ମୁସଲିମ ଆଧିପତ୍ୟର କଳ୍ପନା ଓ ତା’ର ପ୍ରଭାବ”

ଭାରତୀୟ ଉପମହାଦେଶର ଇତିହାସ ଏକ ଜଟିଳ ଓ ଵିଵାଦୀୟ ଅଧ୍ୟାୟରେ ପରିପୂର୍ଣ୍ଣ। ବ୍ରିଟିଶ ଶାସନ ସମୟରେ ଭାରତରେ ରାଜନୈତିକ, ସାମାଜିକ ଓ ଧାର୍ମିକ ଵିଭାଜନ ଗଭୀର ହୋଇଥିଲା। ଏହି ପରିପ୍ରେକ୍ଷୀରେ, ଅଲ ଇଣ୍ଡିଆ ମୁସଲିମ ଲିଗ୍‌ର ଭୂମିକା ଏକ ଗୁରୁତ୍ଵପୂର୍ଣ୍ଣ ଵିଷୟ ହୋଇ ଉଭା ହେଲା। ୧୯୪୦ ମସିହାରେ, ମୁସଲିମ ଲିଗ୍‌ର ସଦସ୍ୟ ଚୌଧରୀ ରେହମତ୍ ଅଲି ଏକ ଵିଭାଜନକାରୀ ମାନଚିତ୍ର ପ୍ରସ୍ତୁତ କରିଥିଲେ, ଯହିଁରେ ଭାରତୀୟ ଉପମହାଦେଶରେ ମୁସଲିମ ଜନବହୁଳ ଅଞ୍ଚଳଗୁଡ଼ିକୁ ନେଇ ଦଶଟି ସ୍ଵାଧୀନ “Pak Commonwealth Nation” ଗଠନର ସ୍ଵପ୍ନକୁ ପ୍ରକାଶ କରାଯାଇଥିଲା । ଏହି ମାନଚିତ୍ରରେ ପାକିସ୍ତାନ ଆଦି ଦଶଗୋଟି ମୁସଲିମ ଦେଶ ଗଠନ କରିଵାର ପ୍ରସ୍ତାଵ ପଛରେ ଭାରତୀୟ ଉପମହାଦେଶରେ ମୁସଲିମ ଆଧିପତ୍ୟ ସ୍ଥାପନ କରିଵାର ଏକ ଵୃହତ୍ ଯୋଜନା ଥିଲା। 

୧୯୦୬ ମସିହାରେ ପ୍ରତିଷ୍ଠିତ ଅଲ ଇଣ୍ଡିଆ ମୁସଲିମ ଲିଗ୍ ପ୍ରାରମ୍ଭରେ ମୁସଲମାନଙ୍କର ରାଜନୈତିକ ଓ ସାମାଜିକ ଅଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲା। କିନ୍ତୁ ୧୯୩୦ ଦଶକ ଆଡ଼କୁ ମୁହମ୍ମଦ ଆଲି ଜିନ୍ନାଙ୍କ ନେତୃତ୍ଵରେ ମୁସଲିମ ଲିଗ୍ ଏକ ଅଲଗା ମୁସଲିମ ରାଷ୍ଟ୍ର ଗଠନର ଦାବି ଉଠାଇଥିଲା। ୧୯୪୦ ମସିହାରେ ଲାହୋର ଅଧିଵେଶନରେ, ମୁସଲିମ ଲିଗ୍ ପାକିସ୍ତାନ ଗଠନର ପ୍ରସ୍ତାଵ ରଖିଥିଲା। କିନ୍ତୁ ଚୌଧରୀ ରେହମତ୍ ଅଲିଙ୍କ ମାନଚିତ୍ର ଏହାଠାରୁ ଅଧିକ ଉଚ୍ଚାକାଙ୍କ୍ଷୀ ଥିଲା। ସେ ଭାରତୀୟ ଉପମହାଦେଶରେ ମୁସଲିମ ଜନବହୁଳ ଅଞ୍ଚଳଗୁଡ଼ିକୁ ନେଇ ଦଶଟି ସ୍ଵାଧୀନ ରାଷ୍ଟ୍ର ଗଠନର ପ୍ରସ୍ତାବ ରଖିଥିଲେ। ଏହି ରାଷ୍ଟ୍ରଗୁଡ଼ିକ ହେଉଛି:

1. ପାକିସ୍ତାନ: ସିନ୍ଧୁ, ଗୁଜରାଟର ଅଧିକାଂଶ ଅଞ୍ଚଳ (ସୌରାଷ୍ଟ୍ର ସମେତ) ଏଵଂ ସମ୍ପୂର୍ଣ୍ଣ ପଞ୍ଜାଵ।
2. ମୋଇନ୍‌ସ୍ତାନ: ରାଜସ୍ଥାନର ଭୂଭାଗ ।
3.ହୈଦରୀସ୍ତାନ: ଉତ୍ତର ପ୍ରଦେଶର ଭୂଭାଗ।
4.ଫାରୁକ୍କୀସ୍ତାନ: ଅବିଭକ୍ତ ଵିହାର ଅଞ୍ଚଳ।
5.ବଙ୍ଗିସ୍ତାନ: ଅଵିଭକ୍ତ ବଙ୍ଗଦେଶ ଏଵଂ ଉତ୍ତର-ପୂର୍ଵ ଭାରତୀୟ ରାଜ୍ୟଗୁଡ଼ିକର ଭୂଭାଗ 
6.ସିଦ୍ଦିକୀସ୍ତାନ: ମଧ୍ୟପ୍ରଦେଶର ଭୂଭାଗ ।
7.ଉସମାନୀସ୍ତାନ: ମହାରାଷ୍ଟ୍ର, ତେଲଙ୍ଗାନା ଓ କର୍ଣ୍ଣାଟକର କେତେକ ଅଞ୍ଚଳ।
8.ମପଲୀସ୍ତାନ: କେରଳ ଅଞ୍ଚଳ ।
9.ନାସାରୀସ୍ତାନ: ଉତ୍ତର-ପୂର୍ଵ ଶ୍ରୀଲଙ୍କା।
10.ସାଫୀସ୍ତାନ: ଉତ୍ତର-ପଶ୍ଚିମ ଶ୍ରୀଲଙ୍କା।
ଏହା ସହିତ, ମୁସଲିମ୍ ଲିଗ୍ ସିନ୍ଧୁସାଗର ଵା ରତ୍ନାକର(ଆରବ ସାଗର) ତଥା ମହୋଦଧି ଵା କଳିଙ୍ଗ ସାଗର(ବଙ୍ଗୋପସାଗରର) ନାମକୁ ପରିଵର୍ତ୍ତନ କରି ମୁସଲିମ୍ ଦେଶର ନାମାନୁସାରେ ନାମକରଣ କରିଵାକୁ ପ୍ରସ୍ତାଵ ଦେଇଥିଲା । ଉଦାହରଣ ସ୍ଵରୂପ ସିନ୍ଧୁସାଗର(ଆରବ ସାଗର)କୁ ପାକିସ୍ତାନ ସାଗର,କେରଳର ପଶ୍ଚିମରେ ମାପଲିସ୍ତାନ ସାଗର,ଶ୍ରୀଲଙ୍କାର ପଶ୍ଚିମରେ ସାଫିଆନସାଗର, ଶ୍ରୀଲଙ୍କାର ପୂର୍ଵରେ ନାସାରିସ୍ତାନସାଗର, ଆନ୍ଧ୍ର ଓ ଓଡ଼ିଶା ଉପକୂଳସ୍ଥ ମହୋଦଧିର ଉସାନିଆନ ସାଗର ଓ ବଙ୍ଗ ନିକଟରେ ବଙ୍ଗସାଗର ଇତ୍ୟାଦି । କେଵଳ ସେତିକି ନୁହେଁ ଏହି ମାନଚିତ୍ରରେ ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜର ଆମିର ଦ୍ଵୀପ ଓ ବଲୁସ୍ ଦ୍ଵୀପ ତଥା ଲାକ୍ଷାଦ୍ଵୀପ ଓ ମାଳଦ୍ଵୀପର ଯଥାକ୍ରମେ ଆଲାମ ଦ୍ଵୀପପୁଞ୍ଜ ଓ ଆମୀନ୍ ଦ୍ଵୀପପୁଞ୍ଜ ନାମକରଣର ପ୍ରସ୍ତାଵ ଦିଆଯାଇଥିଲା । 

ମୁସଲିମ୍ ଲିଗ୍ ଦ୍ଵାରା ପ୍ରସ୍ତାଵିତ ଏହି ମାନଚିତ୍ରରେ କେଵଳ ଭୌଗୋଳିକ ଵିଭାଜନ ନୁହେଁ ଵରଂ ଏକ ଧାର୍ମିକ ଓ ସାଂସ୍କୃତିକ ଵିଭାଜନର ମଧ୍ୟ ସ୍ଵପ୍ନ ରହିଥିଲା।

ଯଦି ମୁସଲିମ ଲିଗ୍‌ର ଏହି ଯୋଜନା ସାକାର ହୋଇଥା’ନ୍ତା, ତେବେ ଭାରତୀୟ ଉପମହାଦେଶର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଆନ୍ତା। 

ଦକ୍ଷିଣ ଏସିଆ ଵିଶେଷତଃ ଭାରତୀୟ ଉପମହାଦେଶ ଏକ ଶସ୍ୟଶ୍ୟାମଳାପୂର୍ଣ୍ଣ ଭୂଭାଗ । ଏଠାରେ ସ୍ଵାଭାବିକ ଭାବେ ପ୍ରକୃତି ସମୃଦ୍ଧି ଖଞ୍ଜିଛି । ପ୍ରାକୃତିକ ଦୃଷ୍ଟାକୋଣରୁ ଏହା ପୃଥିଵୀର ଏକ ସର୍ଵଶ୍ରେଷ୍ଠ ଓ ଉନ୍ନତ ଭୂଭାଗ ହୋଇଥିଵାରୁ ଆମ ପୂର୍ଵଜମାନେ ଏ ଭୂମିକୁ କର୍ମଭୂମି,ଫଳଭୂମି ନାମ ଦେଇଥିଲେ ପୁଣି ସାରା ପୃଥିଵୀରେ ସଭ୍ୟତା ନାଶ ଗଲାବେଳେ କେଵଳ ଭାରତରେ ଶେଷ ମାନଵ ସଭ୍ୟତା ବଞ୍ଚିଯିଵ ବୋଲି ଭଵିଷ୍ୟପୁରାଣରେ ଵର୍ଣ୍ଣନା ମଧ୍ୟ କରିଥିଲେ । ଏବେ ଚିନ୍ତାକରନ୍ତୁ ଯଦି ଏଭଳି ଏକ ଶ୍ରେଷ୍ଠ ଭୂଭାଗରେ ଦଶଗୋଟି ମୁସଲିମ ରାଷ୍ଟ୍ର ଗଠନ ହୋଇଯାଇଥାନ୍ତା ତେବେ କ'ଣ ହୁଅନ୍ତା ? 

ଦକ୍ଷିଣ ଏସିଆରେ ଵର୍ତ୍ତମାନ ଚାରୋଟି ମୁସଲିମ ଦେଶ(ପାକିସ୍ତାନ, ଆଫଗାନିସ୍ତାନ,ମାଳଦ୍ଵୀପ ଓ 
ବଙ୍ଗଳାଦେଶ) ଅଛି କିନ୍ତୁ ଆହୁରି ସାତଗୋଟି ଅଧିକ ମୁସଲିମ ଦେଶ ହୋଇଥିଲେ ଦଶଗୁଣ ଜନସଂଖ୍ୟା ବୃଦ୍ଧି ପାଇ ପୃଥିବୀର ଜନସଂଖ୍ୟା ଵର୍ତ୍ତମାନ ସମୟରେ ୧୦୦୦ କୋଟିକୁ ଛୁଇଁ ଯାଇଥାନ୍ତା । ମୁସଲମାନମାନେ ପଙ୍ଗପାଳଙ୍କ ପରି ବଂଶ ଵିସ୍ତାର କରି ସମସ୍ତ ଦକ୍ଷିଣ ଏସିଆକୁ ଛାରଖାର କରିଦେଇଥାନ୍ତେ । ଦକ୍ଷିଣ ଏସିଆରେ ଦଶଗୋଟି ମୁସଲିମ ଦେଶ ଗଠିତ ହୋଇଥିଲେ କୋଟି କୋଟି ସନାତନୀ ଧର୍ମ ପରିଵର୍ତ୍ତନ କରି ମୁସଲମାନ ହୋଇଥା’ନ୍ତେ, ଯାହା ଭାରତୀୟ ସଂସ୍କୃତିର ମୌଳିକ ଚରିତ୍ରକୁ ବଦଳାଇ ଦେଇଥା’ନ୍ତା। ଅନେକ ସନାତନୀ ମନ୍ଦିର ଭାଙ୍ଗି ସେଠାରେ ମସଜିଦ କିମ୍ବା ଅନ୍ୟ ଧାର୍ମିକ ସ୍ଥାନ ନିର୍ମାଣ ହୋଇଥା’ନ୍ତା। ଫଳତଃ ଭାରତୀୟ ଐତିହ୍ୟ ଓ ସଂସ୍କୃତିର ଏକ ବୃହତ୍ କ୍ଷତି ହୋଇଥା’ନ୍ତା। ଏକାଧିକ ରାଷ୍ଟ୍ରରେ ଵିଭାଜିତ ହୋଇଥିଲେ ଭାରତର ଏକତା ଓ ଅର୍ଥନୈତିକ ଶକ୍ତି ଦୁର୍ଵଳ ହୋଇଥା’ନ୍ତା। ଵର୍ତ୍ତମାନର ଭାରତର ଵିକାଶ ବଦଳରେ ଏହା ପାକିସ୍ତାନ କିମ୍ବା ଅନ୍ୟ ଅସ୍ଥିର ରାଷ୍ଟ୍ର ଭଳି ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତାର ଶିକାର ହୋଇଥା’ନ୍ତା। ଭାରତଵର୍ଷ ସେତେବେଳେ ଏକାଧିକ ଧାର୍ମିକ ରାଷ୍ଟ୍ରରେ ଵିଭାଜିତ ହେଇଥିଲେ ଭାରତୀୟ ଉପମହାଦେଶରେ ହିଂସା, ବଳାତ୍କାର, ଯୁଦ୍ଧ,ଆତଙ୍କଵାଦ ଓ ଵୈଦେଶିକ ହସ୍ତକ୍ଷେପ (ଯେପରି ଆମେରିକାର ସାମରିକ ହସ୍ତକ୍ଷେପ) ଶତଗୁଣ ଵୃଦ୍ଧି ପାଇଥା’ନ୍ତା। ମୋଟ୍ ଉପରେ କହିଵାକୁ ଗଲେ ଭାରତଵର୍ଷର ଅଵସ୍ଥା ସିରିଆ କିମ୍ବା ଗାଜାପଟ୍ଟୀ ଭଳି ହୋଇଯାଇଥାନ୍ତା । ପୃଥିଵୀରେ ଅଧୁନା ୫୬ଟି ମୁସଲିମ ରାଷ୍ଟ୍ର ଅଛି ଏଵଂ ଇନ୍ଧନ ତୈଳ ଥିଵା ଅଳ୍ପ କେତୋଟି ଦେଶକୁ ଛାଡ଼ି ଦେଲେ ବାକି ସବୁ ମୁସଲିମ ଦେଶରେ ଅସ୍ତିରତା, ହିଂସା ହିଁ ଦେଖାଯାଇଥାଏ । ମୁସଲିମ ରାଷ୍ଟ୍ର ବହୁଳ ମଧ୍ୟପ୍ରାଚ୍ୟ ଓ ଆରବ ଦେଶ ସମୂହରେ ଆଜି ଯେପରି ଧାର୍ମିକ ଯୁଦ୍ଧ ଏଵଂ ଆତଙ୍କଵାଦୀ ଆକ୍ରମଣ ଲାଗି ରହିଛି ଭାରତରେ ମଧ୍ୟ ସେଭଳି ଦୁରାଵସ୍ଥା ଭୋଗ ହୋଇଥାନ୍ତା । 

ପୁଣି ଯଦି ଦକ୍ଷିଣ ଏସିଆରେ ଦଶଗୋଟି ମୁସଲିମ ଦେଶ ହୋଇଥାନ୍ତା ତେବେ ସେସବୁ ଦେଶରେ ସନାତନ ଧର୍ମ ଓ ଭାରତୀୟ ସଂସ୍କୃତିର ମୂଳ ଚରିତ୍ର ପ୍ରାୟତଃ ଵିନଷ୍ଟ ହୋଇଥା’ନ୍ତା, ଯାହା ଭାରତୀୟ ପରିଚୟକୁ ଚିରକାଳ ପାଇଁ ବଦଳାଇ ଦେଇଥା’ନ୍ତା। ଆଜି ପାକିସ୍ତାନ, ଆଫଗାନିସ୍ତାନ,ମାଳଦ୍ଵୀପ ଓ ବଙ୍ଗଳାଦେଶରେ ଯେଉଁଭଳି ଭାବରେ ହିନ୍ଦୁ ଶୋଷଣ ଓ ହତ୍ୟା ହେଉଅଛି, ଭାରତୀୟ ସଂସ୍କୃତିର ହତ୍ୟା ହେଉଅଛି ତାହାର ଆହୁରି ଭୟଙ୍କର ପରିଣତି ଦେଖିଵାକୁ ମିଳିଥାନ୍ତା । 

ଦକ୍ଷିଣ ଏସିଆରେ ମୁସଲମାନ ସଂଖ୍ୟା ମାତ୍ରାଧିକ ବଢ଼ି ଯଦି କେଵଳ ଵର୍ତ୍ତମାନର ଭାରତୀୟ ଅଞ୍ଚଳରେ ହିଁ ୨୦୦ କୋଟି ଜନସଂଖ୍ୟା ହୋଇଯାଇଥାଆନ୍ତା ତେବେ ଏହାର ପ୍ରଭାଵ ପରିବେଶ ଉପରେ ମଧ୍ୟ ପଡ଼ିଥାନ୍ତା । ଵର୍ତ୍ତମାନ ଭାରତୀୟ ଭୂଭାଗରୁ ସମ୍ପୂର୍ଣ୍ଣ ଵନାଞ୍ଚଳ ଲୋପ ପାଇଥାନ୍ତା ଏଵଂ ଏଥିଯୋଗୁଁ ବଣରେ ରହୁଥିଵା ହାତୀ,ବାଘ,ଗଣ୍ଡା ଓ ସିଂହ ଭଳି ଜୀଵ ବି ଲୋପ ପାଇଯାଇଥାନ୍ତେ । ଯଦି ଦକ୍ଷିଣ ଏସିଆରେ ପାକିସ୍ତାନ ଭଳି ଆଉ ଦଶଗୋଟି ମୁସଲିମ ଧର୍ମ ଆଧାରିତ ଦେଶ ଗଠନ ହୋଇଥାନ୍ତା ତେବେ ଆଜି ଯେମିତି ପାକିସ୍ତାନରେ ଅବାଧ ଶିକାର ହେଉଅଛି ଏଵଂ ଅଧିକାଂଶ ଜୀଵଙ୍କ ବଂଶ ନାଶ ହୋଇଅଛି ସେହି ସମାନ ଅଵସ୍ଥା ବାକି ନଅଗୋଟି ମୁସଲିମ ଦେଶରେ ମଧ୍ୟ ଦେଖା ଦେଇଥାନ୍ତା । ସେମନ୍ତ ହୋଇଥିଲେ ହୁଏତ ଭାରତଵର୍ଷରୁ ବାଘ ଓ ସିଂହ ଭଳି ଜୀଵଙ୍କ ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯାଇଥାନ୍ତା । ସୌଭାଗ୍ୟକୁ ଏମନ୍ତ ହୋଇନାହିଁ ଏଵଂ ଭାରତଵର୍ଷର ବଡ଼ ଅଂଶ ଆଜି ଭାରତ ନାମରେ ଏକ ଶକ୍ତିଶାଳୀ ଦେଶ ରୂପେ ପ୍ରତିଷ୍ଠିତ ହୋଇଅଛି । 

ଯଦିଓ ମୁସଲିମ ଲିଗ୍‌ର ଏହି ବୃହତ୍ ଯୋଜନା ସାକାର ହୋଇନଥିଲା କିନ୍ତୁ ପାକିସ୍ତାନ,ଆଫାଗାନିସ୍ଥାନ,ମାଳଦ୍ଵୀପ ଓ ବାଙ୍ଗଲାଦେଶ ଗଠନ ମାଧ୍ୟମରେ ଭାରତୀୟ ଉପମହାଦେଶରେ ଵିଭାଜନ ହୋଇଥିଲା। ପାକିସ୍ତାନ ନିଜର ସ୍ଥାପନା ପରେ ଭାରତ ସହିତ ଚାରିଥର (୧୯୪୭, ୧୯୬୫, ୧୯୭୧, ୧୯୯୯) ଯୁଦ୍ଧ କରିଛି, ଯାହାର ମୂଳ କାରଣ ଥିଲା ଧାର୍ମିକ ଓ ରାଜନୈତିକ ଵିଭାଜନ। ଏହା ସହିତ, ଆତଙ୍କଵାଦୀ ଗୋଷ୍ଠୀଗୁଡ଼ିକ ଭାରତରେ ହିଂସା ସୃଷ୍ଟି କରିଵା ଜାରି ରଖିଛନ୍ତି, ଯାହା ମୁସଲିମ ଲିଗ୍‌ର ପୁରୁଣା ସ୍ଵପ୍ନର ଏକ ପ୍ରତିଫଳନ ବୋଲି କେତେକ ଵିଶ୍ଳେଷକ ମତ ଦିଅନ୍ତି। ଏହି ଆତଙ୍କଵାଦୀମାନେ ନିଜକୁ “ଶହୀଦ” ବୋଲି ଦାବି କରିଥାନ୍ତି, କିନ୍ତୁ ତାଙ୍କର ଲକ୍ଷ୍ୟ ଥାଏ ଭାରତୀୟ ସଂସ୍କୃତି ଓ ଐତିହ୍ୟର ଵିନାଶ। ଆତଙ୍କଵାଦୀମାନେ ଓ ତାଙ୍କ ପାକିସ୍ତାନୀ ମୁଣ୍ଡିଆଳମାନେ ଏବେ ବି ଭାରତରେ ଏକାଧିକ ମୁସଲିମ ଦେଶ ଗଠନର ସ୍ଵପ୍ନ ଦେଖନ୍ତି ଏଵଂ ଏହାକୁ ସେମାନେ ଆହୁରି ଭୟଙ୍କର ସ୍ଵପ୍ନରେ ପରିଣତ କରିଛନ୍ତି । ଆଜିର ପାକିସ୍ତାନ,ବଙ୍ଗଳାଦେଶ,ମାଳଦ୍ଵୀପ ଓ ଆଫଗାନିସ୍ତାନର ଦକ୍ଷିଣ ଏସୀୟ ମୁସଲିମମାନେ "ଗଜୱା - ଏ - ହିନ୍ଦ୍‌"ର ସ୍ଵପ୍ନ ଦେଖୁଛନ୍ତି ଯାହା ୧୯୪୦ର ଚୌଧରୀ ରେହମତ୍ ଅଲିଙ୍କ ମାନଚିତ୍ରଠାରୁ ଅଧିକ ଭୟଙ୍କର । ହେଲେ ଏ ଗଜଵା ଏ ହିନ୍ଦ୍ କ'ଣ? 

‘ଗଜୱା-ଏ-ହିନ୍ଦ’ (غزوہ ہند) ଶବ୍ଦଟି ଆରବୀ ଭାଷା ମୂଳର ଏଵଂ ଏହାର ଆକ୍ଷରିକ ଅର୍ଥ  ‘ଭାରତ ଉପରେ ଧର୍ମଯୁଦ୍ଧ’ ଅଟେ। ଏହା ଐତିହାସିକ ଓ ଧାର୍ମିକ ପ୍ରେକ୍ଷାପଟରେ ଵ୍ୟଵହୃତ ଏକ ପରିଭାଷା, ଯାହା ଭାରତୀୟ ଉପମହାଦେଶରେ ଇସଲାମୀ ଶାସନ ପ୍ରତିଷ୍ଠା କରିଵା ପାଇଁ ଯୁଦ୍ଧ କରିଵାର ଏକ ଚିନ୍ତାଧାରାକୁ ସୂଚାଏ। ‘ଗଜବା-ଏ-ହିନ୍ଦ’ ଶବ୍ଦର ମୂଳ କିଛି ଇସଲାମୀ ଧାର୍ମିକ ଗ୍ରନ୍ଥ ଵିଶେଷତଃ ହଦିଥ୍ (Hadith) ସହ ଜଡ଼ିତ, ଯହିଁରେ ଭାରତୀୟ ଉପମହାଦେଶରେ ଏକ ଧର୍ମଯୁଦ୍ଧ (Jihad) ଵିଷୟରେ ଉଲ୍ଲେଖ ରହିଛି। ଏହି ଧାରଣା ଅନୁସାରେ, ଭାରତରେ ଇସଲାମୀ ଶାସନ ପ୍ରତିଷ୍ଠା କରିଵା ପାଇଁ ଏକ ଯୁଦ୍ଧ କରାଯିଵ ‌। କିଛି କଟ୍ଟରପନ୍ଥୀ ଵ୍ୟାଖ୍ୟା କରନ୍ତି ଏହି ଧର୍ମୀୟ ଭଵିଷ୍ୟତରେ ହେଵ । ଏହି ଵିଚାରଧାରା ହିଁ ଭାରତ ଉପରେ ବାରମ୍ବାର ଆତଙ୍କଵାଦୀ ଆକ୍ରମଣକୁ ପ୍ରୋତ୍ସାହିତ କରିଥାଏ । ଐତିହାସିକ ଦୃଷ୍ଟିକୋଣରୁ, ଏହି ଵିଚାଧାରା ମଧ୍ୟଯୁଗୀୟ କାଳରେ ଭାରତରେ ଇସଲାମୀ ଆକ୍ରମଣ ସହିତ ଜଡ଼ିତ ଥିଲା, ଯେଉଁଠାରେ କିଛି ଆକ୍ରମଣକାରୀ ଧର୍ମୀୟ ଉଦ୍ଦେଶ୍ୟକୁ ରାଜନୈତିକ ଓ ଅର୍ଥନୈତିକ ଲାଭ ସହିତ ସମ୍ମିଳିତ କରି ଲାଭାନ୍ଵିତ ହୋଇଥିଲେ। କିନ୍ତୁ, ଆଧୁନିକ ସମୟରେ ଏହା ମୁଖ୍ୟତଃ ଆତଙ୍କବାଦୀ ସଂଗଠନ ଦ୍ୱାରା ତଥା ପାକିସ୍ତାନୀମାନଙ୍କ ଦ୍ଵାରା ପ୍ରଚାରିତ ହେଉଅଛି। ଏହି ଚିନ୍ତାଧାରା ଭାରତୀୟ ମୁସଲମାନମାନଙ୍କର ମଧ୍ୟ କେତେକାଂଶରେ ସମର୍ଥନ ଲାଭ କରିଛି । ତେଣୁ ଯେତେବେଳେ ପାକିସ୍ତାନରୁ ଆତଙ୍କଵାଦୀମାନେ ଲୁଚି ଛପି ଭାରତରେ ଅନୁପ୍ରଵେଶ କରନ୍ତି ସେତେବେଳେ ଗଜୱା-ଏ-ହିନ୍ଦ୍‌ର ସମର୍ଥକ କିଛି ଭାରତୀୟ ମୁସଲିମ ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥାନ୍ତି ।
ମାତ୍ର ଯଦି ‘ଗଜୱା-ଏ-ହିନ୍ଦ’ ଭଳି ଏକ ଚିନ୍ତାଧାରା ଵାସ୍ତଵରେ କାର୍ଯ୍ୟକାରୀ ହୁଏ, ତାହାର ପରିଣାମ ଅତ୍ୟନ୍ତ ଭୟାବହ ହୋଇପାରେ। ଏହା ଭାରତରେ ସାମ୍ପ୍ରଦାୟିକ ଵିଭେଦ ବଢ଼ାଇ ସାମାଜିକ ଅସ୍ଥିରତା ସୃଷ୍ଟି କରିପାରେ। ଏହା ଦେଶର ଅର୍ଥନୀତି, ସୁରକ୍ଷା ଓ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ। ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇପାରେ, ଯାହା ନିରୀହ ନାଗରିକଙ୍କ ଜୀଵନ ଓ ଜୀଵିକାକୁ ଵିପଦରେ ପକାଇପାରେ।

ଅଵଶ୍ୟ ଭାରତର ଶକ୍ତିଶାଳୀ ସୁରକ୍ଷା ଵ୍ୟଵସ୍ଥା, ଵିଵିଧତାପୂର୍ଣ୍ଣ ସଂସ୍କୃତି ଏଵଂ ଲୋକଙ୍କ ମାତ୍ରାଧିକ ଦେଶଭକ୍ତି ଯୋଗୁଁ ଏହା ଏଯାଵତ୍ ସଫଳ ହୋଇପାରିନାହିଁ । ଯେତେଦିନ ଯାଏଁ ଭାରତୀୟ ସେନା ଶକ୍ତିଶାଳୀ ହୋଇ ରହିଥିଵ ସେତେଦିନ ଯାଏଁ ଭାରତର ସ୍ଵାଧୀନତା ଅକ୍ଷୁଣ୍ଣ ରହିଥିଵ । ୧୯୪୭ର ସ୍ଵାଧୀନତା ଇଂରେଜମାନଙ୍କଠାରୁ ମିଳିଥିଲା ଏଵଂ ସେ ସ୍ଵାଧୀନତାକୁ ପାଇଵାର ସଂଘର୍ଷ ୨୦୦ ଵର୍ଷ ଦୀର୍ଘ ଥିଲା ।‌ ସେହିପରି ୧୯୪୭ରୁ ଏଯାଵତ୍ ସ୍ଵାଧୀନତାକୁ ବଞ୍ଚାଇ ରଖିଵା ପାଇଁ ଗଜୱା-ଏ-ହିନ୍ଦ୍ ଵିରୋଧରେ ହେଉଥିଵା ସଂଘର୍ଷକୁ ମଧ୍ୟ ସତୁରୀ ଵର୍ଷରୁ ଅଧିକ ଵର୍ଷ ହୋଇଗଲାଣି । ତେଣୁ ଏ ସ୍ଵାଧୀନତା ଇଂରେଜମାନଙ୍କ ଅମଳରେ ଯେତିକି ମୂଲ୍ୟଵାନ ଥିଲା ଆଜିର ଆତଙ୍କଵାଦୀ ସଂଗଠନ ଯୁଗରେ ମଧ୍ୟ ସେମିତି ମୂଲ୍ୟଵାନ ଅଟେ । 

Thursday, August 14, 2025

ଗ୍ରାଣ୍ଡ ଟାକ୍ ହାଇପୋଥେସିସ: ଵୃହସ୍ପତି ଓ ଶନିର ମହାକାଶୀୟ ନୃତ୍ୟ

ଆମ ସୌରଜଗତର ଗଠନ ଏକ ରୋମାଞ୍ଚକର କାହାଣୀ। ଏହି କାହାଣୀର ମୁଖ୍ୟ ପାତ୍ର ହେଉଛନ୍ତି ଵୃହସ୍ପତି, ଶନି, ଓ ତାଙ୍କ ମାଧ୍ୟାକର୍ଷଣ ନୃତ୍ୟ, ଯାହା ଗ୍ରାଣ୍ଡ ଟାକ୍ ହାଇପୋଥେସିସ୍ ନାମକ ଏକ ଵୈଜ୍ଞାନିକ ମଡେଲ ମାଧ୍ୟମରେ ଵୁଝାଯାଇଛି। ଏହି ମଡେଲ ଦ୍ଵାରା କିପରି ଵୃହସ୍ପତି ଓ ଶନି ସୌରଜଗତର ପ୍ରାରମ୍ଭିକ ଦିନଗୁଡ଼ିକରେ ଏକ ମହାକାଶୀୟ ନୃତ୍ୟ କରି ପୃଥିଵୀ ଓ ଅନ୍ୟ ଭୂମୁଖୀ ଗ୍ରହମାନଙ୍କର ଗଠନ ପାଇଁ ପଥ ପ୍ରଶସ୍ତ କରିଥିଲେ ତାହା ଵର୍ଣ୍ଣିତ ହୋଇଛି । 

୨୦୧୧ ମସିହାରେ ଵୈଜ୍ଞାନିକ କେଭିନ ଜେ. ୱାଲ୍ସ ଓ ତାଙ୍କ ଦଳ ଦ୍ୱାରା Grand Tack hypothesis ପ୍ରସ୍ତାଵିତ ହୋଇଥିଲା। ଏହି ମଡେଲ ଅନୁସାରେ, ଆମ ସୌରଜଗତ ଗଠନର ପ୍ରାରମ୍ଭିକ ପର୍ଯ୍ୟାୟରେ, ଯେତେଵେଳେ ସୂର୍ଯ୍ୟଙ୍କୁ ଘେରି ଗ୍ୟାସ୍ ଓ ଧୂଳିର ଏକ ଵିଶାଳ protoplanetary disk ଥିଲା ସେତେବେଳେ ଵୃହସ୍ପତି ପ୍ରାୟ ୩.୫ AU (ଆସ୍ଟ୍ରୋନୋମିକାଲ ଇଉନିଟ୍, ସୂର୍ଯ୍ୟ ଓ ପୃଥିଵୀ ମଧ୍ୟରେ ଦୂରତ୍ଵ) ଦୂରତାରେ ଗଠିତ ହୋଇଥିଲା। ଏହି ଵିଶାଳ ଗ୍ୟାସ୍ ଦୈତ୍ୟ ଆମ ସୌରଜଗତର ସଵୁଠାରୁ ଵଡ଼ ଗ୍ରହ ଏଵଂ ତା’ର ଗୁରୁତ୍ଵାକର୍ଷଣ ଶକ୍ତି ଦ୍ୱାରା ଏହି ଡିସ୍କରେ ଥିଵା ପଦାର୍ଥକୁ ଆକର୍ଷଣ କରି ସୂର୍ଯ୍ୟ ଆଡ଼କୁ ଚାଲି ଆସିଵା ଆରମ୍ଭ କରିଥିଲା। ଏହାର ଏହି ଅଭ୍ୟନ୍ତରୀଣ ଯାତ୍ରା ପ୍ରାୟ ୧.୫ AU ପର୍ଯ୍ୟନ୍ତ, ଅର୍ଥାତ୍ ମଙ୍ଗଳ ଗ୍ରହର କକ୍ଷପଥ ଯାଏଁ ଚାଲିଥିଲା। 

ଏହି ଗତିଵିଧି ସୌରଜଗତର ଅଭ୍ୟନ୍ତରୀଣ ଅଞ୍ଚଳରେ ଏକ ଵିଶୃଙ୍ଖଳା ସୃଷ୍ଟି କରିଥିଲା। ଵୃହସ୍ପତିର ଗୁରୁତ୍ଵାକର୍ଷଣ ଶକ୍ତି ଆଖପାଖରେ ଵିକ୍ଷିପ୍ତ ଭାଵେ ଘୂରିବୁଲୁଥିଵା planetesimals ପଦାର୍ଥଗୁଡ଼ିକୁ ଆକର୍ଷିତ କରି କିମ୍ଵା ଵାହାରକୁ ଫିଙ୍ଗି ଦେଇଥିଲା। ଫଳତଃ ପୃଥିଵୀ, ଶୁକ୍ର, ମଙ୍ଗଳ ଓ ଵୁଧ ଭଳି ଗ୍ରହଗୁଡ଼ିକର ଗଠନ ପାଇଁ ଆଵଶ୍ୟକ ପଦାର୍ଥ ଅସୁରକ୍ଷିତ ହୋଇପଡ଼ିଥିଲା । କିନ୍ତୁ ଏହି ନାଟକୀୟ ମୁହୂର୍ତ୍ତରେ ଶନି ଗ୍ରହର ଆଗମନ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା।
ଶନିଗ୍ରହ ଵୃହସ୍ପତି ପରେ ଗଠିତ ହୋଇଥିଲା, ତା’ର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଵୃହସ୍ପତି ସହିତ ଏକ ୩:୨ Mean Motion Resonance ସୃଷ୍ଟି କରିଥିଲା। ଅର୍ଥାତ୍ ଶନି ତା’ର କକ୍ଷପଥରେ ଦୁଇଥର ପରିକ୍ରମଣ କରୁଥିଵା ସମୟରେ ଵୃହସ୍ପତି ତିନିଥର ପରିକ୍ରମଣ କରୁଥିଲା। ଏହି ଗୁରୁତ୍ଵାକର୍ଷଣ ମିଳନ ଵୃହସ୍ପତିର ଅଭ୍ୟନ୍ତରୀଣ ଗତିକୁ ନିୟନ୍ତ୍ରଣ କରି ତାକୁ ଵିପରୀତ ଦିଗରେ, ଅର୍ଥାତ୍ ସୌରଜଗତର ଵାହାର ଆଡ଼କୁ (ଵର୍ତ୍ତମାନର ୫.୨ AU ଅଵସ୍ଥାନ) ଠେଲି ଦେଇଥିଲା। ଏହି ଗତିଵିଧିକୁ ଵୈଜ୍ଞାନିକମାନେ "ଗ୍ରାଣ୍ଡ ଟାକ୍" ଵୋଲି ନାମକରଣ କରିଛନ୍ତି, ଯାହା ଏକ ଜାହାଜର ପଵନ ଵିପରୀତ ଦିଗରେ ଗତି ପରିଵର୍ତ୍ତନ କରିଵା (tacking) ସହିତ ତୁଳନାତ୍ମକ। 

ଏହି ଗ୍ରହୀୟ ନୃତ୍ୟ ସୌରଜଗତର ଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା। ଵୃହସ୍ପତିର ଅଭ୍ୟନ୍ତରୀଣ ଗତି ଯଦି ଅଵ୍ୟାହତ ରହିଥାନ୍ତା, ତେଵେ ଏହା ସୂର୍ଯ୍ୟର ଅତ୍ୟନ୍ତ ନିକଟକୁ ଚାଲି ଯାଇ ଏକ "ହଟ୍ ଜୁପିଟର୍" ହୋଇଥାନ୍ତା, ଯେପରି ଅନ୍ୟ ସୌରଜଗତରେ ଦେଖାଯାଇଛି। ଏହା ଫଳରେ ପୃଥିଵୀ ଓ ଅନ୍ୟ ଭୂମୁଖୀ ଗ୍ରହମାନଙ୍କ ଗଠନ ପାଇଁ ଆଵଶ୍ୟକ ପଦାର୍ଥ ଵିନାଶ ହୋଇଯାଇଥାନ୍ତା। ଶନିର ହସ୍ତକ୍ଷେପ ଏହି ଵିପର୍ଯ୍ୟୟକୁ ଅଟକାଇ ପୃଥିଵୀର ଜୀଵନ ସୃଷ୍ଟିର ସମ୍ଭାଵନାକୁ ସୁରକ୍ଷିତ ରଖିଥିଲା।

ଵୈଜ୍ଞାନିକମାନେ ଏହି ମହାକାଶୀୟ ନାଟକର ପ୍ରମାଣ ଅନେକ ପର୍ଯ୍ୟଵେକ୍ଷଣ ଓ ସିମୁଲେସନ ମାଧ୍ୟମରେ ସଂଗ୍ରହ କରିଛନ୍ତି। ଟ୍ରୋଜାନ ଗ୍ରହାଣୁ ସମୂହ ଏହାର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ। ଵୃହସ୍ପତିର କକ୍ଷପଥରେ ଥିଵା ଏହି ଗ୍ରହାଣୁଗୁଡ଼ିକ ଦୁଇଟି ଗୋଷ୍ଠୀରେ ଵିଭକ୍ତ—ଏକ ଗୋଷ୍ଠୀ ଵୃହସ୍ପତିର ଆଗରେ ଓ ଅନ୍ୟ ଗୋଷ୍ଠୀ ପଛରେ ରହିଛି । ଏହି ଦୁଇ ଗୋଷ୍ଠୀର ସଂଖ୍ୟାରେ ଅସମାନତା (ଆଗରେ ଥିଵା ଗୋଷ୍ଠୀରେ ପ୍ରାୟ ୫୦% ଅଧିକ ଗ୍ରହାଣୁ ରହିଛି) ଦର୍ଶାଏ ଯେ ଵୃହସ୍ପତି ପ୍ରଥମେ ସୌରଜଗତର ଅଭ୍ୟନ୍ତରୀଣ ଅଞ୍ଚଳକୁ ଏଵଂ ପରେ ବାହାରକୁ ଗତି କରିଥିଲା। 

ଏହା ସହିତ ଗ୍ରହାଣୁ ମେଖଳାର ମିଶ୍ରିତ ଗଠନ ମଧ୍ୟ ଏହି ମଡେଲକୁ ସମର୍ଥନ କରେ। ମଙ୍ଗଳ ଓ ଵୃହସ୍ପତି ମଧ୍ୟରେ ଥିଵା ଗ୍ରହାଣୁ ମେଖଳାରେ ଵିଭିନ୍ନ ପ୍ରକାରର ପଦାର୍ଥ (ପଥୁରୀୟ ଓ ଵରଫ ମିଶ୍ରିତ) ରହିଛି, ଯାହା ଵୃହସ୍ପତିର ଗତିଵିଧି ଦ୍ୱାରା ଵିକ୍ଷିପ୍ତ ହୋଇଥିଵା ପଦାର୍ଥର ଫଳାଫଳ। ମଙ୍ଗଳର ଛୋଟ ଆକାର ମଧ୍ୟ ଆଉ ଏକ ପ୍ରମାଣ, କାରଣ ଵୃହସ୍ପତିର ଅଭ୍ୟନ୍ତରୀଣ ଗତି ମଙ୍ଗଳ ଗଠନ ପାଇଁ ଆଵଶ୍ୟକ ପଦାର୍ଥକୁ ଵିକ୍ଷିପ୍ତ କରିଥିଲା, ଯାହା ଏହାକୁ ପୃଥିଵୀ ଓ ଶୁକ୍ର ତୁଳନାରେ ଛୋଟ କରିଥିଲା। 

ଅନ୍ୟ ସୌରଜଗତରେ ହଟ୍ ଜୁପିଟର୍ ଗ୍ରହଗୁଡ଼ିକର ପର୍ଯ୍ୟଵେକ୍ଷଣ ମଧ୍ୟ ଏହି ମଡେଲକୁ ସମର୍ଥନ କରେ। ଏହି ଗ୍ରହଗୁଡ଼ିକ ନିଜ ତାରକାର ଅତ୍ୟନ୍ତ ନିକଟକୁ ଚାଲି ଆସିଥାନ୍ତି, ଯାହା ସୂଚାଏ ଯେ ଵୃହସ୍ପତି ଭଳି ଗ୍ରହର ଅଭ୍ୟନ୍ତରୀଣ ଗତି ଏକ ସାଧାରଣ ଘଟଣା। ଆମ ସୌରଜଗତରେ ଶନିର ହସ୍ତକ୍ଷେପ ଏହାକୁ ଅଟକାଇ ଦେଇ ଏକ ଅନୁକୂଳ ସୌରଜଗତ ଗଠନରେ ସାହାଯ୍ୟ କରିଥିଲା।

ଶନିଗ୍ରହର ନିୟନ୍ତ୍ରଣ ଯୋଗୁଁ ଵୃହସ୍ପତି ସୂର୍ଯ୍ୟର ନିକଟକୁ ନଯାଇ ଦୂରକୁ ଚାଲିଯାଇ ଏକ ନିର୍ଦ୍ଦିଷ୍ଟ କକ୍ଷପଥ ମଧ୍ୟରେ ସୂର୍ଯ୍ୟଙ୍କର ପରିକ୍ରମଣ କରିଵାକୁ ଲାଗିଲା । ଫଳତଃ ଆଭ୍ୟନ୍ତରୀଣ ସୌରଜଗତରେ ପୃଥିଵୀ, ଶୁକ୍ର, ମଙ୍ଗଳ ଓ ଵୁଧ ଭଳି ଗ୍ରହମାନଙ୍କ ଗଠନ ପାଇଁ ଆଵଶ୍ୟକ ପଦାର୍ଥକୁ ସୁରକ୍ଷିତ ରହିଯାଇଥିଲା। ତେଣୁ ଶନିଗ୍ରହ ପୃଥିଵୀ ଗ୍ରହର ସୃଷ୍ଟି ଏଵଂ ଆମ୍ଭମାନଙ୍କର ସୃଷ୍ଟି ପାଇଁ ପଥ ପରିଷ୍କାର କରିଥିଲା । ତେବେ ଵୃହସ୍ପତିର ଗତିଵିଧି ଆଜକୁ ୪୦୦ କୋଟି ଵର୍ଷ ତଳେ ଆଜି ଅପେକ୍ଷା ଅନେକ ଗୁଣ ତୀଵ୍ର ଭୀଷଣ ଥିଲା ତେଣୁ ଏଥିଯୋଗୁଁ ଵାହ୍ୟ ସୌରଜଗତରୁ ଵରଫ ମିଶ୍ରିତ ପଦାର୍ଥକୁ ଅଭ୍ୟନ୍ତରୀଣ ଗ୍ରହମାନଙ୍କ ଆଡ଼କୁ ଠେଲି ଦେଇଥିଲା, ଯାହା ପୃଥିଵୀରେ ଜଳର ଉପସ୍ଥିତିର ଏକ ପ୍ରମୁଖ କାରଣ ହୋଇଥିଲା। ଜଳ ହେଉଛି ଜୀଵନର ମୂଳ ଆଧାର, ଏଵଂ ଏହି ଜଳର ଉପସ୍ଥିତି ପୃଥିଵୀରେ ଜୀଵନର ଉତ୍ପତ୍ତି ଓ ଵିକାଶକୁ ସମ୍ଭଵ କରିଥିଲା। ଵୃହସ୍ପତି ଗ୍ରହ ପୃଥିଵୀକୁ ମହାକାଶୀୟ ଵିପଦରୁ ମଧ୍ୟ ସୁରକ୍ଷା ଦେଇଥାଏ । ତା’ର ଵିଶାଳ ଗୁରୁତ୍ଵାକର୍ଷଣ କ୍ଷେତ୍ର ଧୂମକେତୁ ଓ ଗ୍ରହାଣୁମାନଙ୍କୁ ଆକର୍ଷିତ କରି ପୃଥିଵୀ ଆଡ଼କୁ ଆସୁଥିଵା ଏହି ଵସ୍ତୁଗୁଡ଼ିକୁ ନିଜ ମଧ୍ୟରେ ସମାହିତ କରି ନେଇଥାଏ କିମ୍ଵା ସୌରଜଗତ ଵାହାରକୁ ଫିଙ୍ଗି ଦେଇଥାଏ। ୧୯୯୪ରେ ଶୁମେକର୍-ଲେଭି ୯ ଧୂମକେତୁର ଵୃହସ୍ପତି ସହିତ ସଂଘର୍ଷ ଘଟିଥିଲା, ଯାହା ଏହାର ସୁରକ୍ଷାମୂଳକ ଭୂମିକାକୁ ପ୍ରମାଣିତ କରେ। ସୌରଜଗତରେ ଵୃହସ୍ପତିର ଏହି ଭୂମିକା ଯୋଗୁଁ ପୃଥିଵୀରେ ଜୀଵନର ଵିକାଶ ପାଇଁ ଏକ ସ୍ଥିର ପରିଵେଶ ସୃଷ୍ଟି ହୋଇଥିଲା।

ଗ୍ରାଣ୍ଡ ଟାକ୍ ହାଇପୋଥେସିସ ଆମକୁ ଏକ ମନୋମୁଗ୍ଧକର କାହାଣୀ ସହିତ ପରିଚିତ କରାଇଥାଏ । କିପରି ଵୃହସ୍ପତି ଓ ଶନି ମହାକାଶରେ ଏକ ଗ୍ରହୀୟ ନୃତ୍ୟ କରି ଆମ ସୌରଜଗତକୁ ଆକାର ଦେଇଥିଲେ। ଵୃହସ୍ପତିର ଅଭ୍ୟନ୍ତରୀଣ ଯାତ୍ରା ଓ ଶନିର ନିୟନ୍ତ୍ରଣ ନ ଥାନ୍ତା ଯଦି, ତେଵେ ପୃଥିଵୀ ଭଳି ଜୀଵନ ସମ୍ଭଵ କରୁଥିଵା ଗ୍ରହର ଅସ୍ତିତ୍ୱ ହୁଏତ ସମ୍ଭଵ ହୋଇନଥାନ୍ତା। ଏହି ସୌରମଣ୍ଡଳୀୟ ଇତିହାସରୁ ଆମେ ଜାଣିଲେ ଯେ ଜୀଵନର ଉତ୍ପତ୍ତି ଏକ ଗ୍ରହର ଅନୁକୂଳ ପରିଵେଶ ସହିତ ସେହି ସୌରଜଗତର ସମଗ୍ର ଗତିଶୀଳତା ଓ ସନ୍ତୁଳନ ଉପରେ ମଧ୍ୟ ନିର୍ଭର କରିଥାଏ । ଵୃହସ୍ପତି ଓ ଶନିର ଏହି ମହାକାଶୀୟ ନୃତ୍ୟ ପୃଥିଵୀରେ ଜୀଵନର ସମ୍ଭାଵନାକୁ ସୁରକ୍ଷିତ ରଖି ଆମକୁ ଏକ ଅନନ୍ୟ ଗ୍ରହ ଉପହାର ଦେଇଛି । ଆମ ପୂର୍ଵଜ ଏହି ଗ୍ରହଦ୍ଵୟକୁ ଈଶ୍ଵର ଵିଚାର କରି ଆରାଧନା କରିଛନ୍ତି ଆଉ ଆଜି ଆମେ ଏହି ଦୁଇ ଗ୍ରହର ପୃଥିଵୀ ପ୍ରତି ଥିଵା ଅଵଦାନ ଗ୍ରାଣ୍ଡ ଟାକ୍ ହାଇପୋଥେସିସରୁ ଜାଣି ପାରିଛୁ । 

Wednesday, August 13, 2025

ମାନଵଜାତିର ଅଭୂତପୂର୍ଵ ଅଗ୍ରଗତି ପଛର ରହସ୍ୟ କ’ଣ?

ଅନେକଙ୍କ ପାଇଁ 12 ସେପ୍ଟେମ୍ବର, 1940 ଏକ ସାଧାରଣ ଦିନ ହୋଇଥାଇପାରେ କିନ୍ତୁ ଯେଉଁମାନେ ଏହି ଦିନଟିର ଇତିହାସ ଜାଣନ୍ତି ସେମାନେ ଏହି ଦିନଟି ମାନଵ ଇତିହାସରେ ଏକ ଅଵିସ୍ମରଣୀୟ ଦିଵସ ରୂପେ ଅଭିହିତ କରନ୍ତି । 

1940 ମସିହା ସେପ୍ଟେମ୍ବର ବାର ତାରିଖ ଦିନ ଫ୍ରାନ୍ସର Dordogne ଅଞ୍ଚଳରେ Marcel Ravidat ନାମକ ଜଣେ କିଶୋର ତାଙ୍କ ପାଳିତ କୁକୁର 'Robot' ସହିତ ବୁଲୁଥାଏ। ହଠାତ୍ ତାଙ୍କ କୁକୁର ଭୂମିରେ ଥିଵା ଏକ ଗର୍ତ୍ତ ମଧ୍ୟରେ ପଡ଼ିଗଲା। ଗର୍ତ୍ତ ସମ୍ବନ୍ଧରେ ଅନୁସନ୍ଧାନ କରି Marcel ଜାଣିପାରିଲେ ଯେ ଏହା ଏକ ଵିଶାଳ ଗୁମ୍ଫାର ପ୍ରଵେଶପଥ ଅଟଇ। ନିଜର ତିନି ସାଙ୍ଗ Jacques Marsal, Georges Agnel ଓ Simon Coencasଙ୍କ ସହିତ Marcel Ravidat ପୁନର୍ଵାର ଏହି ଗୁମ୍ଫାକୁ ଅନୁସନ୍ଧାନ କଲେ। ସେମାନେ ଯାହା ଦେଖିଲେ ତାହା ଅଦ୍ଭୁତ ଓ ମନ୍ତ୍ରମୁଗ୍ଧକାରୀ ଥିଲା । ଗୁମ୍ଫାର କାନ୍ଥରେ ପ୍ରାୟ 17,000 ରୁ 20,000 ଵର୍ଷ ପୁରୁଣା ଶହ ଶହ ଚିତ୍ର ଥିଲା । ସେହି ଗୁମ୍ଫାଚିତ୍ରଗୁଡ଼ିକ ପ୍ରାଗୈତିହାସିକ ମଣିଷର ଜୀଵନ, ସଂସ୍କୃତି ଓ ସୃଜନଶୀଳତାର ଏକ ଅମର ସାକ୍ଷ୍ୟ ଥିଲା। ସେହି ଗୁମ୍ଫା ପରେ Lascaux Caves ନାମରେ ପରିଚିତ ହେଲା । 
ଏହିପରି ଭାବେ ଚାରିଜଣ କିଶୋର ଲେସ୍କୋ ଗୁମ୍ଫାକୁ ଆଵିଷ୍କାର କଲେ ଯାହା ପ୍ରାୟ 20 ହଜାର ଵର୍ଷ ପୂର୍ଵେ ଆମ ପୂର୍ଵପୁରୁଷମାନଙ୍କର ଆଶ୍ରୟସ୍ଥଳୀ ଥିଲା। ଏବେ ଆଗକୁ ବଢ଼ିଵା ପୂର୍ଵରୁ ପୃଥିଵୀରେ ଜୀଵନର ଏକ ସଂକ୍ଷିପ୍ତ ଇତିହାସ ପୁନରାଲୋଚନା କରାଯାଉ । 

ଜୀଵାଶ୍ମ ରେକର୍ଡ ଅନୁସାରେ, ପୃଥିଵୀରେ ଜୀଵନର ଆରମ୍ଭ ପ୍ରାୟ 4 ବିଲିୟନ ଵର୍ଷ ପୂର୍ବେ RNA ରୂପରେ ହୋଇଥିଲା। ଏକକୋଷୀ ଜୀଵଙ୍କଠାରୁ ବହୁକୋଷୀ ଜୀଵୀ ହେଵା ପର୍ଯ୍ୟନ୍ତ ଏହି ଵିଵର୍ତ୍ତନଯାତ୍ରା ଅତ୍ୟନ୍ତ ଧୀର ଥିଲା। ପରେ ଆଉ 50 କୋଟି ଵର୍ଷ ପର୍ଯ୍ୟନ୍ତ ଜୀଵନର ଅଗ୍ରଗତି ନିରୁତ୍ସାହଜନକ ଭାବେ ଧୀର ରହିଲା। ତେବେ ଆଜକୁ ମାତ୍ର 60 ଲକ୍ଷ ଵର୍ଷ ପୂର୍ଵେ Hominid ଶାଖାରୁ ଉତ୍ପନ୍ନ Homo sapiens ନାମକ ଏକ ପ୍ରଜାତି ମାତ୍ର 50 ହଜାର ଵର୍ଷରେ ଏହି ଗ୍ରହ ଉପରେ ଆଧିପତ୍ୟ ଵିସ୍ତାର କରି ଅନ୍ୟ ଗ୍ରହକୁ ମହାକାଶଯାନ ପଠାଇଵା ଯୋଗ୍ୟତା ଅର୍ଜନ କରିପାରିଛନ୍ତି। ଏହି ଅଭୂତପୂର୍ଵ ଅଗ୍ରଗତିର ରହସ୍ୟ କ’ଣ? 

ଉତ୍ତର ହେଉଛି ଜ୍ଞାନର ସାତତ୍ୟ ଵା Persistence of Knowledge !

ଜୀଵନର ଗତି ସ୍ମୃତି ଉପରେ ନିର୍ଭର କରେ। DNA ଓ କୋଷ ସ୍ମୃତି ସଂରକ୍ଷଣ କରିପାରେ, କିନ୍ତୁ ତାହାର ପରିମାଣ ସୀମିତ। DNA ରେ ପରିଵର୍ତ୍ତନ (Mutation) ହାର ଅତ୍ୟନ୍ତ ଧୀମର ଯାହା ଜୈଵିକ ଵିକାଶକୁ ଅତି ଦୀର୍ଘ ପ୍ରକ୍ରିୟା କରିଥାଏ। ପ୍ରାୟ 60 କୋଟି ଵର୍ଷ ପୂର୍ଵେ ଜୀଵ ଶରୀରରେ ମସ୍ତିଷ୍କର ଅସ୍ତିତ୍ବ ପ୍ରକଟିତ ହେଲା ଯାହା ପରିବେଶରୁ ଶିଖିଵା ଓ ସ୍ମୃତି ସଂରକ୍ଷଣରେ ଅନେକ ଗୁଣ ଅଧିକ ଦକ୍ଷ ଥିଲା। କିନ୍ତୁ ଏଥିରେ ମଧ୍ୟ ଏକ ସମସ୍ୟା ଥିଲା। ଜୀଵଟିଏ ଯାହା ଶିଖେ, ତାହା ତା’ର Germ Cellsରେ ପ୍ରତିଫଳିତ ହୁଏ ନାହିଁ। Germ Cellsର ଗଠନ ଭ୍ରୁଣ ଅଵସ୍ଥାରେ ହିଁ ନିର୍ଦ୍ଧାରିତ ହୋଇଯାଏ। ଅର୍ଥାତ୍, ମସ୍ତିଷ୍କରେ ସଂରକ୍ଷିତ ଜ୍ଞାନମାଳ ଭାବୀ ପିଢ଼ିକୁ ହସ୍ତାନ୍ତର କରିଵାର କୌଣସି ଜୈଵିକ ପ୍ରଣାଳୀ ପ୍ରକୃତି ସୃଷ୍ଟି କରି ନଥିଲା।

ଏହି ସମସ୍ୟାର ସେତେବେଳେ ସମାଧାନ ହେଲା ଯେତେବେଳେ ମଣିଷ ଅଜୈଵିକ ଉପାୟରେ ଜ୍ଞାନ ହସ୍ତାନ୍ତର କରିଵା ଆରମ୍ଭ କଲେ। Lascaux Caves ପରି ଗୁମ୍ଫାଗୁଡ଼ିକରେ ଅଙ୍କିତ ଚିତ୍ର ଏହି ଯାତ୍ରାର ପ୍ରଥମ ପଦକ୍ଷେପ ମଧ୍ୟରେ ଅନ୍ୟତମ । ଏହି ଚିତ୍ରଗୁଡ଼ିକ DNA, Genes କିମ୍ବା Brain ଵା ମସ୍ତିଷ୍କ ଉପରେ ନିର୍ଭର ନ କରି ଏକ ସ୍ଥାୟୀ ମାଧ୍ୟମରେ ଜ୍ଞାନକୁ ସଂରକ୍ଷଣ ଓ ହସ୍ତାନ୍ତର କରିଥିଲା। ଏହା ଥିଲା ମାନଵ ସଭ୍ୟତାର ଏକ କ୍ରାନ୍ତିକାରୀ ମୁହୂର୍ତ୍ତ।

Lascaux Caves ଫ୍ରାନ୍ସର Dordogne ଅଞ୍ଚଳରେ ଅଵସ୍ଥିତ ଏଵଂ Upper Paleolithic ଯୁଗର Magdalenian ସଂସ୍କୃତିର ଏକ ଅମର ନିଦର୍ଶନ। ଏହି ଗୁମ୍ଫାରେ ପ୍ରାୟ 600ଟି ଚିତ୍ର ଓ 1,500ଟି ଖୋଦନ ରହିଛି । ଏହି ଗୁମ୍ଫାଚିତ୍ର ମଧ୍ୟରେ ଅଶ୍ଵ ,ମହିଷ(ଲୁପ୍ତ Aurochs),ହରିଣ, ବାଇସନ୍(Bison) ଓ ଜଙ୍ଗଲୀ ଛାଗଳ(Ibex) ଆଦି ଵିଭିନ୍ନ ପଶୁଙ୍କ ଚିତ୍ର ରହିଛି। ଗୁମ୍ଫାର ଚିତ୍ରଗୁଡ଼ିକ ଅତ୍ୟନ୍ତ ଜଟିଳ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଏଵଂ ଏ ଚିତ୍ରମାନ ପ୍ରାଗୈତିହାସିକ ମଣିଷର ସୃଜନଶୀଳତା ଓ କୌଶଳକୁ ପ୍ରଦର୍ଶନ କରେ। ଏହି ଚିତ୍ରଗୁଡ଼ିକ ଶିକାର ସମ୍ବନ୍ଧୀୟ ସୂଚନା ସହିତ ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଅଭିଵ୍ୟକ୍ତିର ମଧ୍ୟ ସୂକ୍ଷ୍ମ ପ୍ରମାଣ ରହିଛି। Lascaux ଗୁମ୍ଫାର Hall of the Bulls ଓ Great Black Bull ପରି ଚିତ୍ରଗୁଡ଼ିକ ଅତ୍ୟନ୍ତ ଜୀଵନ୍ତ ଓ ଗତିଶୀଳ ଯାହା ସେତେବେଳେର ମଣିଷର ପରିବେଶ ଓ ପଶୁଙ୍କ ସହ ସମ୍ପର୍କକୁ ପ୍ରତିଫଳିତ କରେ। ଏହି ଚିତ୍ରଗୁଡ଼ିକ ନିର୍ମାଣରେ ପ୍ରାଗୈତିହାସିକ ମଣିଷ ପ୍ରାକୃତିକ Pigments ଯଥା Ochre, Charcoal ଓ Hematite ଵ୍ୟଵହାର କରିଥିଲେ ବୋଲି ଗଵେଷଣାରୁ ଜଣାଯାଏ । ସେମାନେ Brushes, Stencils ଓ ଏପରିକି ତାଙ୍କ ହାତକୁ ମଧ୍ୟ ଵ୍ୟଵହାର କରୁଥିଲେ। ଅନେକ ଚିତ୍ରରେ Handprints ଦେଖାଯାଏ, ଯାହାର କେତେକରେ ଆଙ୍ଗୁଳି ଅନୁପସ୍ଥିତ। ଏହା ଶୀତଦଂଶ (Frostbite) ଵା ଧାର୍ମିକ ରୀତିନୀତିର ଫଳ ହୋଇପାରେ, ଯାହା ସେତେବେଳେର ଜୀଵନର କଠିନତାକୁ ସୂଚିତ କରେ।

Lascaux Caves ରେ ଅଙ୍କିତ ଚିତ୍ରଗୁଡ଼ିକ କେଵଳ କଳାକୃତି ନୁହେଁ ଵରଂ ଜ୍ଞାନର ସାତତ୍ୟର ପ୍ରଥମ ପଦକ୍ଷେପ। ଏହି ଚିତ୍ରଗୁଡ଼ିକ ମାଧ୍ୟମରେ ପ୍ରାଗୈତିହାସିକ ମଣିଷ ତାଙ୍କର ଅଭିଜ୍ଞତା, ଶିକାର କୌଶଳ, ପରିଵେଶ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଭାବୀ ପିଢ଼ିକୁ ହସ୍ତାନ୍ତର କରିଥିଲେ। ଏହା DNA ଵା ମସ୍ତିଷ୍କ ଉପରେ ନିର୍ଭର ନ କରି ଏକ ଅଜୈଵିକ ମାଧ୍ୟମ—ପଥରର କାନ୍ଥ—ମାଧ୍ୟମରେ ସମ୍ଭଵ ହୋଇଥିଲା। ଏହା ଥିଲା ମାନଵ ସଭ୍ୟତାର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ, ଯେଉଁଠାରୁ ଜ୍ଞାନର ହସ୍ତାନ୍ତର ପଥର, ଚର୍ମ, ବଳ୍କଳ, Papyrus, କାଗଜ(Paper) ଏଵଂ ଆଜି ଅନ୍ତର୍ଜାଲ(Internet) ପର୍ଯ୍ୟନ୍ତ ଵିକଶିତ ହେଲା।

ଅଵଶ୍ୟ Lascaux Caves ଭଳି ଗୁମ୍ଫା ଚିତ୍ର ପୂର୍ଵରୁ ମୌଖିକ ପ୍ରଣାଳୀରେ ଜ୍ଞାନ ଆଦାନ-ପ୍ରଦାନ ହେଉଥିବାର ସମ୍ଭାଵନା ମଧ୍ୟ ଅତ୍ୟନ୍ତ ସମ୍ଭବ। ମାନଵେତ୍ତର ପ୍ରାଣୀ ଯଥା Langur ଓ Gorilla ମଧ୍ୟ ଧ୍ୱନି ମାଧ୍ୟମରେ ଭାଵନା ପ୍ରକାଶ କରୁଛନ୍ତି ।‌ ମୌଖିକ ଅଭିଵ୍ୟକ୍ତି ପାଇଁ ଆଵଶ୍ୟକ Vocal Apparatus ଓ Brain ର ବୌଦ୍ଧିକ ସାମର୍ଥ୍ୟ ପ୍ରାଗୈତିହାସିକ Homo sapiensଙ୍କ ପାଖରେ ଥିଲା। ମୌଖିକ ପ୍ରଣାଳୀ ଜ୍ଞାନ ହସ୍ତାନ୍ତରର ଏକ ସ୍ୱାଭାଵିକ ଓ କ୍ଷୀପ୍ର ଉପାୟ ଥିଲା, ଯାହା Hunting Strategies, Social Norms ଓ Stories ପରି ସୂଚନା ପରଵର୍ତ୍ତୀ ପିଢ଼ିକୁ ଦେଇଥାଇପାରେ। କିନ୍ତୁ ମୌଖିକ ଜ୍ଞାନ ଅସ୍ଥାୟୀ ଓ Memory ଉପରେ ନିର୍ଭରଶୀଳ, ଯାହା ସମୟ ସହିତ ହଜିଯାଇପାରେ। ଅପରପକ୍ଷେ, Lascaux Caves ର Cave Paintings ଜ୍ଞାନକୁ ଅଜୈଵିକ ମାଧ୍ୟମରେ ସ୍ଥାୟୀ କରିଥିଲା, ଯାହା ପାଇଁ Tools ଓ Artistic Skills ଆଵଶ୍ୟକ ଥିଲା। ଆଜି ମଧ୍ୟ ମାନଵ ଶିଶୁ ପ୍ରଥମେ ମୌଖିକ ଅଭିଵ୍ୟକ୍ତି ଶିଖେ, ତା’ପରେ Writing ଓ Drawing ଶିଖିଥାଏ । ତେଣୁ, Lascaux Caves ପୂର୍ଵରୁ ମୌଖିକ ପ୍ରଣାଳୀ ଜ୍ଞାନ ଆଦାନ-ପ୍ରଦାନର ପ୍ରାଥମିକ ଉପାୟ ଥିଲା, କିନ୍ତୁ Cave Paintings ଏହାକୁ ସ୍ଥାୟୀ ଓ ଦୃଶ୍ୟମାନ କରି ମାନଵ ସଭ୍ୟତାରେ ଏକ କ୍ରାନ୍ତି ଆଣିଥିଲା।

ଏହି ଜ୍ଞାନର ସାତତ୍ୟ ହିଁ ମଣିଷକୁ ଅନ୍ୟ ପ୍ରଜାତିଠାରୁ ପୃଥକ କରିଛି। Dinosaurs ପାଖରେ ମଧ୍ୟ ମସ୍ତିଷ୍କ ଥିଲା କିନ୍ତୁ ଗ୍ରହାଣୁ ସଂଘର୍ଷରୁ ରକ୍ଷା ପାଇଵାର ଉପାୟ ସେମାନେ ଖୋଜି ପାରି ନଥିଲେ, କାରଣ ସେମାନଙ୍କ ପାଖରେ ଜ୍ଞାନର ସାତତ୍ୟ ନଥିଲା। କିନ୍ତୁ Homo sapiens ଏହି ଅଭାଵକୁ ଦୂର କରି ପାରିଲେ। Homo sapiensମାନେ ଶିଖିଥିଵା ଜ୍ଞାନକୁ ସଂରକ୍ଷଣ କରି ପରଵର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କଲେ, ଯାହା ପ୍ରତ୍ୟେକ ପିଢ଼ିକୁ ପୂର୍ଵଵର୍ତ୍ତୀ ପିଢ଼ିର ଜ୍ଞାନ ଉପରେ ନିର୍ମାଣ କରିଵାର ସୁଯୋଗ ଦେଲା। ଏହା ହିଁ ମଣିଷକୁ କୃଷି,ପଶୁପାଳନ,ଲିଖନ,ଵିଜ୍ଞାନ,ଵୈଷୟିକ ଜ୍ଞାନ ଓ ଅନ୍ତରୀକ୍ଷ ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି।

ଭାରତରେ ମଧ୍ୟ ଏଭଳି ଅନେକ ଗୁମ୍ଫା ଚିତ୍ରକଳା ମିଳିଛି ଯାହା Lascaux Caves ସହ ସାମଞ୍ଜସ୍ୟ ରଖେ। ଭୀମବେଟକା ଗୁମ୍ଫାରେ ଥିଵା ଚିତ୍ରଗୁଡ଼ିକ 30,000 ଵର୍ଷରୁ ଅଧିକ ପୁରୁଣା, ଯାହା Paleolithic, Mesolithic ଓ Neolithic ସମୟର ବୋଲି ଜଣାପଡ଼ିଛି ପ୍ର। ଏହି ଚିତ୍ରଗୁଡ଼ିକରେ ଶିକାର,ନୃତ୍ୟ,ଯୁଦ୍ଧ ଓ ସାମାଜିକ ଜୀବନଯାପନର ଦୃଶ୍ୟ ଅଙ୍କିତ, ଯାହା ପ୍ରାଗୈତିହାସିକ ଭାରତୀୟ ମଣିଷର ଜୀଵନଶୈଳୀ ଓ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ । ଓଡ଼ିଶାରେ ଗୁଡ଼ହାଣ୍ଡି ଓ ଵିକ୍ରମଖୋଲ ପରି ସ୍ଥାନରେ ମଧ୍ୟ ପ୍ରାଗୈତିହାସିକ ଚିତ୍ରକଳା ମିଳିଛି। ଗୁଡ଼ହାଣ୍ଡିରେ ଥିଵା ଚିତ୍ରଗୁଡ଼ିକରେ ପଶୁ,ମାନଵ ଓ ଜ୍ୟାମିତିକ ଆକୃତି ଅଙ୍କିତ ହୋଇଛି ଯାହା ସେତେବେଳେର ମଣିଷଙ୍କ ଜୀଵନଶୈଳୀ ଓ ଧାର୍ମିକ ଵିଶ୍ୱାସକୁ ସୂଚିତ କରିଥାଏ । ଵିକ୍ରମଖୋଲରେ ମିଳିଥିଵା ଲେଖା ଓ ଚିତ୍ର ମଧ୍ୟ ପ୍ରାଚୀନ ଭାରତୀୟ ସଂସ୍କୃତିର ସ୍ଵରୂପ ପ୍ରକାଶ କରିଥାଏ । ଏହି ଚିତ୍ରଗୁଡ଼ିକ ପ୍ରମାଣ କରେ ଯେ ଜ୍ଞାନର ସାତତ୍ୟ କେଵଳ Europe ରେ ନୁହେଁ ଵରଂ ଭାରତରେ ମଧ୍ୟ ସମାନାନ୍ତର ଭାବେ ଵିକଶିତ ହୋଇଥିଲା।
           (Marcel Ravidat)
ତେବେ Lascaux ଗୁମ୍ଫାର ଆଵିଷ୍କାର ଦ୍ଵିତୀୟ ଵିଶ୍ଵଯୁଦ୍ଧ ସମୟରେ ହୋଇଥିଲା । ସେତେବେଳେ ଵିଶ୍ୱ ଧ୍ୱଂସ ହେଵାକୁ ବସିଥିଲା । Marcel Ravidat ଓ ତାଙ୍କ ସାଙ୍ଗମାନେ Lascaux ଗୁମ୍ଫାର ମୂଲ୍ୟ ବୁଝିଥିଲେ ଏଵଂ ଏହାକୁ ସୁରକ୍ଷା ଦେଵା ପାଇଁ ପ୍ରୟାସ କରିଥିଲେ। ସେମାନେ ଏକ ଵର୍ଷ ଧରି ଗୁମ୍ଫା ଆଗରେ ପହାରା ଦେଇଥିଲେ, ଯାହା ଏକ ଅଜ୍ଞାତ କିଶୋରର ଦାୟିତ୍ୱବୋଧକୁ ପ୍ରଦର୍ଶନ କରେ। 1948 ମସିହାରେ Lascaux Caves ସାଧାରଣ ଜନତା ପାଇଁ ଖୋଲା ହେଲା, କିନ୍ତୁ ଅତ୍ୟଧିକ ପର୍ଯ୍ୟଟକ ଓ ପରିଵେଶ ପରିଵର୍ତ୍ତଳ ହେତୁ ଚିତ୍ରଗୁଡ଼ିକ ଫଙ୍ଗସ୍‌ ଓ ଭଙ୍ଗାରୁଜାର ଶିକାର ହେଲା। 1963 ମସିହାରେ ଏହା ବନ୍ଦ କରାଗଲା, ଓ 1983 ମସିହାରେ Lascaux II ନାମକ ଏକ Replica Cave ନିର୍ମାଣ କରାଗଲା, ଯାହା ଆଜି ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି। 1979 ମସିହାରେ Lascaux Caves UNESCO ଵିଶ୍ଵ ଐତିହ୍ୟ ସ୍ଥଳ ଭାବେ ଘୋଷିତ ହେଲା।

ଜ୍ଞାନର ସାତତ୍ୟ ଆଜି ଅନ୍ତର୍ଜାଲ(Internet) ଓ ଅଙ୍କୀୟ ପ୍ରଯୁକ୍ତିଵିଦ୍ୟା(Digital Technology) ରୂପେ ଵିକଶିତ ହୋଇଛି। ଗୁମ୍ଫାଚିତ୍ରରୁ ଆରମ୍ଭ ହୋଇ ଲିଖନ ପ୍ରଣାଳୀ, ଛାପାଖାନା,ପାଠାଗାର,ତଥ୍ୟାଗାର(Databases) ଓ Cloud Storage ପର୍ଯ୍ୟନ୍ତ, ମଣିଷ ଜ୍ଞାନକୁ ସଂରକ୍ଷଣ ଓ ହସ୍ତାନ୍ତର କରିଵାର ନୂଆ ନୂଆ ଉପାୟ ଉଦ୍ଭାବନ କରିଛି। Internet ଏକ ଵୈଶ୍ଵିକ ଜ୍ଞାନ ଭଣ୍ଡାର(Global Knowledge Repository) ସୃଷ୍ଟି କରିଛି । ଫଳତଃ ମାନଵ ସଭ୍ୟତା କୃତ୍ରିମ ବୁଦ୍ଧିମତା(Artificial Intelligence), ମହାକାଶ ଅନୁସନ୍ଧାନ(Space Exploration) ଓ ଆନୁଵଂଶିକ ଅଭିଯାନ୍ତ୍ରିକୀ(Genetic Engineering) ଆଦି କ୍ଷେତ୍ରରେ ଵିଶେଷ ଅଗ୍ରଗତି ଲଭିଛି ‌। କିନ୍ତୁ ଏହି ସାତତ୍ୟ ଅତ୍ୟନ୍ତ କ୍ଷଣଭଙ୍ଗୁର(Fragile)। ଯଦି ପିଢ଼ି ପିଢ଼ି ଧରି ଚାଲି ଆସିଥିଵା ଏହି "ଜ୍ଞାନ-ଶୃଙ୍ଖଳା" କୌଣସି କାରଣରୁ ଵିଚ୍ଛିନ୍ନ ହୋଇଯାଏ ତେବେ ମାତ୍ର ଗୋଟିଏ ପିଢ଼ିରେ ମଣିଷ ଆଧୁନିକ ସଭ୍ୟତାରୁ ପ୍ରସ୍ତର ଯୁଗରେ ପହଞ୍ଚିପାରେ । ସଂସାରକୁ ନଷ୍ଟ କରିଵାକୁ ଚାହିଁଲେ ଅନେକ କାରଣ ମିଳିଯିଵ। ରକ୍ଷା କରିଵା ପାଇଁ କେଵଳ ଏତିକି ଜାଣିଵା ଯଥେଷ୍ଟ - ଆମେ କିଏ, କେଉଁଠୁ ଆସିଛୁ ଓ ଏଠାକୁ ପହଞ୍ଚିଵା ପାଇଁ ଆମେ କେତେ ସଂଘର୍ଷ କରିଛୁ। Lascaux ଓ ଭୀମବେଟକା ପରି ଗୁମ୍ଫାଗୁଡ଼ିକ ଆମକୁ ଆମ ପୂର୍ଵଜଙ୍କର ସଂଘର୍ଷ ଓ ଵିକାଶ ଯାତ୍ରା କେମିତି ଥିଲା ତାହା ଜଣାଇ ଦିଏ । ତେଣୁ Marcel Ravidat ଓ ତାଙ୍କ ସାଙ୍ଗମାନେ ଯେପରି Lascaux ଗୁମ୍ଫାର ସୁରକ୍ଷା ପାଇଁ ପ୍ରୟାସ କରିଥିଲେ ଠିକ୍ ସେହିପରି ପିଢ଼ି ପିଢ଼ି ଧରି ସଂଗୃହୀତ ହୋଇଥିଵା ଜ୍ଞାନ ଓ ସଂସ୍କୃତିକୁ ସଂରକ୍ଷଣ କରିଵା ଆମ୍ଭମାନଙ୍କର ଦାୟିତ୍ୱ ହେଵା ଆଵଶ୍ୟକ।

ପୃଥିଵୀର ଯୁଗ

ଭାରତୀୟ ପୌରାଣିକ ଗଣନା ଅନୁସାରେ, ବ୍ରହ୍ମାଙ୍କ ଜୀଵନକାଳ ୧୦୦ ଵର୍ଷ, ଯାହା ମାନଵ ଵର୍ଷରେ ୩୧୧.୦୪ ଲକ୍ଷ କୋଟି (୩୧୧,୦୪୦,୦୦୦,୦୦୦,୦୦୦) ଵର୍ଷ ଅଟେ। ମନୁସ୍ମୃତିରେ ଏ ସମ...